ଭୁବନେଶ୍ବର: କୌଣସି ଲକ୍ଷ୍ୟ ନ ରଖି ନିବେଶ କରିବାର କିଛି ଅର୍ଥ ନାହିଁ। ପ୍ରଥମେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ଓ ତା’ପରେ ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ନିବେଶ ଆରମ୍ଭ କରନ୍ତୁ ବୋଲି ‘ସମ୍ବାଦ-ଆମ୍ଫି’ ପକ୍ଷରୁ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ନିବେଶକ ସଚେତନତା କାର୍ଯ୍ୟକ୍ରମ ‘ନିବେଶ ଏବଂ ଆପଣ’କୁ ସମ୍ବୋଧିତ କରି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିବେଶ ସଚେତନତା ଡିଭିଜନ୍‌ର ସିକ୍ୟୁରିଟି ମାର୍କେଟ୍ ଟ୍ରେନର୍‌ ରଘୁନନ୍ଦନ ପଟ୍ଟନାୟକ କହିଛନ୍ତି।

Advertisment

ସେ ନିବେଶକମାନଙ୍କୁ କହିଥିଲେ ଯେ ଘର କିଣିବା, ଗାଡ଼ି କିଣିବା, ମୋବାଇଲ୍‌ ଫୋନ୍ କିଣିବା, ପିଲାଙ୍କୁ ପାଠ ପଢ଼ାଇବା, ବିବାହ କରାଇବା ହେଉଛି ଜୀବନର ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ। ପ୍ରତିଟି ଲକ୍ଷ୍ୟ ପାଇଁ ଭିନ୍ନ ଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ୍‌‌ରେ ନିବେଶ କରିବାକୁ ହେବ। କେଉଁ ଲକ୍ଷ୍ୟକୁ ଆପଣମାନେ କେତେ ସମୟ ଭିତରେ ହାସଲ କରିବାକୁ ଚାହୁଛନ୍ତି, ସେହି ଅନୁସାରେ ଫଣ୍ଡ୍‌ ଚୟନ କରିବାକୁ ପଡ଼ିବ। କେବଳ ଏଜେଣ୍ଟ କିମ୍ବା ସମ୍ପର୍କୀୟଙ୍କ କଥାକୁ ବିଶ୍ବାସ କରି କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ, ତା’ ସହ ଜଡ଼ିତ ଥିବା ଭଲମନ୍ଦକୁ ବୁଝିବା ଲାଗି ସେ ପରାମର୍ଶ ଦେଇଥିଲେ। କେବଳ ରୋଜଗାର କରୁଥିବା ଲୋକଙ୍କ ମଧ୍ୟରେ ନିବେଶ ସୀମିତ ନୁହେଁ। ଅବସର ପରେ ମଧ୍ୟ ନିବେଶ କରାଯାଇପାରିବ ବୋଲି ସେ କହିଥିଲେ। ଏକ ସନ୍ତୁଳିତ ଆର୍ଥିକ ଯୋଜନା ପାଇଁ ଜଣେ ବ୍ୟକ୍ତି ଅତିକମ୍‌ରେ ୫୦ ହଜାର ଟଙ୍କାର ଫିକ୍ସଡ୍ ଡିପୋଜିଟ୍ (ମିଆଦୀ ଜମା), ଗୋଟିଏ ସ୍ବାସ୍ଥ୍ୟ ବୀମା, ଗୋଟିଏ ଟର୍ମ ଜୀବନ ବୀମା କରିବା ଦରକାର। ଜୀବନକୁ ଯେଉଁଭଳି ବଞ୍ଚିବାକୁ ଚାହୁଛନ୍ତି, ସେହି ଆଧାରରେ ଏକ ନୁହେଁ ଅନେକ ମ୍ୟୁଚୁଆଲ୍ ଫଣ୍ଡ୍‌ ସ୍କିମ୍‌ରେ ଅଳ୍ପ ଅଳ୍ପ ଟଙ୍କା ନିବେଶ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ନିଜ ଘର ଖର୍ଚ୍ଚ ତୁଲାଇବା ପରେ ବଳକା ରାଶିକୁ ନିବେଶ କରାଯିବା ଉଚିତ। ଋଣ ଆଣି ନିବେଶ କରିବାଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ।

କୌଣସି ଲକ୍ଷ୍ୟ ନ ରଖି ନିବେଶ କରିବାର କିଛି ଅର୍ଥ ନାହିଁ। ପ୍ରଥମେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ଓ ତା’ପରେ ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ନିବେଶ ଆରମ୍ଭ କରନ୍ତୁ ବୋଲି ‘ସମ୍ବାଦ-ଆମ୍ଫି’ ପକ୍ଷରୁ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ନିବେଶକ ସଚେତନତା କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ବାତୀ କେଜ୍ରିୱାଲ ମ୍ୟୁଚୁଆଲ୍ ଫଣ୍ଡ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଲେ, ଅତୀତରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଥି‌ରେ ଲୋକଙ୍କ କଷ୍ଟୋପାର୍ଜିତ ଟଙ୍କା ବୁଡ଼ିଯାଇଛି। ସେଥିପାଇଁ ଲୋକମାନେ ନିବେଶ କଥା ଶୁଣିଲେ ଡରି ଯାଉଛନ୍ତି। କିନ୍ତୁ ମ୍ୟୁଚୁଆଲ୍ ଫଣ୍ଡ୍‌ ହେଉଛି ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସଂଗଠିତ ନିବେଶ ମାଧ୍ୟମ। ଭାରତୀୟମାନେ ସଞ୍ଚୟ କଥା ପଡ଼ିଲେ ପ୍ରଥମେ ଫିକ୍ସଡ୍ ଡି‌ପୋଜିଟ୍ କଥା ଭାବନ୍ତି ଯେଉଁଥିରେ ଅଳ୍ପ ସୁଧ ମିଳେ। କିନ୍ତୁ ଆଜିର ଯୁଗରେ ସବୁ ଜିନିଷର ଦାମ୍ ଯେଉଁଭଳି ଭାବେ ବଢ଼ୁଛି, ତାହା ବହନ କରିବା ଲାଗି ଏଫ୍‌ଡି ସୁଧ ଯଥେଷ୍ଟ ନୁହେଁ। ସମସ୍ତେ ନିଜ ଟଙ୍କା ବଢ଼ାଇବାକୁ ଚାହାନ୍ତି। କିନ୍ତୁ କେମିତି ବଢ଼ାଇବେ ଜାଣନ୍ତି ନାହିଁ। ମ୍ୟୁଚୁଆଲ୍ ଫଣ୍ଡ୍‌ ନିବେଶ ଜରିଆରେ ତାହା କରାଯାଇପାରିବ। ଏଥିରେ କିଛି ଲୋକଙ୍କ ଟଙ୍କାକୁ ଫଣ୍ଡ୍‌ ଜରିଆରେ ସଂଗ୍ରହ କରି ପେସାଦାର ଫଣ୍ଡ୍‌ ମ୍ୟାନେଜରଙ୍କ ତତ୍ତ୍ବାବଧାନରେ ନିବେଶ କରାଯାଏ। ସେମାନେ ବଜାର ଚଳନକୁ ଭଲ ଭାବେ ବୁଝୁଥିବାରୁ ଟଙ୍କା ବୁଡ଼ିଯିବାର ଆଶଙ୍କା କମ୍ ରହିଛି ବୋଲି ସେ କହିଥିଲେ। ବଜାରରେ ଇକ୍ବିଟି, ଡେବ୍‌ଟ, ହାଇବ୍ରିଡ୍‌ ଓ ଲିକ୍ବିଡ୍ ଫଣ୍ଡ୍‌ ଭଳି ଅନେକ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ୍‌ ସ୍କିମ୍ ରହିଛି। ଇକ୍ବିଟିରେ ବଜାର ସମ୍ପର୍କିତ ବିପଦ ରହିଛି, କିନ୍ତୁ ଦୀର୍ଘକାଳୀନ ନିବେଶ ପାଇଁ ତାହା ଭଲ। ଡେବ୍‌ଟ ଅପେକ୍ଷାକୃତ ସୁରକ୍ଷିତ, କିନ୍ତୁ ଏଥି‌ରେ କମ୍ ସୁଧ ମିଳିଥାଏ। ଅବଶ୍ୟ ଏଫ୍‌ଡି ସୁଧଠାରୁ ତାହା ଅଧିକ। ହାଇବ୍ରିଡ୍ ଫଣ୍ଡ୍‌ରେ ଉଭୟ ଇକ୍ବିଟି ଓ ଡେବ୍‌ଟର ସନ୍ତୁଳନ ରହିଥାଏ। ଲିକ୍ବିଡ୍‌ ଫଣ୍ଡ୍‌ଗୁଡ଼ିକରେ ବିପଦ ମାତ୍ରା ଅଧିକ ରହିଥାଏ ବୋଲି ସେ କହିଥିଲେ। ପ୍ରତି ମାସରେ ଅଳ୍ପ ଅଳ୍ପ ଟଙ୍କା ନିବେଶ କରି ସମ୍ପତ୍ତି ବଢ଼ାଇବାର ସରଳ ଉପାୟ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍‌ ପ୍ଲାନ୍ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। 

ପ୍ରାରମ୍ଭରେ ଇଷ୍ଟର୍ଣ୍ଣ ମିଡିଆ‌ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ ନିବେଶକ ସଚେତନତା କାର୍ଯ୍ୟକ୍ରମକୁ ଆମେ ଚାରିଆଡ଼େ କରିବାକୁ ଚାହୁଛୁ। ସ୍କୁଲ ଓ କଲେଜ ପିଲାମାନଙ୍କୁ ଏଥିରେ ଯୋଡ଼ିବାକୁ ଆମର ଲକ୍ଷ୍ୟ ରହିଛି। ପିଲାମାନେ ଆଦ୍ୟ ଜୀବନରୁ ଆର୍ଥିକ କାରବାରକୁ ନେଇ ସଚେତନ ହେଲେ ସେମାନେ ବଡ଼ ହୋଇ ଠିକ୍ ଆର୍ଥିକ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଥିଲେ। ରେଡିଓ ଚକ୍‌ଲେଟ୍‌ର ଆର୍‌ଜେ ଅନୀଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ନିବେଶକ ଉପସ୍ଥିତ ଥିଲେ। ସେମାନେ ନିଜ ମନରେ ଥିବା ପ୍ରଶ୍ନ ଅତିଥିମାନଙ୍କୁ ପଚାରି ଦ୍ବନ୍ଦ୍ବ ଦୂର କରିଥିଲେ। କାର୍ଯ୍ୟକ୍ରମରେ କିଛି ନିବେଶକଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।