ତେଲକୋଇ: ସମାକୋଇ ନଦୀରୁ ବେଧଡ଼କ ଚାଲିଛି ବାଲି ଉତ୍ତୋଳନ। ବେଆଇନ ଭାବେ ନଦୀପଠାରେ ଇଟାଭାଟି କରାଯାଇଛି। ଇଟା ତିଆରି ପାଇଁ ମାଟି ଖୋଳା ହେଉଛି। ଫଳରେ ସମାକୋଇ କୂଳ ଖାଇବା ସହ ତା’ର ଗତିପଥ ବଦଳାଉଛି। ଏହି କାରଣରୁ ୧୨ଟି ଗାଁ ବିପଦରେ। ନଦୀଗର୍ଭରେ ୩୦୦ ମିଟର ଲୀନ ହେବା ସହିତ ୧୫ ଏକର ଚାଷଜମି, ଜଙ୍ଗଲ, ଜନବସତି ନଦୀଗର୍ଭକୁ ଚାଲିଗଲାଣି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ୯ଟି ଓ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳର ତିନିଟି ଗାଁ ପ୍ରତି ଏହା ବିପଦ ସୃଷ୍ଟି କରୁଛି। ବର୍ଷାଦିନେ ସମାକୋଇ ଭୟଙ୍କର ରୂପ ଧାରଣ କରୁଛି।

Advertisment

ତେଲକୋଇ ବ୍ଲକ୍‌ର ଜୀବନରେଖା ସମାକୋଇ। ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହୁଣ୍ଡା ଅଞ୍ଚଳରୁ ଏହି ନଦୀ ବାହାରି ତେଲକୋଇ ବ୍ଲକ୍‌ର ତାଳପଦା, ବଡ଼ଖମଣ, ପଙ୍ଗା, ଶିମିଳିପାଳ, ଶିବନାରାୟଣପୁର, ଗୋଡ଼ା, ବେତଖୋଲି, କୁମୁଣ୍ଡୁ, ବାଙ୍ଗୁରପାଳ, ଭାଲିଆଡାଳ, କମଳାଙ୍ଗ, ତେଲକୋଇ, ରାମଚନ୍ଦ୍ରପୁର, ଦନ୍ଦୁଆମୁଣ୍ଡା, ଦେଉଳଡିହା, ନୂଆଗଡ଼, ଘୁଣ୍ଟୁପଶି, ଦେଉଳଡିହା, ଜେନାଦର, ସନ୍ତେଇଭଞ୍ଜ, ଦୋବଲାପାଳ, କରଦାଙ୍ଗି, ରଗଡ଼ା, ସାପଲାଞ୍ଜି, ଚକଦର ଓ ସରେଇ ଗ୍ରାମ ଦେଇ ପ୍ରବାହିତ ହୋଇଛି। ଅନୁଗୁଳ ଜିଲ୍ଲାର ଗହମ ନିକଟରେ ସମାକୋଇ ବ୍ରାହ୍ମଣୀ ନଦୀରେ ମିଶିଛି। ସମାକୋଇ ନଦୀର ଲିଜ୍‌ ଅଞ୍ଚଳ ସମେତ ବାହାରୁ ଜେସିବି ମେସିନ ଲଗାଇ ବେଧଡ଼କ ବାଲି ଉତ୍ତୋଳନ କରାଯାଉଛି। ବାଲି ଉତ୍ତୋଳନ ଓ ମାଟି ଖନନ ଯୋଗୁଁ ସମାକୋଇ ତା’ର ଗତିପଥ ବଦଳାଉଛି। ତେଲକୋଇ ଥାନାସାହି ନିକଟ ଘରମାରେ ପୂର୍ବରୁ ଜନବସତି ଥିଲା। ନଦୀ କୂଳ ଖାଉଥିବାରୁ ଏଠାକାର ଲୋକେ ଭୟଭୀତ ହୋଇ ଅନ୍ୟତ୍ର ଚାଲି ଯାଇଛନ୍ତି। ଗତବର୍ଷ ସମାକୋଇର ପ୍ରଖର ସ୍ରୋତରେ ଘରମା ନିକଟରେ ୧୫୦ ମିଟରର ନାଳ ସୃଷ୍ଟି ହୋଇଛି। ସେହିପରି ତଳମୁଣ୍ଡ କୁହାଯାଉଥିବା କରଦାଙ୍ଗି ଗ୍ରାମର ଦୋମୁହାଁଣି ଡଙ୍ଗାଘାଟ ନିକଟରେ ନଦୀ ଗତିପଥ ବଦଳାଉଛି। ସମାକୋଇ ନଦୀ ଓ ଏହାର ଉପନାଳ ଘୁରୁଡ଼ିଆର ମୁହାଣ ନିକଟ ବାମପାର୍ଶ୍ୱ କରଦାଙ୍ଗି ଗ୍ରାମର ଖଳିଢିପ ଅଞ୍ଚଳକୁ ନଦୀ ପ୍ରବାହିତ ହେଉଛି। ବର୍ଷାଦିନେ କରଦାଙ୍ଗି-ସରେଇ ପ୍ରଧାନମନ୍ତ୍ରୀ ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି। ତେଲକୋଇ ଅଞ୍ଚଳର ୯ଟି ଗାଁ କରଦାଙ୍ଗି, ସାପଲାଞ୍ଜି, ସନ୍ତେଇଭଞ୍ଜ, ରଗଡ଼ା, ଜେନାଦର, ଦୋବଲାପାଳ, ଘୁଣ୍ଟୁପଶି, ନୂଆଗଡ଼, ତେଲକୋଇ ତଳସାହି ଓ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳର ରାଇପାଳ, ବନମୁହାଣ, ଝରାଳହ ଆଦି ଗାଁ ପ୍ରତି ସମାକୋଇ ବିପଦ ସୃଷ୍ଟି କରିଛି। ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣ ହେଲେ ଏସବୁ ଗ୍ରାମ ଗୁଡ଼ିକ ଆହୁରି ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। କରଦାଙ୍ଗି ଓ ସାପଲାଞ୍ଜି ଗ୍ରାମର ୧୬୦ ହେକ୍ଟର ଚାଷଜମି, ୧୭୦ ହେକ୍ଟର ପତିତଜମି ଓ ୮୬ ହେକ୍ଟର ଜଙ୍ଗଲ ଜମି ମୋଟ ୪୧୬ ହେକ୍ଟର ଜମି ନଦୀଗର୍ଭରେ ଲୀନ ହୋଇଯିବ। ତେଲକୋଇର ଶିଖେଶ୍ବର ଓ ପାଲଲହଡ଼ାର ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯେଉଁ ଜୈବ ବିବିଧତା ରହିଛି ତାହା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।