ଭୁବନେଶ୍ବର: ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଚଳିତ ମାସ ୧୫ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ୯ଟି ଜୋନ୍‌ର ୫୯୭ଟି ପରୀକ୍ଷା କେନ୍ଦ୍ରରେ ୨ ଲକ୍ଷ ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଏବ˚ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତି ବିଭାଗର ଶ୍ରେଷ୍ଠ ତିନି ଜଣଙ୍କ ନାମ ଘୋଷଣା କରାଯାଇଛି। ଏହି କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୪ ତାରିଖରେ ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।

Advertisment

ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଚିତ୍ରାଙ୍କନରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହାସ୍ଥିତ ସିଦ୍ଧାର୍ଥ ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଭାଗ୍ୟଶ୍ରୀ ମାନବୀ ମିଶ୍ର ପ୍ରଥମ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଅନ୍ତର୍ଗତ କୁମୁଡ଼ାବାହାଲସ୍ଥିତ ଗ୍ରାମବିକାଶ ଶିକ୍ଷା ନିକେତନର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଦ୍ବିତୀୟ ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ସୁନାବେଡ଼ା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଦେବାଂଶୀ କୁଳଦୀପ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷର ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ଛତିଆ ସରକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀନିକା ପଣ୍ଡା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜଗତ୍‌ସିଂହପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମଜା ମହାନ୍ତି ଦ୍ବିତୀୟ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଡ଼ିଆ)ର ସପ୍ତମ ଶ୍ରେଣୀ ଛାତ୍ରୀ ସାଗରିକା ମହାନ୍ତ ତୃତୀୟ ହୋଇଛନ୍ତି। ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସେଣ୍ଟସ୍‌ ଭେଲି ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗୁଞ୍ଜନ ପୁରୋହିତ ପ୍ରଥମ, ବାଲେଶ୍ବର ଜିଲ୍ଲା ମାର୍କୋଣାର ରଘୁନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଭବାନୀଶଙ୍କର ମହାରଣା ଦ୍ବିତୀୟ ଓ ଖୋର୍ଦ୍ଧା ଜିଲ୍ଲା ତମାଣ୍ତୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ପ୍ରୀତି ପ୍ରିୟଦର୍ଶିନୀ ନାୟକ ତୃତୀୟ ସ୍ଥାନ ହା‌ସଲ କରିଛନ୍ତି।

ରାଜ୍ୟର ସବୁ କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାର ପ୍ରତି ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ଡଳୀ ଗତକାଲି ପୁନଃମୂଲ୍ୟାୟନ କରିବା ପରେ ଏହି ରାଜ୍ୟସ୍ତରୀୟ ବିଜେତାଙ୍କ ନାମ‌ ଘୋଷଣା ହୋଇଛି। ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଗଜେନ୍ଦ୍ର ପାଢ଼ୀ, ଶକୁନ୍ତଳା ପ୍ୟାଲେସ୍‌ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ଜନାର୍ଦ୍ଦନ ପରମଗୁରୁ ଓ ଚିତ୍ରଶିଳ୍ପୀ ମମତା ସାମନ୍ତରାୟ ବିଚାରକ ଭାବେ ଯୋଗ ଦେଇଥିଲେ। ଭାଷାଜ୍ଞାନ-ପ୍ରବନ୍ଧ ପାଇଁ ଶିକ୍ଷାବିତ୍‌ ତଥା ପ୍ରାବନ୍ଧିକ ଧନେଶ୍ବର ସାହୁ, ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଶରତ ଚନ୍ଦ୍ର ରଥ, ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ, ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସଂଘମିତ୍ରା ମିଶ୍ର, ଗବେଷକ ରଞ୍ଜିତ୍‌ କୁମାର ପରିଡ଼ା, ସମାଲୋଚକ ତଥା ଝଙ୍କାରର ଅନ୍ୟତମ ସମ୍ପାଦକ ବାବାଜୀ ଚରଣ ପଟ୍ଟନାୟକ ବିଚାରକ ରହିଥିଲେ।