ଖୋର୍ଦ୍ଧା ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନା ବାଟବଣା, ସୁବିଧା ପାଉନାହାନ୍ତି ହିତାଧିକାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଭିନ୍ନକ୍ଷମ, ତୃତୀୟ ଲିଙ୍ଗ, ବିଧବା, ବୃଦ୍ଧ/ବୃଦ୍ଧା, ଭିକାରୀ, କୁଷ୍ଠରୋଗୀ ଆଦିଙ୍କ ସାମାଜିକ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ୪ଟି ଭତ୍ତା ଯୋଜନା ଓ ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ୍‌ ଯୋଜନା ଅଧୀନରେ ଅନ୍ୟ ୯ଟି ଭତ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲ୍ଲାରେ ଯେତେ ସାମାଜିକ ଭାବେ ଅସୁରକ୍ଷିତ ବ୍ୟକ୍ତି ଅଛନ୍ତି ସେମାନଙ୍କ ଗଣତି ତ ଠିକ୍ ଚାଲିଛି, କିନ୍ତୁ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଞ୍ଚିପାରୁନାହିଁ।

ଖୋର୍ଦ୍ଧା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା , ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା, ଜାତୀୟ ପରିବାର ସୁରକ୍ଷା ଯୋଜନା ଭଳି ୪ଟି ଯୋଜନା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନ୍‌ସନ ଯୋଜନା ଅଧୀନରେ ୯ଟି ଭତ୍ତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସାମାଜିକ ସୁରକ୍ଷା ପରିସଂଖ୍ୟାନ ରିପୋର୍ଟ–୨୦୧୮ ଅନୁସାରେ, ଜିଲ୍ଲାରେ ୨ଲକ୍ଷ ୪୮ହଜାର ୪୩ଜଣ ବରିଷ୍ଠ ନାଗରିକ, ୬୩ହଜାର ୯୪୯ ଭିନ୍ନକ୍ଷମ, ୩୬୨ ତୃତୀୟ ଲିଙ୍ଗ, ୫୩ ଜଣ ଭିକାରୀ, ୭୭୯ ଜଣ ନିଶାଖୋର, ୫୩୪ ଜଣ କୁଷ୍ଠରୋଗାକ୍ରାନ୍ତ ଅଛନ୍ତି। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମୋଟ ୧ଲକ୍ଷ ୨ହଜାର ୫୦୭ଜଣଙ୍କୁ ଭତ୍ତା ଦିଆଯାଉଛି। ଅପରପକ୍ଷରେ, ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଯେପରି ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଭାବେ ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯିବ ସେନେଇ ସେମାନଙ୍କ ବ୍ୟାଙ୍କ ଖାତା ସହ ଭତ୍ତା ସଂଯୋଗ କରାଯିବା ସହ ଆଧାର ଲିଂକେଜ୍ ମଧ୍ୟ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ନିକଟରୁ ମିଳିଥିବା ତଥ୍ୟାନୁସାରେ, ବର୍ତ୍ତମାନ ସୁଦ୍ଧା ମୋଟ ପଞ୍ଜିକୃତ ହିତାଧିକାରୀଙ୍କ ମଧ୍ୟରୁ ୬୪ ପ୍ରତିଶତ ହିତାଧିକାରୀଙ୍କ ସହ ଆଧାର ସିଡ୍ କରାଯାଇଥିବା ବେଳେ ମାତ୍ର ୪୪ ପ୍ରତିଶତ ହିତାଧିକାରୀଙ୍କ ଯାଞ୍ଚ କରାଯାଇଛି। ସେହିଭଳି ୧୦୬୧୨ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ମାତ୍ର ୬୧୭ଜଣଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (ବିବିଏସ୍‌ଏ) ଶିବିରରେ ୨୦୧୮ ସୁଦ୍ଧା ୪୬୭୯ଜଣ ଦିବ୍ୟାଙ୍ଗ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତରୁ କମ୍ ଅର୍ଥାତ୍ ୨୧୯୨ ଜଣଙ୍କୁ ସହାୟତା ଓ ୭୧୫ଜଣଙ୍କୁ ତିନି ଚକିଆ ସାଇକଲ, ହ୍ବିଲ୍ ଚେୟାର୍, ଶ୍ରବଣ ଯନ୍ତ୍ର, ବୈଶାଖୀ ଆଦି ଯୋଗାଇ ଦିଆଯାଇଛି। କୃତ୍ରିମ ଅଙ୍ଗ( ହାତ ଓ ଗୋଡ଼) କାହାରିକି ଦିଆଯାଇନାହିଁ।

ସେହିଭଳି ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ ୨୦୧୮ ଶେଷ ସୁଦ୍ଧା ୪୯ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ୧୨ଜଣଙ୍କୁ ବିଜୁ ପକ୍କା ଘର ପ୍ରଦାନ କରାଯାଇଛି। ପଞ୍ଜିକୃତ ନିଶାଖୋର ଓ ତୃତୀୟ ଲିଙ୍ଗଙ୍କ ମଧ୍ୟରୁ କାହାରିକୁ କୌଶଳ ବିକାଶ ତାଲିମ ପ୍ରଦାନ କରାଯାଇନାହିଁ। ଚଳିତ ବର୍ଷ ଜୁନ୍ ୨୦ ତାରିଖରେ ରାଜ୍ୟ ଏସ୍‌ଏସ୍‌ଇପିଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଓ ପଞ୍ଜିକରଣ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଥିବା କଥା ଦର୍ଶାଇ ସେମାନଙ୍କ ତଥ୍ୟ ତୁରନ୍ତ ଅନ୍‌ଲାଇନ୍‌ରେ ଦାଖଲ କରିବା ଓ ସେମାନଙ୍କୁ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶାନୁସାରେ, ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନାରେ ଜୁନ୍ ମାସ ଶେଷ ସୁଦ୍ଧା ୫୪୦୦ଜଣଙ୍କୁ ପଞ୍ଜିକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫୨୩୦ଜଣଙ୍କର ପଞ୍ଜିକରଣ ହୋଇଛି। ସେହିଭଳି ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତାରେ ୧୬୯୮୦ ହିତାଧିକାରୀଙ୍କର ଅନ୍‌ଲାଇନ୍ ପଞ୍ଜିକରଣ ଲକ୍ଷ୍ୟ ଥିବା ବେଳେ ମାସ ଶେଷ ସୁଦ୍ଧା ୧୬୮୦୯ଜଣଙ୍କର ପଞ୍ଜିକରଣ ହୋଇଛି। ଅପରପକ୍ଷରେ, ଜୁନ୍ ୧ ତାରିଖରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଯୋଜନାରେ, ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ କ୍ଷମତା ଏକ୍ସପ୍ରେସ ଆରମ୍ଭ ହୋଇଥିବା ବେଳେ ଏଥିରେ ମଧ୍ୟ ସଠିକ୍ ଭାବେ ହିତାଧିକାରୀଙ୍କ ପଞ୍ଜିକରଣ ଓ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଥିଲା। କ୍ଷମତା ଏକ୍ସପ୍ରେସର ଶିବିରକୁ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଚୟନ କରାଯାଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ସାଇନ୍ସର ପ୍ରୋଗ୍ରାମ ଡାଇରେକ୍ଟର ନଳିନୀ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ଜିଲ୍ଲାରେ ସହାୟତାର ତାରତମ୍ୟକୁ ଲକ୍ଷ୍ୟ କରି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ମୁଖ୍ୟାଳୟରେ ନିୟମିତ ଶିବିର ଆୟୋଜନ କରାଯାଉଛି। ବତ୍ତମାନ ସୁଦ୍ଧା ୪ଟି ସ୍ଥାନରେ ଶିବିର ଅନୁଷ୍ଠିତ ହୋଇସାରିଛି, ଏଥିରେ ୩୫୦ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଆଗକୁ ମଧ୍ୟ ଏହା ଜାରି ରହିବ।

ସମ୍ବନ୍ଧିତ ଖବର