ଝାରସୁଗୁଡ଼ା : ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାର ୨ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ଶନିବାର ଝାରସୁଗୁଡ଼ା ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ଏଭଳି ଏକ ସମ୍ବେଦନଶୀଳ ହତ୍ୟା ମାମଲା ପଛରେ କେବଳ ଟଙ୍କା ନା ଅନ୍ୟ କିଛି ଉଦ୍ଦେଶ୍ୟ ରହିଥିଲା ସେନେଇ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଛି। ସେପଟେ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଶନିବାର ଝାରସୁଗୁଡ଼ା ପୁଲିସ ବୁର୍ଲାରୁ ଧରିବା ସହ ତାକୁ ପଚରାଉଚରା ଚଳାଇଛି।

Advertisment

ଅଭିଯୁକ୍ତମାନେ କିଭଳି ଭାବେ ଝାରସୁଗୁଡ଼ାରୁ ସମର୍ଥଙ୍କୁ ଅପହରଣ କରି ବୁର୍ଲା ଆଣିଥିଲେ, ସେଠାରୁ ପୁଣି ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳକୁ ନେଇ ସେଠାରେ ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ, ସେନେଇ ପୁଲିସ ସମ୍ମୁଖରେ ସେମାନେ ସମ୍ପୂର୍ଣ୍ଣ ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛନ୍ତି। ଅଭିଯୁକ୍ତଙ୍କୁ ନେଇ ଝାରସୁଗୁଡ଼ା ପୁଲିସ ଏହି ୩ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ତଦନ୍ତ କରିଛି। ଏହାବାଦ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ସବୁ କେଉଁ କେଉଁ ପ୍ରମାଣକୁ ଅଭିଯୁକ୍ତମାନେ ଲୁଚାଇବାକୁ ଚେଷ୍ଟା କରିଥିଲେ ସେ ଦିଗରେ ବି ପୁଲିସ ତଦନ୍ତ ଚଳାଇଛି। ସମର୍ଥଙ୍କୁ ଝାରସୁଗୁଡ଼ାରୁ ଅପହରଣ କରି ବୁର୍ଲା ଆଣିବା ପରେ ଡାକ୍ତରଖାନା ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ରଖିଥିଲେ। ସମର୍ଥଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାରୁ ପରଦିନ ସକାଳୁ ତାଙ୍କୁ ଡାକ୍ତର ଦେଖାଇବା ପାଇଁ ଆଣିଛନ୍ତି ବୋଲି ଉଭୟ ଅଭିଯୁକ୍ତ ବୁର୍ଲାରୁ ଅଟକ ଅଭିଯୁକ୍ତକୁ କହିଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ମାମଲାଟି କ୍ରାଇମବ୍ରାଞ୍ଚ ନିରୀକ୍ଷଣରେ ଥିବା ବେଳେ ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର ପାଇଁ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଝାରସୁଗୁଡ଼ା ସରବାହାଲ କ୍ରିଷ୍ଣା ଏନ୍‌କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥଙ୍କୁ ଅପହରଣ କରାଯାଇଥିଲା। ପରେ ସମର୍ଥଙ୍କ ମୋବାଇଲରୁ ଫୋନ୍‌ କରି ତାଙ୍କ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍‌ ମାଗିଥିଲା। ପରଦିନ ସକାଳୁ ସମର୍ଥଙ୍କ ଦରପୋଡ଼ା ଶବ ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ଉଦେପୁର- ବଇପୁର ନିକଟରୁ ଉଦ୍ଧାର ହୋଇଥିଲା।