ବିକାଶ ନେଇ ଅସହମତି ନରହୁ: ଧର୍ମେନ୍ଦ୍ର

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ

ଭୁବନେଶ୍ବର : ସମସ୍ତଙ୍କୁ ବିଶୁଦ୍ଧ ପାଣି ଦିଆଯାଉ, ସମସ୍ତଙ୍କ ଆର୍ଥିକ ସଂପନ୍ନତା ହେଉ, ରୋଜଗାର ମିଳୁ, ସ୍ବାଭିମାନୀ ଭାବେ ରହନ୍ତୁ, ସମସ୍ତଙ୍କୁ ଠିକ୍ ଶିକ୍ଷା ମିଳୁ, ସମସ୍ତେ ଖାଦ୍ୟ ପାଆନ୍ତୁ, ପୁଷ୍ଟିକର ଖାଦ୍ୟ ପାଆନ୍ତୁ, ସମସ୍ତଙ୍କୁ ସ୍ବାସ୍ଥ୍ୟ ସେବା ମିଳୁ। ବୋଧହୁଏ ଏ କ୍ଷେତ୍ରରେ ସମାଜରେ କେତେବେଳେ ଅସହମତି ନଥାଏ। ତେବେ ଅସହମତି ଥା‌ଏ କେଉଁଭଳିଆ ଭାବେ ଦିଆଯିବ, କିଏ ଦେବ, କେତେ ସମୟ ଲାଗିବ, କେଉଁଭଳିଆ ଦୃଷ୍ଟିର ଲୋକ ଦାୟିତ୍ବରେ ଥିଲେ, ଜଲ୍‌ଦି ଦେବ କି ବିଳମ୍ବ କରିବ।

ରାଜ୍ୟରେ ବିଜେଡି ସରକାର ଅଛି, କେନ୍ଦ୍ରରେ ଏନ୍‌ଡିଏ ସରକାର ଅଛି। ଶାସକ ଦଳ ଯାହା କହିବ ସେଥିରେ ବିରୋଧୀ ରାଜି ନହୋଇପାରନ୍ତି। କିନ୍ତୁ ଓଡ଼ିଶାର ସ୍ବାର୍ଥ ଓ ବିକାଶ ପାଇଁ ଯାହା ବି ହେଉଛି ସେଥିରେ କାହାର ଅସହମତି ନ ରହିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘କନକ ନ୍ୟୁଜ୍‌’ର ୧୦ବର୍ଷ ପୂର୍ତ୍ତି ଅବସରରେ ହୋଟେଲ ସ୍ବସ୍ତି ପ୍ରିମିୟମ‌େର ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗଦେଇ କହିଲେ ଯେ ନିର୍ବାଚନ ବେଳେ ତୁତୁ ମେଁ ମେଁ ରହିବା ସ୍ବାଭାବିକ। ଆମେ ଅନ୍ୟ ଦଳକୁ ବିରୋଧ କରୁଥିଲୁ ସେମାନଙ୍କ ବିରୋଧରେ କହୁଥିଲୁ, ସେମାନେ ଆମ ବିରୋଧରେ କହୁଥିଲେ। ହେଲେ ନିର୍ବାଚନ ପରେ ତାହା ହେବା ଠିକ୍ ନୁହେଁ। ୫ବର୍ଷରୁ ସାଢ଼େ ୪ବର୍ଷ ସମସ୍ତେ ମିଳିମିଶି କାମ କରିବା ଦରକାର। ସାଢ଼େ ୪ବର୍ଷ ବିକାଶ ଓ ଶେଷ ୬ ମାସ ଖୋଲା ରାଜନୈତିକ ଓ ବୈଚାରିକ ଲଢ଼େଇ ପାଇଁ ମତ ରଖିବା ସହ ଗଣମାଧ୍ୟମ ବିକାଶକୁ ମୂଳ ଏଜେଣ୍ଡା କରୁ। ଓଡ଼ିଶାର ବିକାଶ ନେଇ ସମସ୍ତେ ଏକାଠି ହୋଇ କାମ କରିବା ଦରକାର। ଯେଉଁଠି ସମନ୍ବୟ ଅଭାବ ରହୁଛି ଗଣମାଧ୍ୟମ ତାହା ଉପରେ ବିତର୍କ କରୁ। କିନ୍ତୁ ଅଯଥାରେ ବିବାଦ ସୃଷ୍ଟି ନକରୁ। ଆମ ସମସ୍ତଙ୍କୁ ମିଶି ନୂଆ ଓଡ଼ିଶା ଗଠନ କରିବାକୁ ହେବ।

