‘ସମ୍ବାଦ-ଆମ ଓଡ଼ିଶା’ ପ୍ରତିଯୋଗିତା: ବର୍ଷା ସତ୍ତ୍ବେ ଭାଗନେଲେ ୨ଲକ୍ଷରୁ ଅଧିକ

‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିବର୍ଷ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତା ଆୟୋଜନ କରିଥାଏ। ଏବର୍ଷ କିନ୍ତୁ ମହାମହିମ ରାଜ୍ୟପାଳଙ୍କ ପରାମର୍ଶରେ ‘ସମ୍ବାଦ’ ଏହାସହିତ ଆୟୋଜନ କରିଥିଲା ‘ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା‌’। ଆମ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ରାଜ୍ୟ ଓଡ଼ିଶାର ଭବିଷ୍ୟତକୁ ନେଇ କ’ଣ ସବୁ ସ୍ବପ୍ନ ଦେଖୁଛନ୍ତି ଜାଣିବା ପାଇଁ ରାଜ୍ୟପାଳ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଏହାର ଉତ୍ତରରେ ସାରା ରାଜ୍ୟରେ ଲାଗି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷାକୁ ଭ୍ରୂକ୍ଷେପ ନକରି ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେବା ପାଇଁ ୬୫୦ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତାରେ ୧ଲକ୍ଷ ୮୨ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରାୟ ୭୦ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ବାର୍ଷିକ ପ୍ରତିଯୋଗିତାରେ ୧ଲକ୍ଷ ୮୨ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ‘ସମ୍ବାଦ- ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କାରଣରୁ ଏହି ପ୍ରତିଯୋଗିତାଗୁଡ଼ିକ ଅନଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଚଳିତବର୍ଷ ଏହା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି।

ଚଳିତବର୍ଷ ୬୫୦ରୁ ଅଧିକ କେନ୍ଦ୍ରରେ ରେକର୍ଡ ସଂଖ୍ୟକ ୧,୮୨,୧୦୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ଲଘୁଚାପ ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଶନିବାର ରାତିରୁ ପ୍ରବଳ ବର୍ଷା ସତ୍ତ୍ବେ ଆଜି ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସବୁ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଚିତ୍ରାଙ୍କନ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଓଡ଼ିଆ ହସ୍ତାକ୍ଷର ଏବ˚ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟରେ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ହୋଇଥିବା ବେଳେ ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ଅଭିଜ୍ଞ ବିଚାରକ ମଣ୍ତଳୀଙ୍କ ଦ୍ବାରା ଖାତାର ମୂଲ୍ୟାୟନ କରାଯାଇଥିଲା। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା।

ଆଜିର ପ୍ରତିଯୋଗିତାରେ ସମସ୍ତ କେନ୍ଦ୍ରର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପୁନଃ ମୂଲ୍ୟାୟନ କରାଯିବ। ଅକ୍ଟୋବରରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ।

ଏଥର ଚିତ୍ରାଙ୍କନରେ ମୋଟ୍‌ ୫୬,୭୧୯ ଜଣ, ହସ୍ତାକ୍ଷରରେ ୭୪,୯୭୩ ଜଣ ଓ ଭାଷାଜ୍ଞାନରେ ୫୦,୪୧୨ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୁବନେଶ୍ବର ସ˚ସ୍କରଣରେ ୨୪,୮୦୦ ଜଣ ଭାଗ ନେଇଥିବା ବେଳେ କଟକ ସ˚ସ୍କରଣରେ ୨୨,୬୫୫ ଜଣ, ଯାଜପୁର ସ˚ସ୍କରଣରେ ୧୧,୪୭୯ଜଣ, ଅନୁଗୁଳ ସ˚ସ୍କରଣରେ ୮,୯୮୬ଜଣ, ବାଲେଶ୍ବର ସ˚ସ୍କରଣରେ ୨୬,୧୪୧ଜଣ, ରାଉରକେଲା ସ˚ସ୍କରଣରେ ୧୦,୬୬୬ଜଣ, ସମ୍ବଲପୁର ସ˚ସ୍କରଣରେ ୪୫,୮୬୧ ଜଣ, ବ୍ରହ୍ମପୁର ସ˚ସ୍କରଣରେ ୧୮,୦୭୨ ଜଣ ଏବ˚ ଜୟପୁର ସ˚ସ୍କରଣରେ ୧୩, ୪୪୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିବାରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

 

ସମ୍ବନ୍ଧିତ ଖବର