ଭିନ୍ନମତକୁ ବରଦାସ୍ତ କରିବାର ମାନସିକତା ହ୍ରାସ ପାଉଛି: ସୌମ୍ୟରଂଜନ

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଭିନ୍ନମତ ଗଣତନ୍ତ୍ରର ଏକ ଶକ୍ତି। କିନ୍ତୁ ଆମ ଗଣତନ୍ତ୍ରରେ ଭିନ୍ନମତକୁ ବରଦାସ୍ତ କରିବାର ମାନସିକତା କ୍ରମଶଃ ହ୍ରାସ ପାଉଛି। ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ହୋଇଥିଲେ ମଧ୍ୟ ଅନ୍ୟ ୩ଟି ସ୍ତମ୍ଭ ତାହାକୁ ଭାଙ୍ଗିବାକୁ ବସିଲେଣି। ପ୍ରଧାନମନ୍ତ୍ରୀ ଯାହା ଦେଖିପାରୁନାହାନ୍ତି, ମୁଖ୍ୟମନ୍ତ୍ରୀ ଯାହା ଶୁଣିପାରୁନାହାନ୍ତି ତାହା ସେମାନଙ୍କୁ ଦେଖେଇବାର ବା ଶୁଣେଇବାର ଦାୟିତ୍ବ ଗଣମାଧ୍ୟମର ରହିଛି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଦୈନିକ ଖବର କାଗଜ ‘ସମାଜ’ର ଶତବର୍ଷ ପୂର୍ତ୍ତି ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ। କହିଥିଲେ, ଓଡ଼ିଶାର ବରେଣ୍ୟ ଜନନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜ ଅନୁଷ୍ଠାନକୁ ନମସ୍କାର ନ କରି ରହି ହେଉନାହିଁ । ୧୦୦ ବର୍ଷର ‘ସମାଜ’କୁ ଦେଖିଲେ ୩୫ ବର୍ଷର ଯୁବକ ‘ସମ୍ବାଦ’ ଉତ୍ସାହିତ ହେଉଛି ।

ପ୍ରାରମ୍ଭରେ ‘ସମ୍ବାଦ’ର ସଂପାଦକ (ଫିଚର) ଗୌରହରି ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ‘ସମ୍ବାଦ ଗ୍ରୁପ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ‘ସମ୍ବାଦ’ ମାତ୍ର ୩୫ ବର୍ଷ ମଧ୍ୟରେ ୬୬ ଲକ୍ଷରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚିପାରିଛି େବାଲି ସୂଚାଇଥିଲେ। କହିଥିଲେ, ଏହା ଏକ ସାଧାରଣ ସଫଳତା ନୁହେଁ। ଏହି ସଫଳତା ପଛରେ ପାଠକ, ବିତରକ ଓ ସାଧାରଣ ଜନତାଙ୍କ ଆଶୀର୍ବାଦ ରହିଛି।

ଶେଷରେ ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ‘ସମ୍ବାଦ’ର ସଫଳ ଯାତ୍ରା ଲାଗି ପାଠକ, ବିତରକ, ବିଜ୍ଞାପନଦାତା ଓ ସାଧାରଣ ଜନତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ। ସଂଗ୍ରାମ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅବସରରେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କର ଉନ୍ମୋଚନ ହୋଇଥିଲା। ପୂର୍ବରୁ ସମ୍ବାଦ ପକ୍ଷରୁ ଆେୟାଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ, ବିତର୍କ ଓ ସାରେଗାମା ପ୍ରତିଯୋଗିତାର କୃତୀ ପ୍ରତିେଯାଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର