ଗଣମାଧ୍ୟମ ପାଇଁ ସାର୍ବଜନୀନ ଆଚାର ସଂହିତା ଲୋଡ଼ା: ରାଜ୍ୟପାଳ

‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ 

ଭୁବନେଶ୍ୱର : କ୍ରୌଞ୍ଚର କ୍ରନ୍ଦନ, ଡ୍ରାଗନର ହୁଂକାରକୁ ଓଁକାରରେ ପରିଣତ କରିବା ହେଉଛି ସାମ୍ବାଦିକମାନଙ୍କର କାମ। ସାମ୍ବାଦିକତା ହେଉଛି, ମାନବିକତାର ପ୍ରଶ୍ୱାସ ଓ ନିଶ୍ୱାସ। ବ୍ୟକ୍ତିର ସ୍ୱାଧୀନତା ଓ ମର୍ଯ୍ୟାଦା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଣୁ ଗଣମାଧ୍ୟମ ପାଇଁ ସାର୍ବଜନୀନ ଆଚାର ସଂହିତା ରହିବା ଦରକାର। ଆଜି ଜୟଦେବ ଭବନରେ ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଭଳି ପରାମର୍ଶ ଦେଇଛନ୍ତି। କେବଳ ସେତିକି ନୁେହଁ, ରାଜ୍ୟପାଳ ଏକଥା ବି କହିଛନ୍ତି, ସମଗ୍ର ପୃଥିବୀ ସହିତ ବ୍ୟକ୍ତି ଓ ସମାଜର ସଂପୃକ୍ତି ରହିଛି।  ଏଣୁ ଏହାକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ସକରାତ୍ମକ ଓ ଗଠନମୂଳକ ଆଭିମୁଖ୍ୟ ସହ କାର୍ଯ୍ୟ କରିବା ଦରକାର।

ଅନ୍ୟପକ୍ଷରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଂରାଜି ଦୈନିକ ‘ହିନ୍ଦୁ’ର ପୂର୍ବତନ ସଂପାଦକ ତଥା ‘ଦ ୱାୟାର’ର ପ୍ରତିଷ୍ଠାତା ସଂପାଦକ ବିଖ୍ୟାତ ସାମ୍ବାଦିକ ସିଦ୍ଧାର୍ଥ ବରଦରାଜନ୍‌ ବର୍ତମାନ ସମୟରେ ସମସ୍ତ ପ୍ରତିକୂଳ ପରିସ୍ଥିତିର ଚିତ୍ର ରଖି ଗଣମାଧ୍ୟମ ଉପରେ ଥିବା ଚାପ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ଏହି ସମୟ ହିଁ ଦକ୍ଷ ସାମ୍ବାଦିକଙ୍କ ପାଇଁ କାମ କରିବା ଲାଗି ପ୍ରକୃଷ୍ଟ ସମୟ ବୋଲି କହିଥିଲେ।

ପ୍ରତିକୂଳ ସମୟ ହିଁ ସାମ୍ବାଦିକତା ପାଇଁ ପ୍ରକୃଷ୍ଟ ସମୟ: ସିଦ୍ଧାର୍ଥ ବରଦରାଜନ୍‌

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ, ଯେତେ ବାଧା ପ୍ରତିବନ୍ଧକ ଆସିଲେ ବି ଗଣମାଧ୍ୟମ ତା’ର ଦାୟିତ୍ବରୁ ହଟିବା କଥା ନୁହେଁ। ଗଣମାଧ୍ୟମ ସଂସ୍ଥା ସମ୍ବାଦ ପରିବେଷଣ କରିବା ସମୟରେ ବିଶ୍ୱସନୀୟତା ଓ ସଠିକତା ମଧ୍ୟରେ ରହସ୍ୟମୟ ସନ୍ଧି କରିବା ଦରକାର। ଲୋକଙ୍କ ନିକଟରେ ଠିକ୍ ସମ୍ବାଦ ପହଞ୍ଚାଇବାକୁ ହେଲେ ଗଣମାଧ୍ୟମର ସ୍ୱତନ୍ତ୍ରତା ଓ ଗରିମା ବଜାୟ ରହିବା ମଧ୍ୟ ଉଚିତ୍।

ସଂସଦ ଓ ବିଧାନସଭା ସଂପର୍କରେ ସୂଚାଇ ରାଜ୍ୟପାଳ କହିଥିଲେ, ବିଧାୟକମାନେ ନିଜ ପଦ ମର୍ଯ୍ୟାଦାର ଗୁରୁତ୍ବବହନ କରିବା ସହ ଲୋକଙ୍କ ପାଇଁ କହିବାକୁ ଯେଉଁ ସୁଯୋଗ ପାଇଛନ୍ତି ତା’ର ସଦୁପଯୋଗ କରିବା ଦରକାର। ସତ ଏକ ଆବଦ୍ଧ ଡବା ନୁହେଁ, ତୁମେ ଯଦି ଏହାକୁ ପଦାକୁ ଆଣିବାକୁ ଉଦ୍ୟମ ଜାରି ରଖିବ ତେବେ ଦିନେ ନା ଦିନେ ଏହା ତଥ୍ୟ ସହ ପଦାକୁ ଆସିବ। ଗଣମାଧ୍ୟମ ସଂସ୍ଥା ଏହାକୁ ନଜରରେ ରଖି ଖବର ପରିବେଷଣ କରିବା ଦରକାର ବୋଲି ରାଜ୍ୟପାଳ କହିଥିଲେ।

ବିଖ୍ୟାତ ସାମ୍ବାଦିକ ଶ୍ରୀ ସିଦ୍ଧାର୍ଥ ବରଦରାଜନ୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଭାରତୀୟ ଗଣମାଧ୍ୟମ ଏବେ ତା’ର କାର୍ଯ୍ୟ ଯେମିତି କରିବା କଥା ସେମିତି କରୁନାହିଁ। ଗଣତନ୍ତ୍ରରେ ମତଦାତାମାନେ ଭୋଟ୍ ଦେଇ ୫ବର୍ଷ ପାଇଁ ସରକାର, ଜନପ୍ରତିନିଧି ବାଛିଛନ୍ତି। ଗଣମାଧ୍ୟମର କାର୍ଯ୍ୟ ହେଉଛି ପ୍ରତ୍ୟେକ ଦିନ ଏହି ସରକାର, ଜନପ୍ରତିନିଧିଙ୍କର ସତ୍ୟତା, ସଫଳତା ଓ ବିଫଳତାର କାହାଣୀକୁ ଅନୁସନ୍ଧାନ କରି ପଦାକୁ ଆଣିବା। ଗଣତନ୍ତ୍ରକୁ ବଞ୍ଚାଇ ରଖିବା କାର୍ଯ୍ୟ ଗଣମାଧ୍ୟମର। ଦେଶରେ, ରାଜ୍ୟରେ ଯାହା ବି ଠିକ୍ ଘଟୁନି ତାହା ଗଣମାଧ୍ୟମ ଲୋକଲୋଚନକୁ ଆଣୁ। କିଏ କେଉଁଥିପାଇଁ ଦାୟୀ ତାହା ସର୍ବସାଧାରଣ ଜାଣିବା ଦରକାର। ଦେଶର ପ୍ରଶାସନିକ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବିଡମ୍ବନାର ବିଷୟ ଏବେ ଦେଶରେ ସାମ୍ବାଦିକମାନଙ୍କୁ ଅନ୍ୟମାନେ ସାମ୍ବାଦିକତା କ’ଣ ଶିଖାଉଛନ୍ତି। ସାମ୍ବାଦିକମାନେ ଏବେ ଭୁଲ୍ ସମୟରେ ଭୁଲ୍ ମଣିଷ ହୋଇଯାଇଛନ୍ତି। ଏଠାରେ ଯିଏ ସରକାରକୁ ପ୍ରଶଂସା ନ କରୁଛି, ସରକାର ବିରୋଧରେ ଖବର ପରିବେଷଣ କରୁଛି, ସେ ନକରାତ୍ମକ ସମ୍ବାଦ ପରିବେଷଣ କରୁଛି ବୋଲି କୁହାଯାଉଛି। ସେ ଆହୁରି କହିଲେ ଯେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଦେଶରେ ଥିବା ବେରୋଜଗାରୀ, ଦାରିଦ୍ର୍ୟ ଠାରୁ ଆରମ୍ଭ କରି ପ୍ରତି ଦିନ ଦେଖାଯାଉଥିବା ପ୍ରକୃତ ସମସ୍ୟାକୁ ଠିକ୍ ଭାବେ ପରିବେଷଣ କରୁ ନାହାନ୍ତି। ଅନ୍ୟପକ୍ଷରେ ସରକାର ପାଇଁ କ’ଣ ପ୍ରତିବନ୍ଧକ ସାଜୁଛି, କେଉଁ ପ୍ରସଙ୍ଗ ଉଠାଇଲେ ପ୍ରକୃତ ସମସ୍ୟାକୁ ଲୁଚାଇ ହେବ ତାହା ଉପରେ ଅଧିକ ଖବର ପ୍ରସାର କରୁଛନ୍ତି। ଯିଏ ଏଥିରୁ ଭିନ୍ନ ହେଉଛି ସେ କଳା ତାଲିକାଭୁକ୍ତ ହୋଇଯାଉଛି। ଗଣମାଧ୍ୟମ ଏବେ ପ୍ରବଳ ଚାପରେ ଅଛି, ଏଥିରୁ ମୁକୁଳିବା ଦରକାର ବୋଲି ଶ୍ରୀ ବରଦରାଜନ୍ କହିଥିଲେ।

ଉଦାହରଣ ଛଳରେ ରାଫେଲ ପ୍ରସଙ୍ଗ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଗୋରଖପୁର ‌ମେଡିକାଲ ଶିଶୁମୃତ୍ୟୁ, କଶ୍ମୀର ଫଟୋ ସାମ୍ବାଦିକଙ୍କୁ ଗିରଫ ମାମଲାରେ ଏନଆଇଏର ସତ୍ୟପାଠ କଥା ଉଠାଇ ଶ୍ରୀ ବରଦରାଜନ କେତେକ ଗଣମାଧ୍ୟମର ଭୂମିକା ସଂପର୍କରେ ଅବତାରଣା କରିଥିଲେ।  ସେ କହିଥିଲେ ‌ଯେ ଏଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଟିଭି ଚାନେଲର ପ୍ରାଇମ ଟାଇମରେ ଏହା ସ୍ଥାନ ପାଇ ନଥିଲା କିମ୍ବା ଅନେକ ସମ୍ବାଦପତ୍ର ଏହାକୁ ପ୍ରଥମ ପୃଷ୍ଠାର ଖବର ବୋଲି ଉଚିତ ମଣିନଥିଲେ। ସେହିଭଳି ଏକ ନିର୍ଦିଷ୍ଟ ସଂସ୍ଥାର ବରିଷ୍ଠ ଆଙ୍କରକୁ କିଭଳି ବିଦା ହେବାକୁ ପଡିଲା, ଚାପ କେଉଁ ପର୍ଯ୍ୟନ୍ତ ପହଞ୍ଚିଲାଣି ସେ ନେଇ ମଧ୍ୟ ମତ ରଖିଥିଲେ।

ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ ଯେ, ରାଜନୈତିକ ବ୍ୟକ୍ତିିମାନେ ଖବରକାଗଜ ବାହାର କଲେ ତା’ର ବହୁ ଜଲ୍‌ଦି ଅପମୃତ୍ୟୁ ହୁଏ ବୋଲି ସମସ୍ତେ କୁହନ୍ତି। ଏହାମଧ୍ୟ ଅନେକ କ୍ଷେତ୍ରରେ ପ୍ରମାଣିତ ହୋଇଛି। କିନ୍ତୁ ‘ସମ୍ବାଦ’ ୩୪ବର୍ଷ ହେଲା  ବହୁ ବାଧା ପ୍ରତିବନ୍ଧ ଦେଇ ଗତି କରିଥିଲେ ହେଁ ମୁଁ ଏହାର ଅପମୃତ୍ୟୁ ହେବାକୁ ଦେଇନାହିଁ କି ଦେବି ନାହିଁ। ଗୋଟିଏ କ୍ଷମତାସୀନ ଦଳ, ବିରୋଧୀ ଦଳ ଏବଂ ବିନା ଦଳରେ ରହି ଖବର କାଗଜ ପ୍ରକାଶ କରିବା ଅନୁଭୂତି ମୋର ଅଛି। ବିରୋଧୀ ଦଳରେ ରହି ଖବରକାଗଜକୁ ସଫଳତା ଆଣିବ‌ା ସହଜ, କ୍ଷମତାସୀନ ଦଳରେ ଏହି ଧାରା ବଜାୟ ରଖିବା କଷ୍ଟକର। ମୁଁ ଏବେ ଏକ କ୍ଷମତାସୀନ ଦଳରେ ଥିଲେ ବି କେବେ ଖବର ପରିବେଷଣରେ ଦଳ ବାଧକ ସାଜିନି କି ସାଜିବନି। ମୋ ଉପସ୍ଥିତି କ୍ଷମତାସୀନ ଦଳକୁ ଅଧିକ ସଂସ୍କାର ଓ ମାର୍ଜିତ କରିବ। ମୁଁ ଗୁଣ୍ଡୁଚିମୂଷା ଭଳି ଦଳରେ ରହି ଏହା କରିବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ‘ସମ୍ବାଦ’ର ସଫଳତାର କାହାଣୀ କହିବା ସହ ‘ସମ୍ବାଦ’କୁ ଏକ ନମ୍ବର କରିବା ପାଇଁ ସମସ୍ତ ପାଠକଙ୍କୁ ଧନ୍ୟବାଦ ଦେଇଥିଲେ।  ସମ୍ବାଦର ସମ୍ପାଦକ (ଫିଚର୍) ଗୌରହରି ଦାସ ଅତିଥି ପରିଚୟ ଦେବା ସହ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ଅତିଥିମାନେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କକୁ ଲୋକାର୍ପଣ କରିଥିଲେ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥି‌େଲ। ଏହାସହ ‘ସମ୍ବାଦ’- ‘ଆମ ଓଡ଼ିଶା ଚାରିଟେବଲ୍ ଟ୍ରଷ୍ଟ’ ଛାତ୍ରବୃତ୍ତି ଯୋଜନା-୨୦୧୮ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୩୦ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ରାଶି ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଆଶା ମୁକୁଲ ବାରିକ ଓ ସାଥୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର