ସମ୍ବଲପୁର : ସମଲେଇ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ଏକ ଉଚ୍ଚ ସଚିବସ୍ତରୀୟ ଅଧିକାରୀ ଦଳ ସମଲେଶ୍ବରୀ ମନ୍ଦିରକୁ ଆସି ଏହି ଯୋଜନାର ଅଗ୍ରଗତି ସମୀକ୍ଷା କରିବା ସହି କାମଗୁଡ଼ିକ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ୍, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍. ଭିନିଲ୍ କ୍ରିଷ୍ଣା ପ୍ରମୁଖ ଏହି ଟିମ୍ରେ ସାମିଲ ଥିଲେ।
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ସମ୍ବଲପୁରର ମାଁ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବାର ଯୋଜନା ରହିଛି। ଏଥିପାଇଁ ଓବିସିସି ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ଯୋଜନାରେ ମାଁ ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ କରାଯିବ। ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିପାରିବେ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ ରହିବା ସାଙ୍ଗକୁ ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ। ଏହାର ବିକାଶକୁ ମୂଳ ଯୋଜନା ସହ ସମନ୍ବିତ କରାଯିବ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ୫ଟି ସଚିବ ଶ୍ରୀ ପାଣ୍ଡିଆନ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଯାଦବ ପ୍ରମୁଖ ଆଜି ପ୍ରକଳ୍ପ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ନିର୍ମାଣ କାର୍ଯ୍ୟ ଯଥା ସମୟରେ ଯେମିତି ଶେଷ ହେବ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଥିଲେ।
ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଆଇଜି ଦୀପକ କୁମାର, ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ବି. ଗଂଗାଧର, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ସମଲେଇ ଯୋଜନାର ନୋଡାଲ ଅଫିସର ଅନିରୁଦ୍ଧ ପ୍ରଧାନଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ଅନ୍ୟ ସଦସ୍ୟମାନେ ମନ୍ଦିର ପହଂଚିବା ପରେ ଅଧିକାରୀ ଦଳକୁ ସ୍ବାଗତ କରିଥିଲେ।
ସୂଚନାଯୋଗ୍ୟ ଯେ, ନିର୍ମାଣସ୍ଥଳୀରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ I ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବବୋଲି ଲକ୍ଷ୍ୟ ରଖାଯାଇଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/samalei.jpg)