‘ସମ୍ବାଦ’-‘ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା : ରାଜ୍ୟସ୍ତରୀୟ ବିଜେତା ଘୋଷଣା; ଭାଷାଜ୍ଞାନ ଓ ପ୍ରବନ୍ଧରେ ଅଙ୍କିତା, ହସ୍ତାକ୍ଷରରେ ବିଜୟଲକ୍ଷ୍ମୀ, ଚିତ୍ରାଙ୍କନରେ ହୃଷୀକେଶ ପ୍ରଥମ

ଅକ୍ଟୋବର ୪ରେ ହୋଟେଲ ସ୍ବସ୍ତି ପ୍ରିମିୟମରେ ପୁରସ୍କୃତ ହେବେ

ଭୁବନେଶ୍ବର : ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଗତ ୮ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ୯ଟି ଜୋନ୍‌ରେ ୪୦୦ଟି ପରୀକ୍ଷା କେନ୍ଦ୍ରରେ ୧,୦୦,୪୧୧ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ହସ୍ତାକ୍ଷର ଏବ˚ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ଆଜି ପ୍ରତି ବିଭାଗର ଶ୍ରେଷ୍ଠ ତିନି ଜଣଙ୍କ ନାମ ଘୋଷଣା ହୋଇଛି। ଏହି କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୪ ତାରିଖରେ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ‘ସମ୍ବାଦ’ର ସ୍ବନକ୍ଷତ୍ର ଉତ୍ସବରେ ପୁରସ୍କୃତ କରାଯିବ।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପଞ୍ଚମ ଶ୍ରେଣୀ ଛାତ୍ର ଏମ୍‌. ହୃଷୀକେଶ ପ୍ରସାଦ ପ୍ରଥମ ହୋଇଥିବାବେଳେ ଲୟୋଲା ସ୍କୁଲ, ଭୁବନେଶ୍ବରର ପ୍ରଥମ ଶ୍ରେଣୀ ଛାତ୍ରୀ ଏଭ୍‌ଲିନା ମହାନ୍ତି ଦ୍ବିତୀୟ ଏବଂ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପଞ୍ଚମ ଶ୍ରେଣୀ ଛାତ୍ର ଅମନ ବାରଭିଆ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ବିକାଶ ଆବାସିକ ବିଦ୍ୟାଳୟ, ବରାହଗୋଡ଼ାର ସପ୍ତମ ଶ୍ରେଣୀ ଛାତ୍ରୀ ଏମ୍‌.ଏ ବିଜୟଲକ୍ଷ୍ମୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ-୩, ଭୁବନେଶ୍ବରର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍ କୁମାର ପ୍ରଧାନ ଦ୍ବିତୀୟ ଏବଂ ବାଲେଶ୍ବର ଜିଲ୍ଲା ବାଲିଆର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ଅଙ୍କିତା ରାଉତ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା କ.ନୂଆଗାଁର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ପାତ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପୁରୀ ଜିଲ୍ଲାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନିମାପଡ଼ାର ଦଶମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ମିଶ୍ର ଦ୍ବିତୀୟ, ସୋନପୁର ଜିଲ୍ଲାର ସେଣ୍ଟ୍‌ସ ଭେଲି ଆବାସିକ ଉଚ୍ଚ ବିଦ୍ୟାଳୟ, ବିନିକାର ଦଶମ ଶ୍ରେଣୀ ଛାତ୍ର ନିହାର ରଞ୍ଜନ ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ରାଜ୍ୟର ୪୦୦ଟି କେନ୍ଦ୍ରରେ ହୋଇଥିବା ପ୍ରତିଯୋଗିତାର ୩୬୦୦ଜଣ କୃତୀ ପ୍ରତିଯୋଗୀଙ୍କ ଖାତାକୁ ବିଚାରକ ମଣ୍ତଳୀ ଆଜି ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ପୁନଃ ମୂଲ୍ୟାୟନ କରିବା ପରେ ଏହି ରାଜ୍ୟସ୍ତରୀୟ ବିଜେତା ତାଲିକା ଘୋଷଣା ହୋଇଛି।

ଏଥିରେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପାଇଁ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସଚିବ ରାମହରି ଜେନା, ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧୢକ୍ଷ ବଳଦେବ ମହରଥା ଏବଂ ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତଥା ଓଡ଼ିଶା ଲଳିତ କଳା ଏକାଡେମିର ପୂର୍ବତନ ସଚିବ ତାରାକାନ୍ତ ପରିଡ଼ା ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପାଇଁ ବିଶିଷ୍ଟ ସ୍ତମ୍ଭକାର ଲ‌ମ୍ବୋଦର ପ୍ରସାଦ ସିଂହ, ଅବସରପ୍ରାପ୍ତ ପ୍ରଫେସର ତଥା କବି ଶୁଭେନ୍ଦୁ ମୁଣ୍ଡ, ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ବିଚାରକ ଥିଲେ।

ସମ୍ବନ୍ଧିତ ଖବର