ଭୁବନେଶ୍ୱର : ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଗତ ୧୭ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ୮ଟି ଜୋନ୍‌ରେ ୪୦୩ଟି ପରୀକ୍ଷା କେନ୍ଦ୍ରରେ ୧ଲକ୍ଷ ୨୬ହଜାର ୬୯୩ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ଆଜି ପ୍ରତି ବିଭାଗର ଶ୍ରେଷ୍ଠ ତିନି ଜଣଙ୍କ ନାମ ଘୋଷଣା ହୋଇଛି। ଏହି କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୪ତାରିଖରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।

Advertisment

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନରେ କଟକର ଡିଏଭି ପବ୍ଲିକ ସ୍କୁଲ, ସିଡିଏର ପଞ୍ଚମ ଶ୍ରେଣୀ ଛାତ୍ର ଅଜୟ ଅଂଶୁପ୍ରଭ ପ୍ରଥମ ହୋଇଥିବାବେଳେ ବାଲେଶ୍ୱରର ପ୍ରଜ୍ଞା ଭାରତୀ ଶିକ୍ଷାକେନ୍ଦ୍ରର ପଞ୍ଚମ ଶ୍ରେଣୀ ଛାତ୍ରୀ ବିନ୍ଦୁ ସୁକେଶିନୀ ଦାଶ ଦ୍ୱିତୀୟ ଏବଂ ପୁରୀର ନବକଳେବର ରୋଡସ୍ଥିତ ଭେଙ୍କଟେଶ୍ୱର ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଡୁଡୁଲ ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ହସ୍ତାକ୍ଷରରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ବଣକାଟୀର ମୋନାଲିସା ଟୁଡୁ ପ୍ରଥମ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ସବଡେଗାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ସୁଶ୍ରୀ ପାୟଲ ଖୁଣ୍ଟିଆ ଦ୍ୱିତୀୟ ଏବଂ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ସରସ୍ୱତୀ ଶିଶୁ ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶିଖାମଞ୍ଜରୀ କଠାର ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଭାଷାଜ୍ଞାନ ଓ ପ୍ରବନ୍ଧରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ଗଣେଶ୍ୱରୀ ମହାନ୍ତ ପ୍ରଥମ ହୋଇଥିବାବେଳେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶୁଭେନ୍ଦୁ ଦାଶ ଦ୍ୱିତୀୟ ଏବଂ ଢେଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ସୁଦୀପ ସୁଦର୍ଶନ ରଣା ତୃତୀୟ ସ୍ଥାନ ହାସଲ କରିଛନ୍ତି।
ରାଜ୍ୟର ୪୦୩ଟି କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାର ୧୨୦୯ଜଣ କୃତି ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ଡଳୀ ପୁନଃ ମୂଲ୍ୟାୟନ କରିବା ପରେ ଏହି ରାଜ୍ୟସ୍ତରୀୟ ବିଜେତା ତାଲିକା ଘୋଷଣା ହୋଇଛି।

ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ବିକେ କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟସର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ତାରାକାନ୍ତ ପରିଡ଼ା, ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ରବି ରଥ ବିଚାରକ ଭାବେ ଯୋଗ ଦେଇଥିବାବେଳେ ଭାଷାଜ୍ଞାନ ଓ ପ୍ରବନ୍ଧ ପାଇଁ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ, ବିଶିଷ୍ଟ ଲେଖିକା ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷା ପ୍ରବୀଣା ମହାନ୍ତି, ବିଶିଷ୍ଟ ଲେଖକ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂହ ପ୍ରମୁଖ ବିଚାରକ ଥିଲେ।