‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା : ପ୍ରକାଶ ପାଇଲା ଚୂଡ଼ାନ୍ତ ଫଳାଫଳ

ଅନ୍‌ଲାଇନ୍‌ ପ୍ରତିଯୋଗିତାକୁ ଅଭୂତପୂର୍ବ ସଫଳତା, ଅଭିନନ୍ଦନ ଜଣାଇଲେ ସୌମ୍ୟରଞ୍ଜନ

ଭୁ‌ବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଉପଲକ୍ଷେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଫଳାଫଳ ଆଜି ପ୍ରକାଶ ପାଇଛି। ଚିତ୍ରାଙ୍କନରେ ସାନଭି କର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହସ୍ତାକ୍ଷରରେ ସଂଜ୍ଞାସା ମହାପାତ୍ର, କୁଇଜ୍‌ରେ ବିସ୍ମିତା ପଣ୍ଡା, ସାରେଗାମାରେ ସ୍ମରଣିକା ତ୍ରିପାଠୀ ଏବଂ ବିତର୍କରେ ପ୍ରେରଣା ଜେନା ପ୍ରଥମ ହୋଇଛନ୍ତି।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ରାଶି ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା, ଦ୍ବିତୀୟ ସ୍ଥ‌ାନ ପାଇଁ ୭୫୦୦ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ସେହିଭଳି ଜିଲ୍ଲା ଓ ଜୋନସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧ ହଜାର ଟଙ୍କା, ୭୫୦ ଟଙ୍କା ଏବଂ ୫୦୦ ଟଙ୍କା ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ। ଏ ସଂପର୍କରେ ଅଧିକ ସୂଚନା ଖୁବଶୀଘ୍ର ପ୍ରକାଶ ପାଇବ।

ସଫଳ ପ୍ରତିଯୋଗୀମାନଙ୍କୁ ଆମ ଓଡ଼ିଶା ଅଧ୍ୟକ୍ଷ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ ପ୍ରଥମ ଥର ଲାଗି ଅନଲାଇନରେ ହୋଇଥିବା ଏହି ପ୍ରତିଯୋଗିତାକୁ ଉଲ୍ଲେଖନୀୟ ସଫଳତା ମିଳିଛି ଏବଂ ଏଥିପାଇଁ ସେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପାଠକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ପ୍ରଥମ ଥର ଲାଗି ସମ୍ବାଦ ପକ୍ଷରୁ ଅନ୍‌ଲାଇନ୍‌ରେ କରାଯାଇଥିବା ଏହି ପ୍ରତି‌ଯୋଗିତାକୁ ଅଭୂତପୂର୍ବ ସଫଳତା ମିଳିଥିଲା। ବିତର୍କ, ସା‌େରଗାମା ଓ କୁଇଜ୍ ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ହୋଇଥିବା ବେଳେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ରେ ଆୟୋଜିତ ହୋଇଥିଲା। ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଏହିସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରକ୍ରିୟାରେ ସାମିଲ ହେବା ଲାଗି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନେ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କ ମୂଲ୍ୟାୟନ କରିଥିଲେ।

ଏହି ପ୍ରତିଯୋଗିତା ଲାଗି ଗତ ୫ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨ ତାରିଖରେ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଗତ ୨୭ ତାରିଖରେ ରାଜ୍ୟସ୍ତରୀୟ ତଥା ଚୂଡ଼ାନ୍ତ ପ୍ରତିଯୋଗିତା ହୋଇଥିଲା। ସୂଚନାଯୋଗ୍ୟ ଯେ ‘ସମ୍ବାଦ’ର ଏହି ବାର୍ଷିକ ପ୍ରତିଯୋଗିତାରେ ଭାଗ ନେବାଲାଗି ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିଥିଲା। ପ୍ରତିଯୋଗିତାରେ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌, ବିତର୍କ ଓ ସାରେଗାମାକୁ ସାମିଲ କରାଯାଇଥିଲା।।

ଏସଂପର୍କରେ ଅଧିକ ସୂଚନା ଲାଗି ନିୟମିତ ‘ସମ୍ବାଦ’ ପଢ଼ିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର