ସମରା ସ୍କୁଲ ରୂପାନ୍ତରଣ କାମ ନିମ୍ନ ମାନର: ଉଦ୍‌ଘାଟନ ପୂର୍ବରୁ କାନ୍ଥ ଫାଟିଲା, ଟାଇଲ୍‌ ଉପୁଡ଼ିଲା

ତୁଷୁରା : ଗୁଡ଼ଭେଲା ବ୍ଲକ୍‌ ସମରା ସ୍କୁଲ ରୂପାନ୍ତରଣ କାମ ନିମ୍ନ ମାନର ହୋଇଛି। ଉଦ୍‌ଘାଟନ ପୂର୍ବରୁ କାନ୍ଥରେ ଫାଟ ସୃ‌ଷ୍ଟି ହେଲାଣି। ସେହିପରି ଲାଗିଥିବା ଟାଇଲ ଉପୁଡ଼ି ପଡ଼ିଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅ‌ସନ୍ତୋଷ ପ୍ରକାଶ ପାଇଛି।

ଅଭି‌ଯୋଗ ଅନୁସାରେ, ଏହି ସ୍କୁଲର ରୂପାନ୍ତରଣ କାମ ପାଇଁ ରାଜ୍ୟ   ସରକାର ୩୭ ଲକ୍ଷ ଟଙ୍କା ଦେଇଥିଲେ। ଏଠାରେ ୨ଟି ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, ବିଜ୍ଞାନାଗାର, ଶୈାଚାଳୟ, ବ୍ୟାଡ଼ମିଣ୍ଟନ କୋର୍ଟ, ଖୋଖୋ ଫିଲ୍‌ଡ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ, ଫ୍ଲାଗ୍‌ପୋଷ୍ଟ, ସ୍କୁଲ କୋଠାଗୁଡ଼ିକର ସୌନ୍ଦର୍ଯ୍ୟୀକରଣ, ପାନୀୟ ଜଳ ବ୍ୟବସ୍ଥା ଆଦି କରାଯାଇଛି। ଆଉ ଦିନକ ପରେ ଏହା ଉଦ୍‌ଘାଟିତ ହେବ। ଏପଟେ କାମର ମାନକୁ ନେଇ ପ୍ରଶ୍ନ ଉଠିଲାଣି। କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଶୌଚାଳୟରେ ଲାଗିଥିବା ଟାଇଲ୍‌ଗୁଡ଼ିକ ଅତି ନିମ୍ନମାନର ହୋଇଥିବାରୁ କେତେକ ସ୍ଥାନରେ ଭାଙ୍ଗି ଉପୁଡ଼ି ଗଲାଣି। ଏପରିକି ନୂଆ ଦୋଳି ମଧ୍ୟ ଭାଙ୍ଗିଯାଇ ତଳେ ଓଲଟିପଡ଼ିଛି।

ସୌନ୍ଦର୍ଯ୍ୟୀକରଣ ପାଇଁ ନିର୍ମିତ ପାଚେରିରେ ଫାଟ ସୃଷ୍ଟି ହୋଇଯାଇଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବିଡିଓ ବିନୋଦ ନାୟକଙ୍କୁ ପଚାରିବାରୁ ଏହି ସ୍କୁଲର ସବୁଠାରେ ଉଚ୍ଚମାନର ସାମଗ୍ରୀ ଲାଗିଛି, କେଉଁଠି କିଛି ଅସୁବିଧା ଥିଲେ ତାହା ମରାମତି କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର