‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଗୋରାକବ‌ରରେ ସ୍ବାଭିମାନ ଦିବସ : ‘ମଧୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଗାନ୍ଧୀଜୀ’

କଟକ : ମଧୁ ବାବୁ ଥିଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ। ତାଙ୍କ ଜ୍ଞାନ, ଗୁଣ, ଆଦର୍ଶ ଏବଂ ସ୍ବାଭିମାନ କେବଳ ବ୍ରିଟିଶ ମାନଙ୍କୁ ନୁହେଁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବି ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ଗାନ୍ଧିଜୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନାରୀ ସଶକ୍ତିକରଣ ଏବଂ କୁଟୀର ଶିଳ୍ପର ପ୍ରଚାରପ୍ରସାର ପ୍ରତି ମଧୁବାବୁଙ୍କ ନିଷ୍ଠା ତଥା ଦୂରଦୃଷ୍ଟିକୁ ଅନୁସରଣ କରିଥିଲେ। ଆଇନ କ୍ଷେତ୍ରରେ ସେ ଏପରି ପାଣ୍ଡିତ୍ୟ ଅର୍ଜନ କରିଥିଲେ ଯେ ପୁରୀ ଶ୍ରୀମନ୍ଦିର ମାମଲାରେ ଜଣେ ଅଧିବକ୍ତା ହିସାବରେ ତାଙ୍କ ଶାଣିତ ଇଂରାଜୀ ଆଲେଖ୍ୟ କଲିକତା ନ୍ୟାୟାଳୟରେ ବିଚାରପତି ଓ ବ୍ରିଟିଶ ଓକିଲଙ୍କୁ ଚକିତ କରି ଦେଇଥିଲା। ଓଡ଼ିଆ ଜାତି ଓ ଭାଷାର ସୁରକ୍ଷା ପାଇଁ ସେ ଯାହା କରି ଯାଇଛନ୍ତି, ସେଥିରୁ ଯଦି ଆମେ କିଛି ଶିକ୍ଷା ଲାଭ କରିବା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା, ତେବେ ଓଡ଼ିଶା ବହୁ ଆଗକୁ ଯାଇପାରିବ ବୋଲି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍‌ ଦୁର୍ଗାପ୍ରସନ୍ନ ଚୌଧୁରୀ ମତବ୍ୟକ୍ତ କରିଛନ୍ତି।

‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜୟନ୍ତୀ ଉପଲକ୍ଷେ ତୁଳସୀପୁର ଗୋରାକବରସ୍ଥିତ ତାଙ୍କ ସମାଧିପୀଠରେ ଆୟୋଜିତ ସ୍ବାଭିମାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର ଜଷ୍ଟିସ ଚୌଧୁରୀ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ମଧୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ‘ସମ୍ବାଦ’ର ସଂପାଦକ, ଆମ ଓଡ଼ିଶାର ଅଧ୍ୟକ୍ଷ, ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଜଷ୍ଟିସ୍‌ ଚୌଧୁରୀ ଯୋଗ ଦେଇ କହିଥିଲେ ଯେ ମଧୁ ବାବୁ ବିବିଧ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଆଦର୍ଶ ତଥା ସ୍ବାଭିମାନୀପଣ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିଲା। ନାରୀର ଉନ୍ନତି ନ‌ ହେଲେ ସମାଜ ସମୃଦ୍ଧ ହେଇପାରିବ ନାହିଁ, ଏ କଥା ସେ ସମୟରେ ମଧୁବାବୁ ହୃଦୟଙ୍ଗମ କରିଥିଲେ। ସେଥିପାଇଁ ସେ ପାଳିତା କନ୍ୟା ସୁଧାଂଶୁବାଳାଙ୍କୁ ଓକିଲାତି ପଢ଼ାଇଥିଲେ। କିନ୍ତୁ କଲିକତା ଉଚ୍ଚ ନ୍ୟାୟାଳୟରେ ସୁଧାଂଶୁବାଳାଙ୍କୁ ଓକିଲାତି କରିବାକୁ ଅନୁମତି ନ ମିଳିବାରୁ ସେ ଏଥିପାଇଁ ମାମଲା ଲଢ଼ି ବିଜୟୀ ହୋଇଥିଲେ। ଜନ୍ମମାଟି ପାଗା ସତ୍ୟଭାମାପୁରରେ ଚାଲିଥିବା ବାଳିକା ସ୍କୁଲ ଏବଂ କଟକ ଶୈଳବାଳା କଲେଜ ପ୍ରତିଷ୍ଠା ମଧୁ ବାବୁଙ୍କ ମହିଳା ସଶକ୍ତିକରଣ ଗୋଟିଏ ଗୋଟିଏ ଜ୍ବଳନ୍ତ ଉଦାହରଣ ବୋଲି ଡକ୍ଟର ଜଷ୍ଟିସ୍‌ ଚୌଧୁରୀ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ ମଧୁ ବାବୁ ଓଡ଼ିଆ ଜାତି ପାଇଁ ମାର୍ଗ ନିର୍ମାଣ କରିଥିଲେ। ଗାନ୍ଧିଜୀ ତାଙ୍କ ଆତିଥେୟତା ଗ୍ରହଣ କରି କଟକରେ ଦୁଇ ଦିନ ରହିଥିଲେ। କୁଟୀର ଶିଳ୍ପ କ୍ଷେତ୍ରରେ ମଧୁବାବୁ ଯାହା ଚିନ୍ତା କରି ନିଜେ କାର୍ଯ୍ୟକାରୀ କରିଥିଲେ, ତାକୁ ବ୍ୟାପକ ଭାବେ ପରବର୍ତୀ ସମୟରେ ଗାନ୍ଧିଜୀ ଦେଶରେ ପ୍ରଚଳନ କରିଛନ୍ତି। ବିଶିଷ୍ଟ ଜନନେତା ତଥା ସମାଜ ସଂସ୍କାରକ ଗୋପାଳକୃଷ୍ଣ ଗୋଖ୍‌ଲେ ଏବଂ ମଧୁ ବାବୁ ଗୋଟିଏ ବର୍ଷରେ ‘ଅର୍ଡର୍‌ ଅଫ୍ ବ୍ରିଟିଶ୍ ଏମ୍ପାୟାର୍‌’ ସମ୍ମାନ ପାଇବା ତାଙ୍କୁ ଦେଶର ଜଣେ ସର୍ବମାନ୍ୟ ନେତାର ପରିଚୟ ଦିଏ ବୋଲି ଶ୍ରୀ ମହତାବ କହିଥିଲେ। ବ୍ୟକ୍ତିଗତ ଜୀବନ ଓ ସାଧାରଣ ଜୀବନ ଭିତ‌ରେ ଥିବା ପାର୍ଥକ୍ୟ ସଂପର୍କରେ ଆଲୋକପାତ କରି ଶ୍ରୀ ମହତାବ କହିଲେ ଯେ ବ୍ୟକ୍ତିଗତ ଜୀବନ ସର୍ବଦା ସ୍ବାର୍ଥକୈନ୍ଦ୍ରୀକ ହେଇଥାଏ। କିନ୍ତୁ ସାଧାରଣ ଜୀବନ(ପବ୍ଲିକ୍ ଲାଇଫ୍‌)ରେ ରହିଲେ ସମୂହ ବିକାଶ ହେଇପାରିବ। ଏଥିରେ ବ୍ୟକ୍ତିଗତ ଆହରଣ ପଛକୁ ଚାଲିଯାଏ। ଅନ୍ୟ ପାଇଁ କିଛି କରିବା ହେଉଛି ଏହାର ମୂଳମନ୍ତ୍ର। ମଧୁ ବାବୁ ଥିଲେ ଏହାର ମୂର୍ତ୍ତିମନ୍ତ ପ୍ରତୀକ। ମଧୁ ବାବୁ ସାଧାରଣ ଜୀବନରେ ରହି ମଧ୍ୟ ଏ ଜାତି ଓ ଦେଶ ପାଇଁ ଅର୍ଥ, ସଂପତ୍ତିକୁ ତୁଚ୍ଛ କରି ଯେଉଁ ସମର୍ପଣ ଭାବ ଦେଖାଇଛନ୍ତି, ଚିରଦିନ ଏ ଜାତି ତାଙ୍କୁ ମନେ ରଖିବ ବୋଲି ଶ୍ରୀ ମହତାବ କହିଥିଲେ।

ସମାରୋହର ମୁଖ୍ୟବକ୍ତା ଅଧ୍ୟାପକ ଜୟନ୍ତ ବିଶ୍ବାଳ କହିଥିଲେ ଯେ ମଧୁ ବାବୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତିଷ୍ଠା ପାଇଁ ଲଗାତର ଉଦ୍ୟମ କରିଥିଲେ। କିନ୍ତୁ ଆଜି ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ଭିତରେ ଯୁବପିଢ଼ି ଆପଣାର ଶବ୍ଦକୁ ଭୁଲି ଗଲେଣି। ନିଜ ପାଇଁ ବଞ୍ଚିବା ନୀତି ଧରି ଚାଲିଥିବାରୁ ଏ ଜାତିର ଅସ୍ମିତା ଓ ସ୍ବାଭିମାନ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି। ଆମେ ଯେତେ ପରିବ୍ୟାପ୍ତ ବିଶ୍ବର ଜୀବନଧାରାକୁ ନେଇ ବଞ୍ଚିଲେ ମଧ୍ୟ ଆମ ଜାତିର ଅସ୍ମିତା ଓ ପରିଚୟକୁ ଯଦି ଛାଡ଼ିଦେବା, ତେବେ ଆମେ ଅନୁଭୂତି ସ୍ତରରେ ଅସହାୟ ହେଇଯିବା ବୋଲି ଶ୍ରୀ ବିଶ୍ବାଳ କହିଥିଲେ।

କାର୍ଯ୍ୟକ୍ରମରେ ଅଧକ୍ଷ୍ୟତା କରି ସାଂସଦ ଶ୍ରୀ ପଟ୍ଟନାୟକ ମଧୁ ବାବୁଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମଧୁ ବାବୁଙ୍କ ପରି ଆମର ଅନେକ ପୂର୍ବସୂରୀ ବହୁ କଷ୍ଟରେ ପାଠ ପଢ଼ି ମଣିଷ ହେବା ସହ ଏ ଜାତିକୁ ରକ୍ଷା କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଦେଇଥିଲେ। କିନ୍ତୁ ବର୍ତ୍ତମାନ ଲୋକମାନେ ଅଧିକ ବ୍ୟକ୍ତିକେନ୍ଦ୍ରୀକ ହେଇ ଯାଉଛନ୍ତି। ନିଜେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଲୋକ ମାନେ ଗାଁ ଓ ମାଟି କଥା ଭୁଲି ଯାଉଛନ୍ତି। ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ମହିଳା ମାନଙ୍କୁ ପ୍ରତି କ୍ଷେତ୍ରରେ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର