ବିଦ୍ୟୁତ୍ ଶୁଳ୍କବୃଦ୍ଧି ଜନଶୁଣାଣିକୁ ବିରୋଧରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟୁତ୍‌ ଦରବୃଦ୍ଧିକୁ ନେଇ ଓଇଆରସି(ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ)ରେ ଚାଲିଥିବା ଶୁଣାଣିକୁ ବିରୋଧ କରି ଆଜି ସମାଜବାଦୀ ପାର୍ଟି ପକ୍ଷରୁ ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି। କରୋନା ମହାମାରୀ କାଳରେ ଜୀବନଜୀବିକା ସଂକଟରେ ଥିବା ବେଳେ ବିଦ୍ୟୁତ୍‌ ଦରବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ହୃଷୀକେଶ ଷଡ଼ଙ୍ଗୀ, ବିଶ୍ବଜିତ ମଲ୍ଲିକ, ସୌମ୍ୟରଞ୍ଜନ ଦାସ, ସଞ୍ଜୟ କୁମାର ପ୍ରଧାନ, ସୁରେନ୍ଦ୍ର ସୋରେନ ପ୍ରମୁଖ ବିଜୁଳି ଦରବୃଦ୍ଧି ନେଇ ଆସିଥିବା ସମସ୍ତ ଆବେଦନକୁ ଖାରଜ କରିବାକୁ କମିସନଙ୍କୁ ନିବେଦନ କରିଛନ୍ତି। ଏହାକୁ ବେଖାତିର କରି ଓଇଆର୍‌ସି କର୍ତ୍ତୃପକ୍ଷ ଯଦି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରନ୍ତି, ତେବେ ଗାଁ ଗଣ୍ଡା ପର୍ଯ୍ୟନ୍ତ ଗଣଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ପାର୍ଟି ଅଭିଯୋଗ କରିଛି, ବିଗତ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ଦୁଇ ଥରରେ ସରକାର ୫୦ପଇସା ବୃଦ୍ଧି କରିଛନ୍ତି। ୧୯୯୪-୯୫ ମସିହାରେ ଆଜିକୁ ୨୭ବର୍ଷ ତଳେ ଓଡ଼ିଶାରେ ବିଦ୍ୟୁତ୍ ସଂସ୍କାର ଓ ଘରୋଇକରଣ ଆରମ୍ଭ ହୋଇଥିଲା। କିନ୍ତୁ ସଂସ୍କାର ହେବାର ୨୭ ବର୍ଷ ପରେ ମଧ୍ୟ ବିଜୁଳି ମହଙ୍ଗା ହେବାରେ ଲାଗିଛି। ସରବରାହ ଜନିତ କ୍ଷତିକୁ ଭରଣା କରିବା ପାଇଁ ଆବଣ୍ଟନକାରୀ ସଂସ୍ଥା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝକୁ ରାଜ୍ୟବାସୀଙ୍କ ଉପରେ ପ୍ରତିବର୍ଷ ଲଦି ଚାଲିଛନ୍ତି। ସରବରାହ ଜନିତ କ୍ଷତି (ଟ୍ରାନ୍ସମିସନ୍‌ ଲସ୍)କୁ ନ କମାଇ ଦରବୃଦ୍ଧି ପାଇଁ କମ୍ପାନିମାନେ ଆବେଦନ କରିଛନ୍ତି। ୧୫ ତାରିଖଠାରୁ ଓଇଆରସି ଏହି କମ୍ପାନିମାନଙ୍କର ଆବେଦନର ଜନଶୁଣାଣି ଚଳାଇଛନ୍ତି। ଆଜି ଗ୍ରିଡ୍‌କୋ ପକ୍ଷରୁ ବିଦ୍ୟୁତ୍ ଶୁଳ୍କକୁ ୨.୯୬ଟଙ୍କାରୁ ୩.୮୩ ଟଙ୍କା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରଖାଯାଇଛି। ସେହିଭଳି ଆଗାମୀ ଦିନରେ ଟିପିସିଓଡିଏଲ୍‌ର ଜନଶୁଣାଣିକୁ ମଧ୍ୟ ବିରୋଧ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର