‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହ ଉଦ୍‌ଯାପିତ : ସବୁ ଓଡ଼ିଆ କଳାର ପୂଜାରୀ – ମୁଖ୍ୟମନ୍ତ୍ରୀ

ନାଟ୍ୟକାର କାର୍ତିକ ରଥଙ୍କୁ ମରଣୋତ୍ତର ସମାଜ ସାଂସ୍କୃତିକ ସମ୍ମାନ

ଭୁବନେଶ୍ବର : ଓଡ଼ିଶା କଳାର ରାଜ୍ୟ। ସବୁ ଓଡ଼ିଆ କଳାର ପୂଜାରୀ। ଆମ ମାଟି ପାଣି ପବନରେ ସଂସ୍କୃତିର ଝଲକ ଭରି ରହିଛି। ଆମ ସମସ୍ତଙ୍କ ସହଯୋଗରେ ଆମର ସଂସ୍କୃତି ଆହୁରି ମହାନ ହୋଇପାରିବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଦୈନିକ ଖବର କାଗଜ ‘ସମାଜ’ର ଶତବାର୍ଷିକ ସାଂସ୍କୃତିକ ସମାରୋହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ୧୦୦ ବର୍ଷ ତଳେ ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ‘ସମାଜ’ ରୂପକ ଚାରା ବୁଣିଥିଲେ ତାହା ଆଜି ଏକ ବଡ଼ ଅନୁଷ୍ଠାନରେ ପରିଣତ ହୋଇଛି। ଆଜି ବି ‘ସମାଜ’ ଗୋପବନ୍ଧୁଙ୍କ ଆଦର୍ଶକୁ ନେଇ କାମ କରୁଥିବାରୁ ଏହା ପ୍ରଶଂସନୀୟ ବୋଲି ସେ କହିଥିଲେ।

ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଲେ, ଦେଶର ସାଂସ୍କୃତିକ ବିବିଧତାକୁ ଗୋଟିଏ ଛାତ ତଳେ ଏକାଠି କରି ଏକତାର ମନ୍ତ୍ର ବୁଣିବାରେ ସମାଜର ଏହି ପ୍ରକାର କାର୍ଯ୍ୟକ୍ରମ ପ୍ରଶଂସନୀୟ। ଏହି ଅବସରରେ ଲୋକସେବକ ‌ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, କୋଷାଧ୍ୟକ୍ଷ ଭୀମସେନ ଯାଦବ, ରାଷ୍ଟ୍ରୀୟ ସମ୍ପାଦକ ନିରଂଜନ ରଥଙ୍କ ସମେତ ସମାଜର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଓ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ପ୍ରଫେସର କାର୍ତିକ ରଥଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ମରଣୋତ୍ତର ‘ସମାଜ ସାଂସ୍କୃତିକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଲୋକସେବକ ମଣ୍ଡଳ ନୂଆଦିଲ୍ଲୀ ଶାଖାର ଅଧ୍ୟକ୍ଷ ରାଜ କୁମାର, ହିମାଚଳ ପ୍ରଦେଶ ଶାଖାର ଜୀବନବ୍ୟାପୀ ସଦସ୍ୟ ଠାକୁର ଅଜୟ ସିଂହଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ଲୋକନୃତ୍ୟ, ରଣପା, ଦୁଲଦୁଲି, ଘୁମୁରା, ଭାଙ୍ଗଡ଼ା ନୃତ୍ୟ ଆଦି ପରିବେଷିତ ହୋଇଥିଲା।

ପୂର୍ବାହ୍ନରେ ସଂସ୍କୃତି ଭବନ ସଭାକକ୍ଷରେ ‘ଜାତୀୟ ଏକତା ଓ ଅଖଣ୍ଡତାରେ କଳାକାରଙ୍କ ଭୂମିକା’ ଶୀର୍ଷକ ସାଂସ୍କୃତିକ ଆଲୋଚନାଚକ୍ର କରାଯାଇଥିଲା। ସାଂସଦ ତଥା ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ, ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଦୀପ୍ତି ମିଶ୍ର ଯୋଗଦେଇ ଏହା ଉପରେ ମତ ରଖିଥିଲେ। ପରବର୍ତୀ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି, ନାଟ୍ୟକାର ଡ. ରମେଶ ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଚଳଚ୍ଚିତ୍ର ନିର୍ଦେଶକ ଘନଶ୍ୟାମ ମହାପାତ୍ର, ସଂସ୍କୃତି ଗବେଷକ ମନ୍ମଥ ଶତପଥୀ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ, ଲୋକକଳା ଓ ସଂସ୍କୃତି ସଂଗଠକ ବାସୁଦେବ ମାଲବିଷୋୟୀ, ସଂସ୍କୃତି ଗବେଷକ ଡ. କୀର୍ତନ ନାରାୟଣ ପାଢ଼ୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟ, କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ, କଣ୍ଠଶିଳ୍ପୀ ସଂଗୀତା ଗୋସାଇଁ, ଯାତ୍ରା ଅଭିନେତା ଦ୍ବୈତାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର

Comments are closed.