ସମାରୀ ଟାଙ୍ଗୁଲଙ୍କ ସଂଘର୍ଷ କାହାଣୀ: ଦିନ ମଜୁରି କରି ପରିବାରକୁ ଆର୍ଥିକ ସହଯୋଗ କରୁଥିଲେ, ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା 

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ, ଅପହଞ୍ଚ, ନକ୍ସଲ ପ୍ରବଣ ଭଳି କେତେ ନାମରେ ନାମିତ ସ୍ବାଭିମାନ ଅଂଚଳ।ଏହି ସ୍ବାଭିମାନ ଅଂଚଳର ଦୁର୍ଗମ ବଡପଡା ଗ୍ରାମର ଜଣେ ଆଦିବାସୀ ଝିଅର ଛୋଟରୁ ବଡ ହେବା ପର୍ଯ୍ୟନ୍ତ କାହାଣୀ ଅତି ଦୁଃଖ ଦାୟକ।ଗାଈ ଚରାଳି, ଦିନ ମଜୁରିଆରୁ ଆଜି ପାହଚ ଚଢି ସିଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଜିଲ୍ଲାରେ ଏବଂ ରାଜ୍ୟରେ ବେଶ ପରିଚିତ ହୋଇପାରିଛନ୍ତି ସମାରୀ ଟାଙ୍ଗୁଲ।ଜଣେ ଆଦିବାସୀ କ୍ଷୁଦ୍ର ଚାଷୀ ପରିବାରରେ ସମାରୀଙ୍କର ଜନ୍ମ।ତିନି ଭଉଣୀ ଏବଂ ଗୋଟିଏ ଭାଇ ସହ ବାପା ମାଙ୍କୁ ନେଇ ପରିବାର।ଅଳ୍ପ ଜମିରେ ଯାହା ଫଳାନ୍ତି ସେଥିରେ ପରିବାର ଚଳେ। ସମାରୀ ବଡ ଭଉଣୀ ହୋଇଥିବାରୁ ପିଲା ବେଳୁ ହିଁ ପରିବାରର ପ୍ରତିପୋଷଣ ପାଇଁ ଘରୁ ପଦାକୁ ପାଦ କାଢନ୍ତି।ପିଲା ବେଳେ ଲୋକଙ୍କର ଗାଈ ଚରାଇବା କାମରେ ନିୟୋଜିତ ହୋଇଥିଲେ। ଗାଈ ଚରାଇବା ସହ ସ୍କୁଲକୁ ଯାଇ ପାଠ ମଧ୍ୟ ପଢୁଥିଲେ।

ବାପା ଓ ମା’ ସମାରୀକୁ ପାଠ ପଢିବା ପାଇଁ ମନା କରୁଥିଲେ। ତୁ ଅନ୍ୟ ଘରକୁ ବାହା ହୋଇ ଚାଲିଯିବୁ। ତୋର ପାଠ ପଢି କଣ ହେବ ବୋଲି ସବୁବେଳେ ବାପା ଓ ମା’ କହୁଥିବା ସମାରୀ କହନ୍ତି। ନବମ, ଦଶମ ଶ୍ରେଣୀ ବେଳକୁ ସେ ଦିନ ମଜୁରିଆ ଭାବେ କାମ ମଧ୍ୟ କଲେ, ଯାହା ରୋଜଗାର ହେଉଥିଲା ପରିବାର ପାଇଁ ଖର୍ଚ୍ଚ କରିଦେଉଥିଲେ।ତିନି ଭଉଣୀ ଏବଂ ଭାଇଙ୍କୁ ବଡ କରିବାରେ ମୋ ବାପାଙ୍କ ଅବଦାନ ବେଶୀ ବୋଲି କହନ୍ତି ସମାରୀ। ଦିନ ଥିଲା ବଡପଡା ନକ୍ସଲଙ୍କର ଗଡ ଥିଲା।ଏଠାରେ ନକ୍ସଲ ନିଜର ହୁକୁମ ଚଳାଉଥିଲେ। ଏହି ଅଂଚଳ ସ୍ବାଧୀନ ହୋଇ ମଧ୍ୟ ପରାଧୀନ ଥିଲା।ଲୋକେ ଅତି ଦୟନୀୟ ଭାବେ ରହୁଥିଲେ।ଦିନେ ଖାଇରେ ଆଉ ଦିନେ ଖାଦ୍ୟ ମିଳିବ କି ନାହିଁ ଜଣାନଥିଲା।

ତେବେ ଅତି ଦୁଃଖର ସହ ବଢିଛନ୍ତି ସମାରୀ। କୁଲି ମଜୁରି କରି ଯାହା ରୋଜଗାର କରନ୍ତି ସେହି ଟଂକାରେ ସେ ବହି କିଣି ପଢନ୍ତି। ଏପରି ଭାବେ ସେ ଯୁକ୍ତ ଦୁଇ ମଧ୍ୟ ପାସ କଲେ।ଜଣେ ପାଠୁଆ ଝିଅ ଭାବେ ଏହି ଅଂଚଳରେ ସେ ବେଶ ପରିଚିତ ହେଲେ। ନିଜେ ପାଠ ପଢିଥିବାରୁ ପାଠର ମହତ୍ବକୁ ସେ ବୁଝିପାରିଲେ। ତେଣୁ ଭାଇକୁ ଏବଂ ଭଉଣୀମାନଙ୍କୁ ମଧ୍ୟ ପାଠ ପଢିବାକୁ ବାଧ୍ୟ କଲେ। ଭାଇ ଏବଂ ମାଲକାନଗିରିରେ ଯୁକ୍ତି ତିନି ପଡୁଥିବା ବେଳେ ଭଉଣୀମାନେ ମଧ୍ୟ ନବଦୋୟରେ ପାଠ ପଢୁଥିବା ସେ କହିନ୍ତି।ଆଜି ଦିନ ମଜୁରିଆରେ ସେ ଏତେ ଉଚ୍ଚ ପଦବିକୁ ପହଞ୍ଚିବେ କେବେ ଭାବିନଥିବା କହନ୍ତି। ମୁଁ ଯେତେ କଷ୍ଟ ସ୍ବୀକାର କରି ଆଜି ଏଠି ପହଞ୍ଚିଛି, ଅନ୍ୟ ଭାଇଭଉଣୀମାନେ ସେତେ କଷ୍ଟ ନପାଆନ୍ତୁ ବୋଲି ମୋର ଇଛା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଗାଁର ସମସ୍ୟାକୁ କିପରି ଦୁର କରିପାରିବି ସେନେଇ ପ୍ରୟାସ କରିବି ବୋଲି ସମାରୀ କହନ୍ତି।ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ମୁଁ ପହଞ୍ଚି ଲୋକଙ୍କ ସେବା କରିବି ବୋଲି ସମାରୀ କହିଥିଲେ। ସ୍ବାଭିମାନ ଅଂଚଳର ବିକାଶ ଜିଲ୍ଲାର ବିକାଶ ରାଜ୍ୟର ବିକାଶ। ମୁଁ ଆଜି ସଫଳ ହେବା ପଛରେ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଦେବା ସହ ମୋର ସ୍ବାଭିମାନ ଅଂଚଳର ଭାଇଭଉଣୀ, ବାବା ଓ ମାଆଙ୍କ ଅବଦାନ ବେଶୀ। ଆଜି ବିଜେଡି ମୋତେ ଚିହ୍ନିପାରି ମୋତେ ଏତେ ବଡ ଗୁରୁଦାୟିତ୍ବ ଦେଇଥିବାରୁ ମୁଁ ଏହାକୁ ସଂପୂର୍ଣ୍ଣ ରୂପେ ସଫଳ କରାଇ ବିଜେଡିର ନାମକୁ ଯଥାର୍ଥ କରିବି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର