ଭୁବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଉପଲକ୍ଷେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ପ୍ରଥମ ଥର ଲାଗି ଅନ୍ଲାଇନ୍ରେ କରାଯାଇଥିବା ଏହି ପ୍ରତିଯୋଗିତାରେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନଲାଇନରେ ଏହି ପ୍ରତିଯୋଗିତା ହୋଇଥିବାରୁ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିଥିଲେ।
ଆଜି କେବଳ କୁଇଜ୍ ପ୍ରତିଯୋଗିତା ଅନ୍ଲାଇନ୍ରେ ହୋଇଥିବା ବେଳେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ୍ରେ ଆୟୋଜିତ ହୋଇଥିଲା। ଯେଉଁମାନେ ଚିତ୍ରାଙ୍କନ ଏବଂ ହସ୍ତାକ୍ଷର ପ୍ରତିଯୋଗିତାରେ ଅନଲାଇନରେ ଭାଗ ନେଇ ପାରି ନ ଥିଲେ ସେମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେଇ ‘ସମ୍ବାଦ’ କୁପନ ସହିତ ଡ୍ରଇଂ/ହସ୍ତାକ୍ଷର ସିଟ୍ ଯୋଡ଼ି ନିକଟବର୍ତୀ ‘ସମ୍ବାଦ’ ଡ୍ରପ୍ ବକ୍ସରେ ପକାଇଥିଲେ। ଏଥିରେ ପିଲାମାନଙ୍କୁ ସେମାନଙ୍କର ସଂପର୍କୀୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା କରିଥିଲେ।
ଏହି ତିନିଟି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ତିନି ତିନି ଜଣଙ୍କୁ ଚୟନ କରିବାର ପ୍ରକ୍ରିୟା ଜାରି ରହିଛି। କୁଇଜ୍କୁ ଛାଡ଼ି ଚିତ୍ରାଙ୍କନ ଏବଂ ହସ୍ତାକ୍ଷରର ଜିଲ୍ଲାସ୍ତରରେ ଶ୍ରେଷ୍ଠ ବିବେଚିତ କୃତୀଗୁଡ଼ିକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯିବ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ। ଅନ୍ୟପକ୍ଷରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ୨୭ ତାରିଖରେ ଆୟୋଜନ କରାଯିବ।
କରୋନାଜିନତ କଠିନ ପରିସ୍ଥିତି ମଧ୍ୟରେ ଆଜିର ପ୍ରତିଯୋଗିତାକୁ ଯେଉଁଭଳି ଅଭୂତପୂର୍ବ ସଫଳତା ମିଳିଲା ସେଥିପାଇଁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ‘ସମ୍ବାଦ’ର ପାଠକପାଠିକାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଅନ୍ଲାଇନ୍ ପରୀକ୍ଷା ପାଇଁ ପ୍ରତିଯୋଗୀ ଏବଂ ସେମାନଙ୍କ ଅଭିଭାବକମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି ତାହା ପ୍ରଶଂସନୀୟ। ଏହା ଆମକୁ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହାୟକ ହେବ। ଆଜିର ପ୍ରତିଯୋଗିତାକୁ ସଫଳ କରିବାରେ ଆମର ପାଠକ ଓ ଶୁଭେଚ୍ଛୁମାନେ ମଧ୍ୟ ସହଯୋଗ କରିଛନ୍ତି। ସେମାନଙ୍କ ବିନା ସହଯୋଗରେ ଏଭଳି ସଫଳତା ଅସମ୍ଭବ ଥିଲା। ଏଥିପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।