ମଧୁବାବୁଙ୍କ ସମାଧିପୀଠ କଟକର ଗୋରାକବର ଠାରେ ‘ସମ୍ବାଦ’ ‘ଆମ ଓଡ଼ିଶା’ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

କଟକ: ଆଜି ଯେଉଁ ଜଗନ୍ନାଥ ସଂସ୍କୃତି ବଞ୍ଚି ରହିଛି ତା’ର ଶ୍ରେୟ ମଧୁବାବୁଙ୍କ ପାଖକୁ ଯିବ ବୋଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରବିବାର ସକାଳେ କଟକର ଗୋରାକବର ଠାରେ ଥିବା ମଧୁବାବୁଙ୍କ ସମାଧିପୀଠରେ ‘ସମ୍ବାଦ’ ‘ଆମ ଓଡ଼ିଶା’ ପକ୍ଷରୁ ପାଳିତ ସ୍ୱାଭିମାନ ଦିବସରେ କହିଛନ୍ତି ମୁଖ୍ୟ ଅତିଥି ଜଷ୍ଟିସ୍‌ ଡି. ପି. ଚୌଧୁରୀ। ସେ କହିଲେ ଯେ ଓକିଲାତି ପେଷା ବଳରେ ମଧୁବାବୁ ପୁରୀର ମହାରାଣୀଙ୍କ ହାତରୁ ଶ୍ରୀମନ୍ଦିର ପରିଚାଳନା ଭାର ଛଡ଼ାଇ ନେବାକୁ ଚକ୍ରାନ୍ତ କରିଥିବା ବ୍ରିଟିସ ସରକାରଙ୍କୁ ପରାସ୍ତ କରିଥିଲେ। ବିଟିସ ସରକାରଙ୍କ ସହ ଲଢ଼ିବାକୁ ସେ ଶ୍ରୀମନ୍ଦିର ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା କାଗଜପତ୍ର ଦେଖି ସଭିଏଁ ଚକିତ ହୋଇଯାଇଥିଲେ।

‘ସମ୍ବାଦ’ର ସମ୍ପାଦକ ଓ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଷ୍ଟିସ୍‌ ଡି. ପି. ଚୌଧୁରୀ। ଏଥିରେ ସମ୍ମାନିତ ଅତିଥି ଭାବେ ଭର୍ତ୍ତୃହରି ମହତାବ ଓ ମୁଖ୍ୟବକ୍ତା ଭାବେ ଜୟନ୍ତ ବିଶ୍ୱାଳ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ଡକ୍ଟର ବିଜୟାନନ୍ଦ ସିଂହ ଓ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର।

ମଧୁବାବୁଙ୍କ ସମାଧିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଆରମ୍ଭ ହୋଇଥିବା ସଭାରେ ଡକ୍ଟର ବିଜୟାନନ୍ଦ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ସାଂସଦ ଭର୍ତ୍ତୃହରି ମହତାବ କହିଲେ କି, ମଧୁବାବୁଙ୍କ ବିଷୟରେ ଶୁଣାଯାଉଥିବା ଅନେକ ଅନାଲୋଚିତ ପ୍ରସଙ୍ଗକୁ ଏକତ୍ର କରି ‘ଆମ ଓଡ଼ିଶା’ ତରଫରୁ ସଙ୍କଳନଟିଏ କରାଗଲେ ତାହା ଯୁବପୀଢ଼ିଙ୍କ ପାଇଁ ମାର୍ଗଦର୍ଶିକା ହୁଅନ୍ତା। କୁଟୀର ଶିଳ୍ପର ବିକାଶ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ସେ ମତପ୍ରକାଶ କରିଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତ ସମୟରେ ସତ୍ୟଭାମାପୁର ଗାଁରେ ଥିବା ମଧୁବାବୁଙ୍କ ଘରେ ଦୁଇ ଦିନ ଆତିଥ୍ୟ ଗ୍ରହଣ କରିଥିଲେ ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ଜୟନ୍ତ ବିଶ୍ୱାଳ କହିଲେ କି, ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆମ ନିଜସ୍ୱ ସଂସ୍କୃତି ଡୁବି ନିଶ୍ଚିହ୍ନ ହୋଇଯାଉଥିବା ବେଳେ ମଧୁବାବୁଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଯୁବପୀଢ଼ି ତାହାକୁ ଉଜ୍ଜିବୀତ ରଖିବା ଉଚିତ।

ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ କି, ମହିଳାମାନଙ୍କର ଉତ୍ଥାନ ଲାଗି ମଧୁବାବୁ ସର୍ବଦା ଉଦ୍ୟମ କରୁଥିଲେ। ବର୍ତ୍ତମାନ ସ୍ଥିତିରେ ମହିଳାମାନେ ପୁରଷ ଓ ସେମାନଙ୍କ ପରିବାର ପୁରୁଷ ସମ୍ପର୍କୀୟମାନଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ମହିଳା ଲୋକପ୍ରତିନିଧିମାନେ ନିଜେ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ଚେଷ୍ଟା କରିବା ଉଚିତ।
ଶେଷରେ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର