ଭୁବନେଶ୍ବର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ୯ଟି ଜୋନ୍ର ୫୭୦ଟି ପରୀକ୍ଷା କେନ୍ଦ୍ରରେ ୧ଲକ୍ଷ ୭୧ହଜାର ୧୩୫ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତି ବିଭାଗର ଶ୍ରେଷ୍ଠ ତିନି ଜଣଙ୍କ ନାମ ଘୋଷଣା କରାଯାଇଛି। ଏହି କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୪ ତାରିଖରେ ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।
ରାଜ୍ୟସ୍ତରୀୟ ବିଜେତା ଘୋଷଣା
ଚିତ୍ରାଙ୍କନରେ ରୋନିତ୍, ହସ୍ତାକ୍ଷରରେ ସ୍ମୃତିରାଣୀ, ଭାଷାଜ୍ଞାନରେ ଅରୋଶ୍ରୀ ପ୍ରଥମ
ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଚିତ୍ରାଙ୍କନରେ ସମ୍ବଲପୁରଜିଲ୍ଲା ଧାନକଉଡ଼ାସ୍ଥିତ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ରୋନିତ୍ ସିଂହ ପ୍ରଥମ ହୋଇଛନ୍ତି। କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଲେହକ ନାୟକ ଦ୍ବିତୀୟ ଓ ରାୟଗଡ଼ା ସହରରେ ଥିବା ସେଣ୍ଟ ଜାଭିଅର ହାଇସ୍କୁଲର ପଞ୍ଚମ ଶ୍ରେଣୀର ସିନୁ କୁମାର ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷର ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ପାଇକଯମୁନାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ମୃତିରାଣୀ ସ୍ବାଇଁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଭୁବନେଶ୍ବର ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଈଶ୍ବରୀ ପ୍ରଧାନ ଦ୍ବିତୀୟ ଓ ବଲାଙ୍ଗୀର ଜିଲ୍ଲା ଲୋଇସିଂହାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଷ୍ଟମ ଶ୍ରେଣୀ ଛାତ୍ରୀ ବର୍ଣ୍ଣାଳୀ ବେହେରା ତୃତୀୟ ହୋଇଛନ୍ତି। ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ବାଲେଶ୍ବର ଜିଲ୍ଲା ବାଲିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀର ଅରୋଶ୍ରୀ ପ୍ରଧାନ ପ୍ରଥମ, ସୁବର୍ଣ୍ଣପୁର ଜିଲ୍ଲା ବିନିକାସ୍ଥିତ ସେବା ଏକାଡେମୀର ନବମ ଶ୍ରେଣୀର ଶିଖା ସାହୁ ଦ୍ବିତୀୟ ଓ ପୁରୀ ଜିଲ୍ଲା କଣାସ ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ରୁଦ୍ରପ୍ରସାଦ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ରାଜ୍ୟର ସବୁ କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାର ପ୍ରତି ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ଡଳୀ ଆଜି ପୁନଃମୂଲ୍ୟାୟନ କରିବା ପରେ ଏହି ରାଜ୍ୟସ୍ତରୀୟ ବିଜେତାଙ୍କ ନାମ ଘୋଷଣା ହୋଇଛି। ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ଲଲିତକଳା ଏକାଡେମୀ, ଆଞ୍ଚଳିକ କେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସମ୍ପାଦକ ରାମହରି ଜେନା, ଖଲ୍ଲିକୋଟସ୍ଥିତ ସରକାରୀ କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟର ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ ଓ ବରିଷ୍ଠ ଭିଜୁଆଲାଇଜର ତଥା ଡିଜାଇନ୍ର ଜ୍ୟୋତିରଞ୍ଜନ ସ୍ବାଇଁ ବିଚାରକ ଭାବେ ଯୋଗ ଦେଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ରବୀନ୍ଦ୍ରନାଥ ମାଝୀ, ଭାରତୀୟ ଚଳଚ୍ଚିତ୍ର ସେନ୍ସର ବୋର୍ଡ(ସେବା ନିବୃତ୍ତ) ଆଞ୍ଚଳିକ ଅଧିକାରୀ ଗୋପାଳକୃଷ୍ଣ ମହାପାତ୍ର, ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପିକା ସୁମିତ୍ରା ମିଶ୍ର ବିଚାରକ ରହିଥିଲେ।