ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ତିନିଜଣିଆ ପ୍ରତିନିଧି ଦଳ ଶୁକ୍ରବାର ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରି ତିନିଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ।

Advertisment

ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଏସ୍ଆଇଟି ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣା ଆକସ୍ମିକ ନଥିଲା ବୋଲି ରିପୋର୍ଟରେ ପ୍ରକାଶ କରିଛନ୍ତି । ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କ ସାଥୀମାନେ ଦାୟୀ ବୋଲି ଏସ୍ଆଇଟି ପକ୍ଷରୁ କୁହାଯାଇଛି। ନୈତିକତା ଦୃଷ୍ଟିରୁ ଶ୍ରୀ ମିଶ୍ର ଇସ୍ତଫା ଦେବା ଉଚିତ ବୋଲି ପାର୍ଟି ପକ୍ଷରୁ ଦର୍ଶାଯାଇଛି। ଯଦି ସେ ଇସ୍ତଫା ନ ଦିଅନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍‌ରୁ ବରଖାସ୍ତ କରିବା ପାଇଁ ସ୍ମାରକ ପତ୍ରରେ ଦାବି କରାଯାଇଛି।

ବାତ୍ୟା ‘ଜୱାଦ୍‌’ ବର୍ଷାରେ ନିଜର ପାଚିଲା ଧାନ ଓ ପନିପରିବା ଫସଲ ହରାଇ ଓଡ଼ିଶାର ଚାଷୀ ସର୍ବସ୍ବାନ୍ତ ହୋଇଛନ୍ତି। ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ଅଗ୍ରୀମ ଏକ ହଜାର କୋଟି ଟଙ୍କାର ରିଲିଫ ସହାୟତା ପ୍ରଦାନ କରିବାକୁ ପାର୍ଟି ଦାବି କରିଛି। ଏହା ସହ ଚାଷୀ ମଣ୍ଡିକୁ ଆଣୁଥିବା ସମସ୍ତ ଧାନ ଏଫ୍‌ସିଆଇ କିଣିବା ପାଇଁ କେନ୍ଦ୍ର ଖାଦ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି କରାଯାଇଛି। ପ୍ରତିନିଧି ଦଳରେ ସଭାପତି ଶ୍ରୀ ବେହେରାଙ୍କ ସମେତ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ କୋଷାଧ୍ୟକ୍ଷ ସଞ୍ଜୟ ନାୟକ ସାମିଲ ହୋଇଥିଲେ।