ସୀମା ବିବାଦ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟ ସହ ଓଡ଼ିଶାର ସୀମା ବିବାଦ ପ୍ରସଙ୍ଗରେ ଶନିବାର ସମାଜବାଦୀ ପାର୍ଟିର ୨ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କୁ ୩ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସ୍ଥାୟୀ ସମାଧାନ ଦାବି କରିଛନ୍ତି।

ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ପାଖାପାଖି ୧୪ଟି ଜିଲ୍ଲାର ସୀମା ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଲାଗିଛି। ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକର ୯୬ଟି ରାଜସ୍ବ ଗ୍ରାମ, ୧୪ଟି ପଡ଼ା ଉପରେ ପଡ଼ୋଶୀ ରାଜ୍ୟମାନେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି। ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଏସବୁ ଜିଲ୍ଲାଗୁଡ଼ିକରେ ବିକାଶ ବାଧାପ୍ରାପ୍ତ ହେଉଛି। ଏଥିପାଇଁ ବିଧାନସଭାର ଏକ ‘ଗୃହ କମିଟି’ ଗଠିତ ହୋଇଥିଲେ ହେଁ କମିଟି ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସୀମା ବିବାଦର ସମାଧାନ କରିବାରେ ତତ୍ପରତା ପ୍ରକାଶ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ମଧ୍ୟ ସମାଧାନ ଦିଗରେ ସକ୍ରିୟତା ପ୍ରକାଶ କରିନାହାନ୍ତି। ସେହିପରି ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ସୀମା ବିବାଦ ନେଇ ଯେଉଁ ବିବୃତି ରଖିଥିଲେ, ସେଥିରେ ଓଡ଼ିଶା ସୀମା ବିବାଦ ନେଇ କୌଣସି କଥା ଉଲ୍ଲେଖ କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ମନୋଭାବର ସୁଯୋଗ ନେଇ ଆନ୍ଧ୍ର ଓ ପଶ୍ଚିମବଙ୍ଗ ଓଡ଼ିଶା ମାଟିକୁ ଦଖଲ କରି ଦାଦାଗିରି କରିବାକୁ ମଧ୍ୟ ପଛାଉ ନାହାନ୍ତି। ତେଣୁ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଦଳ ପକ୍ଷରୁ ଦାବି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଦଳର ଯୁବ ଜନସଭାର ରାଜ୍ୟ ଅଧ୍ୟକ୍ଷ ସୁବ୍ରତ ଲେଙ୍କା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର