ରାଜ୍ୟପାଳଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ବର: ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶାକୁ ନେଇ ସ୍ବପ୍ନ ଓ ନିଜର ସଂପୃକ୍ତି ସଂପର୍କିତ ବିଷୟରେ ପ୍ରତିଯୋଗିତା କରାଯିବ। ନିର୍ଦ୍ଦିଷ୍ଟ ଭାବେ ପ୍ରତିଯୋଗିତାର ୪୫ ମିନିଟ୍‌ ପୂର୍ବରୁ ପ୍ରତିଯୋଗୀଙ୍କୁ ବିଷୟବସ୍ତୁ ଜଣାଇ ଦିଆଯିବ। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶା ଏକ ଦେବଭୂମି। ଓଡ଼ିଶାର ଅପ୍ରମେୟ ଭୌତିକ ଓ ଆଧ୍ୟାତ୍ମିକ ଶକ୍ତି ସାମର୍ଥ୍ୟ ରହିଛି। ଆଗାମୀ ଦିନରେ ଓଡ଼ିଶା ସମଗ୍ର ବିଶ୍ବର ନେତୃତ୍ବ ନେଇପାରିବ। ଏଥିପାଇଁ ଅନ୍ତର୍ନିହିତ ଶକ୍ତିର ସଫଳ ପ୍ରକାଶ ଓ ବିକାଶ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଏକାନ୍ତ ଜରୁରୀ।

ପ୍ରବନ୍ଧ ପ୍ରତିଯୋଗିତା ଏ ଦିଗରେ ଏକ ପ୍ରୟାସ ବୋଲି ରାଜ୍ୟପାଳ କହିଛନ୍ତି। ଏହି ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ ପାଇଁ ରାଜ୍ୟପାଳ ସମ୍ବାଦ ଓ ଆମ ଓଡ଼ିଶାକୁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବକୁ ଗ୍ରହଣ କରି ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ‘ସମ୍ବାଦ’ ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏହାର ପ୍ରାରମ୍ଭିକ ପ୍ରସ୍ତୁତି କାର୍ଯ୍ୟ ସରିଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର