ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍, ବିତର୍କ ଓ ସାରେଗାମା ଆଦି ପ୍ରତିଯୋଗିତା ଚଳିତ ବର୍ଷ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ଅନ୍ଲାଇନ୍ରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୨, ୧୯ ଏବଂ ୨୭ ତାରିଖରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଏହି ପଞ୍ଜୀକରଣର ଶେଷ ତାରିଖ ହେଉଛି ଆସନ୍ତା ୧୦ ତାରିଖ। ଏହି ସମୟ ମଧ୍ୟେରେ ଯେଉଁମାେନ ପଞ୍ଜୀକରଣ କରିଥିବେ କେବଳ ସେହିମାନେ ହିଁ ପ୍ରତିଯୋଗିତାରେ ଭାଗ ନେଇପାରିବେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହସ୍ତାକ୍ଷର, ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି କୁଇଜ୍ ପ୍ରତିଯୋଗିତା ସେପ୍ଟେମ୍ବର ୧୨ ତାରିଖରେ ହେବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ସେପ୍ଟେମ୍ବର ୧୯ ତାରିଖରେ ହେବ। ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସେପ୍ଟେମ୍ବର ୨୭ ତାରିଖରେ ହେବ। ଏଥିଲାଗି ପ୍ରତିଯୋଗୀମାନଙ୍କୁ ପ୍ରଥମେ http://competition.sambad.in/ ଲିଙ୍କ୍ରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ।
ଚଳିତ ବର୍ଷ ଏହିସବୁ ପ୍ରତିଯୋଗିତା ପାଇଁ ପ୍ରଥମ ପୁରସ୍କାର ୧୦,୦୦୦ ଟଙ୍କା, ଦ୍ବିତୀୟ ପୁରସ୍କାର ୭୫୦୦ ଟଙ୍କା ଓ ତୃତୀୟ ପୁରସ୍କାର ୫୦୦୦ ଟଙ୍କା ରଖାଯାଇଛି। ପ୍ରତିଯୋଗିତା ସଂପର୍କରେ ନିଜ ଜିଲ୍ଲା ଓ ବ୍ଲକ ଅଞ୍ଚଳରେ ଥିବା ‘ସମ୍ବାଦ’ କାର୍ଯ୍ୟାଳୟ କିମ୍ବା ‘ସମ୍ବାଦ’ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। ଏହି ପ୍ରତିନିଧିମାନଙ୍କ ମୋବାଇଲ ନମ୍ବର ମଧ୍ୟ ସମ୍ବାଦ ପୃଷ୍ଠାରେ ପ୍ରକାଶ ପାଉଛି। ଏଥିଲାଗି ନିୟମିତ ‘ସମ୍ବାଦ’ ପଢ଼ିବାକୁ ଅନୁରୋଧ। ଆସନ୍ତା ୧୨ ତାରିଖରେ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ quiz.sambad.in ଲିଙ୍କ୍ରେ ଯୋଡ଼ି ହୋଇ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇପାରିବେ।