ସମ୍ବଲପୁର: ‘ସମର୍ଥ’ କେନ୍ଦ୍ରରେ ନିର୍ଯାତନା ଓ ଦୁଷ୍କର୍ମ ଘଟଣାରେ ଦେଢ଼ଦିନ ପୁଲିସ ରିମାଣ୍ଡରେ ରହିବା ପରେ ଆଜି ମୁଖ୍ୟଅଭିଯୁକ୍ତ ହରୀଶ ଦାଶ ପୁଣି ଜେଲକୁ ଯାଇଛି। ଏହି ମାମଲାରେ ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ ଅତିରିକ୍ତ ଏସ୍‌ପି ପଚରାଉଚରା କରିଥିବା ନେଇ ଧନୁପାଲି ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସମାଜସେବା ନାଁରେ ହରୀଶ କିଭଳି ଜଣେ ଯୁବତୀର ଅସହାୟତାର ଫାଇଦା ଉଠାଇ ନିର୍ଯାତନା ଦେଇଛି ତା’ର ଲୋମଟାଙ୍କୁରା ଚିତ୍ର ପଦାକୁ ଆସିଛି।

Advertisment

ସମର୍ଥରେ ଅମାନୁଷିକ ନିର୍ଯାତନାର ଭିଡିଓ ଭାଇରାଲ ପରେ ଦୁଷ୍କର୍ମ ଅଭିଯୋଗ ନେଇ ପୁଲିସର ଖୋଳତାଡ଼ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଅଭିଯୁକ୍ତ ହରୀଶ ଦାଶର ଡାକ୍ତରୀ ମାଇନା କରାଯିବା ସହିତ ଡିଏନ୍‌ଏ ସଂଗ୍ରହ କରାଯାଇଛି। ଦୁଷ୍କର୍ମ ଅଭିଯୋଗକୁ ନେଇ ହରୀଶ ପୁଲିସଠାରେ କ’ଣ ବୟାନ ଦେଇଛି ଜଣାପଡ଼ି ନାହିଁ। ତେବେ ପୀଡ଼ିତାଙ୍କ ଲୋମଟଙ୍କୁରା ବୟାନକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମାତ୍ର ୪ ମାସ ପୂର୍ବରୁ ସଂପୃକ୍ତ ପୀଡ଼ିତାଙ୍କୁ ସମର୍ଥ କେନ୍ଦ୍ରକୁ ଅଣାଯାଇ ଥିଲା। ଆସିବା ଦିନ ଠାରୁ ତାଙ୍କୁ ନିଦ ବଟିକା ଖୁଆଇ ରଖାଯାଉଥିଲା। ୨ ମାସ ପର୍ଯ୍ୟନ୍ତ ସେ ପ୍ରାୟ ଅଧିକାଂଶ ସମୟରେ ଶୋଇ ରହୁଥିଲେ। ଏହି ସମୟରେ ହରୀଶ ତାଙ୍କ ସହିତ ଦୁଷ୍କର୍ମ କରୁଥିଲା। ଏପରିକି ପରବର୍ତ୍ତୀ ସମୟରେ ସମ୍ଭବତଃ ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କୁ ପୁନର୍ବାର ଔଷଧ ଖୁଆ ଯାଇଥିଲା। ଏହି ସମସ୍ତ କାର୍ଯ୍ୟରେ ହରୀଶକୁ ସ୍ବାଗତିକା ସବୁ ପ୍ରକାର ସହାୟତା କରୁଥିଲା। କୌଣସି କଥାକୁ ବିରୋଧ କଲେ ଅନ୍ତେବାସୀଙ୍କୁ ହରୀଶ ଓ ସ୍ବାଗତିକା ମାରପିଟ୍‌ କରୁଥିଲେ। ବିଶେଷ କରି ଗାଧୋଇବା ସମୟରେ ତାଙ୍କ ସହିତ ଯେଉଁଭଳି ବ୍ୟବହାର କରାଯାଉଥିଲା ତାହା ଅତି ଅପମାନଜନକ।

ମିଳିଲା ହରୀଶର ବ୍ୟାଙ୍କ ଆକାଉଣ୍ଟ
ରିମାଣ୍ଡ ଅବଧି ପରେ ଜେଲ୍‌ ଗଲା

ତାହା ସମ୍ଭାଳି ହେଉନଥିଲା ବୋଲି ପୀଡ଼ିତା କହିଛନ୍ତି। ପୀଡ଼ିତାଙ୍କ ମାନସିକ ସ୍ଥିତି ନେଇ ଡାକ୍ତର ପରୀକ୍ଷା କରିଛନ୍ତି। ଅନ୍ୟମାନଙ୍କ ତୁଳନାରେ ତାଙ୍କର ମାନସିକ ସ୍ଥିତି ସ୍ଥିର ରହିଛି। ତେଣୁ ତାଙ୍କୁ ଘରକୁ ପଠାଇବା ପାଇଁ ପ୍ରଶାସନ ଚିନ୍ତା କରୁଛି। ଝିଅଟି ମଧ୍ୟ ନିଜଘରକୁ ଫେରିଯିବାକୁ ଚାହୁଛନ୍ତି। ମାତ୍ର ପରିବାର ତାଙ୍କୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ଏଭଳି ସ୍ଥିତିରେ ଝିଅଟି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି। ଯୁବା ବୟସରେ ମାନସିକ ରୋଗୀଙ୍କ ଗହଣରେ କେତେ ଦିନ ସେ ରହିପାରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମାଜସେବା ନାମରେ ଜଣେ ଯୁବତୀଙ୍କ ଅସହାୟତାର ଫାଇଦା ହରୀଶ କିଭଳି ଉଠାଇଛି ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି। ତାଙ୍କ ମାନସିକ ସ୍ଥିତି ଅନେକ ସମୟରେ ସ୍ବାଭାବିକ ରହୁଥିବାରୁ ସେ ନିର୍ଯାତନା ବିଷୟରେ ଜାଣି ପାରିଥିଲେ।  ଅନ୍ୟ ମାନସିକ ରୋଗୀଙ୍କ ସହିତ ମଧ୍ୟ ହରୀଶ ଏହିଭଳି ଆଚରଣ ପ୍ରଦର୍ଶନ କରିଥିବା ସନ୍ଦେହ କରାଯାଉଛି। ଏହି କେନ୍ଦ୍ରରେ ଆଉ କେଉଁ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି ସେନେଇ ମଧ୍ୟ ପୁଲିସ ଖୋଳତାଡ଼ କରିଛି। ଆଜି ହରୀଶର ପିଏନ୍‌ବି ଆକାଉଣ୍ଟ ନମ୍ବର ପୁଲିସ ପାଇଛି। ସେଥିରେ କେତେ ଟଙ୍କାର ଆର୍ଥିକ କାରବାର ହୋଇଛି ଆସନ୍ତାକାଲି ଜଣାପଡ଼ିବ। ହରୀଶର ଏହି ଆପରାଧିକ କାର୍ଯ୍ୟରେ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଭୂମିକାକୁ ନେଇ ନେଇ ତଦନ୍ତ କରାଯାଉ ବୋଲି ମତ ପ୍ରକାଶ ପାଉଛି।