ସେହିଭଳି ସମାଜର ବିକାଶ ନେଇ ନିର୍ବାଚିତ ପ୍ରତିନିଧିଙ୍କର ଯେତିକି ଦାୟିତ୍ବ ରହିଛି, ସମାଜର ବି ସେତିକି ଦାୟିତ୍ବ ରହିଛି। କେଉଁଠି ସରକାର ଚାହିଁଲେ ବି ବଡ଼ ଧରଣର ପରିବର୍ତ୍ତନ ଆଣିପାରିବେନି। ଏହା କେବଳ ସମ୍ଭବ ଯେତେବେଳେ ସମାଜ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରହିବ। ଯେଉଁ ସମାଜ ନିଜ ଦାୟିତ୍ବ ସମ୍ପର୍କରେ ଅଧିକରୁ ଅଧିକ ଜାଗୃତ ଅଛି ସେହି ସମାଜର ବିକାଶକୁ କେହି ଅଟକାଇପାରିବେନି। ଜର୍ମାନ୍ ଓ ଇସ୍ରାଏଲ ପରି ରାଷ୍ଟ୍ର ପୃଥିବୀ ପାଇଁ ମଡେଲ୍‌ ସୃଷ୍ଟି କରିଛନ୍ତି। ଦୁଇଟି ବିଶ୍ବଯୁଦ୍ଧର କେନ୍ଦ୍ର ବିନ୍ଦୁ ଜର୍ମାନ ଅତ୍ୟନ୍ତ ଶୋଚନୀୟ ସ୍ଥିତିରୁ ବାହାରି ନୂଆ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହୋଇଛି। ସାମାଜିକ ଦୃଷ୍ଟିରୁ ଦେଖିବାକୁ ଗଲେ ଇସ୍ରାଏଲ୍‌ରେ ପାଣିର ଅଭାବ ଥିବା ପରେ ମଧ୍ୟ ସେମାନେ ଉନ୍ନତମାନର ଚାଷ କରି ଦୁନିଆ ପାଇଁ ଗୋଟିଏ ମଡେଲ୍‌ ତିଆରି କରିପାରିଛନ୍ତି। ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ବିତର୍କ ହେବା ଦରକାର।

ଆଗାମୀ ୧୦୦ ବର୍ଷରେ କ’ଣ ହେବ, ବିଶ୍ବ କେଉଁ ମୂଲ୍ୟବୋଧକୁ ନେଇ ଆଗକୁ ଯିବାକୁ ଚାହୁଁଛି, କେଉଁ ଅଞ୍ଚଳ ଘଟଣା ବହୁଳ ହେବାକୁ ଯାଉଛି ତାହାକୁ ବର୍ତ୍ତମାନର ଜ୍ଞା‌ନକୌଶଳରେ ମାପିବା ଅସମ୍ଭବ ନୁହେଁ। ଏହାକୁ ମାପିବା ଓଡ଼ିଶାବାସୀଙ୍କର ତାକତ୍ ଅଛି। କାରଣ ଓଡ଼ିଶା ପୃଥିବୀର ଘଟଣାବହୁଳ ସ୍ଥାନ ହେବାକୁ ଯାଉଛି।

ଏହି ଅବସରରେ ‘ସମ୍ବାଦ’ ଓ କନକ ନ୍ୟୁଜ୍‌ର ପ୍ରାଣ ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଯେଉଁଠି ଗୋଟିଏ ପରିବାର ଦୀର୍ଘ ବର୍ଷ ଚାଲୁନି ସେଠାରେ ଆପଣ ଗୋଟିଏ ସଂଗଠନକୁ ବିଶେଷକରି ଖବରକାଗଜ, ଟିଭି ଚ୍ୟାନେଲ, ଏଫ୍ଏମ୍ ରେଡିଓ ଚ୍ୟାନେଲକୁ ନେଇ ଗଠିତ ମିଡିଆ ହାଉସ୍‌କୁ ଏତେ ବର୍ଷ ଚଲାଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ହୁଏତ ଆପଣଙ୍କ ସତ୍ତ୍ବରେ ଏହି ସଂସ୍ଥା ଥାଇପାରେ କିନ୍ତୁ ଲୋକଙ୍କର ଆସ୍ଥା ଓ ଭରସା ସମ୍ବାଦ ଓ କନକ ନ୍ୟୁଜ୍ ଉପରେ ବନି ସାରିଛି। ଏଥିରେ ଦ୍ବିମତ ନାହିଁ।

ଏହି କାର୍ଯ୍ୟକ୍ରମକୁ କନକ ନ୍ୟୁଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ପରିଚାଳନା କରିଥିଲେ। ଏହି ଅବସରରେ କନକ ନ୍ୟୁଜ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର