ଅନ୍‌ଲାଇନ୍‌ରେ ହେବ ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା

ସେପ୍ଟେମ୍ବର ୧୨ରେ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌ ପ୍ରତିଯୋଗିତା, ୧୯ରେ ପ୍ରାରମ୍ଭିକ,୨୭ରେ ଚୂଡ଼ାନ୍ତ ପର୍ଯ୍ୟାୟ ବିତର୍କ ଓ ସାରେଗାମା

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର
ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍‌
କଲେଜ, ବିଶ୍ବବିଦ୍ୟାଳୟ ପାଇଁ ବିତର୍କ, ସାରେଗାମା

ଭୁବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌, ବିତର୍କ ଓ ସାରେଗାମା ଆଦି ପ୍ରତିଯୋଗିତା ଚଳିତ ବର୍ଷ କୋଭିଡ୍‌ ପରିସ୍ଥିତି ଦୃଷ୍ଟିରୁ ଅନ୍‌ଲାଇନ୍‌ରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀମାନେ ଘରେ ବସି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପୁରସ୍କାର ଜିତିବାର ସୁଯୋଗ ପାଇବେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହସ୍ତାକ୍ଷର, ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି କୁଇଜ୍‌ ପ୍ରତିଯୋଗିତା ସେପ୍ଟେମ୍ବର ୧୨ ତାରିଖରେ ହେବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ସେପ୍ଟେମ୍ବର ୧୯ ତାରିଖରେ ହେବ। ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସେପ୍ଟେମ୍ବର ୨୭ ତାରିଖରେ ହେବ। ଏଥିଲାଗି ପ୍ରତିଯୋଗୀମାନଙ୍କୁ ପ୍ରଥମେ http://competition.sambad.in ଲିଙ୍କ୍‌ରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ।

ଚିତ୍ରାଙ୍କନ ପ୍ରତିଯୋଗୀମାନେ ରେଜିଷ୍ଟ୍ରେସନ ପରେ ପ୍ରଦତ୍ତ ବିଷୟବସ୍ତୁକୁ ନେଇ ଏକ ଏ୪ ସାଇଜ୍‌ ଡ୍ରଇଂ ସିଟ୍‌ରେ ଚିତ୍ର ଅଙ୍କନ କରିବା ସହ ଏହାକୁ ଅପରାହ୍ଣ ୩ଟା ମଧ୍ୟରେ ଅପଲୋଡ୍‌ କରିବେ। ଯେଉଁମାନଙ୍କ ନିକଟରେ ଅନ୍‌ଲାଇନ୍‌ ଅପଲୋଡ୍‌ ସୁବିଧା ନଥିବ ସେମାନେ ଏ୪ ସିଟ୍‌ରେ ଚିତ୍ର ଆଙ୍କିବା ପରେ ‘ସମ୍ବାଦ’ରେ ସେହିଦିନ ପ୍ରକାଶିତ ପ୍ରତିଯୋଗିତା କୁପନ୍‌କୁ ଉକ୍ତ ଚିତ୍ରାଙ୍କନ ସିଟ୍‌ରେ ଲଗାଇ ନିକଟସ୍ଥ ‘ସମ୍ବାଦ’ ଡ୍ରପ୍‌ ବକ୍ସରେ ଏହାକୁ ଅପରାହ୍ଣ ୪ଟା ମଧ୍ୟରେ ପକାଇ ପାରିବେ। ସେହିପରି ହସ୍ତାକ୍ଷର ପରୀକ୍ଷାର୍ଥୀ ସେହିଦିନ ଅପରାହ୍ଣ ୩ଟା ସୁଦ୍ଧା ନିଜର ଏ୪ ଉତ୍ତର ସିଟ୍‌ ଅନ୍‌ଲାଇନ୍‌ରେ ଅପଲୋଡ୍‌ କରିପାରିବେ। ନଚେତ ଅପରାହ୍ଣ ୪ଟା ମଧ୍ୟରେ ‘ସମ୍ବାଦ’ ଡ୍ରପ୍‌ ବକ୍ସରେ ପକାଇ ପାରିବେ। କୁଇଜ୍‌ ପ୍ରତିଯୋଗିତା କେବଳ ଅନ୍‌ଲାଇନ୍‌ରେ ହିଁ ହେବ। ସେହିପରି ବିତର୍କ ପ୍ରତିଯୋଗୀମାନେ ପ୍ରାରମ୍ଭିକ ପ୍ରତିଯୋଗିତା ପାଇଁ ପ୍ରଦତ୍ତ ବିଷୟବସ୍ତୁ ଉପରେ ନିଜର ୩ ମିନିଟ୍‌ର ଭିଡିଓ କ୍ଲିପ୍‌ ୧୯ ତାରିଖ ଅପରାହ୍ଣ ୩ଟା ସୁଦ୍ଧା ଅପଲୋଡ୍‌ କରିବେ। ସାରେଗାମା ପାଇଁ ଗୋଟିଏ ମୁଖଡ଼ା ଓ ଅନ୍ତରା କିମ୍ବା ସର୍ବାଧିକ ୩ ମିନିଟ୍‌ର ଭିଡିଓ କ୍ଲିପ୍‌ ଅପରାହ୍ଣ ୩ଟା ସୁଦ୍ଧା ଅପ୍‌ଲୋଡ୍‌ କରିବେ। କୌଣସି ପ୍ରକାର ମ୍ୟୁଜିକ୍‌ ଆପ୍‌ ବ୍ୟବହାର କରିବେ ନାହିଁ। ବିତର୍କ ଓ ସାରେଗାମା ପ୍ରତିଯୋଗିତାର ଚୂଡ଼ାନ୍ତ ରାଉଣ୍ଡ ସେପ୍ଟେମ୍ବର ୨୭ ତାରିଖରେ ହେବ।

ଚଳିତ ବର୍ଷ ଏହିସବୁ ପ୍ରତିଯୋଗିତା ପାଇଁ ପ୍ରଥମ ପୁରସ୍କାର ୧୦,୦୦୦ ଟଙ୍କା, ଦ୍ବିତୀୟ ପୁରସ୍କାର ୭୫୦୦ ଟଙ୍କା ଓ ତୃତୀୟ ପୁରସ୍କାର ୫୦୦୦ ଟଙ୍କା ରଖାଯାଇଛି। ‘ସମ୍ବାଦ’ର ୭ମ ପୃଷ୍ଠାରେ ଏହି ପ୍ରତ‌ିଯୋଗିତା ସଂପର୍କରେ ଆଜି ବିଜ୍ଞାପନ ପ୍ରକାଶ ପାଇଛି। ଆଗକୁ ମଧ୍ୟ ଏ ସଂପର୍କରେ ଅଧିକ ସୂଚନା ପ୍ରଦାନ କରାଯିବ। ଏ ନେଇ ନିଜ ଜିଲ୍ଲା ଓ ବ୍ଲକ ଅଞ୍ଚଳରେ ଥିବା ‘ସମ୍ବାଦ’ କାର୍ଯ୍ୟାଳୟ କିମ୍ବା ସମ୍ବାଦ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। ଏହି ପ୍ରତିନିଧିମାନଙ୍କ ମୋବାଇଲ ନମ୍ବର ମଧ୍ୟ ‘ସମ୍ବାଦ’ ପୃଷ୍ଠାରେ ପ୍ରକାଶ ପାଉଛି। ଏଥିଲାଗି ନିୟମିତ ସମ୍ବାଦ ପଢ଼ିବାକୁ ଅନୁରୋଧ।

ସମ୍ବନ୍ଧିତ ଖବର