ଶିକ୍ଷା, ସ୍ୱାସ୍ଥ୍ୟ ଓ ସୂଚନା ଭଳି ତିନିଟି ମୌଳିକ କଥାକୁ ନେଇ ରାଷ୍ଟ୍ର ବିଭାଜନ ହେବାକୁ ବସିଛି : ସୌମ୍ୟରଂଜନ

ଭୁବନେଶ୍ୱର : ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବରେ ସ୍ୱାଗତ ଭାଷଣ ଦେଇ ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ଆଜିର ଅତିଥି ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରାଜନୈତିକ ସଫଳତାର ଅଧିକାରୀ ହୋଇଛନ୍ତି ତାହା ଅଭୂତପୂର୍ବ, ଈର୍ଷଣୀୟ। ଏହି ସଫଳତା ବହୁତ କମ୍‌ ଲୋକଙ୍କୁ ଭାରତରେ ମିଳିଛି। ଏହି ସଫଳତା କାହିଁକି ଈଶ୍ବର ଆପଣଙ୍କୁ ଦେଇଛନ୍ତି ତାହା ଆପଣ ନିଶ୍ଚିତ ଚିନ୍ତା କରୁଥିବେ। ମୁଁ ଭାବୁଛି ଗରିବ ଓଡ଼ିଶାକୁ ଆଗେଇ ନେବା ପାଇଁ ଏବଂ ଓଡ଼ିଶାର ଜଣେ କେହି ପୁଅକୁ ଏପ୍ରକାରର ଦାୟିତ୍ବ ଦେବା ପଛରେ ଜଗନ୍ନାଥଙ୍କର ମଧ୍ୟ ଗୋଟିଏ ଇଚ୍ଛା ଅଛି ଯେ, ଆପଣଙ୍କ ମାଧ୍ୟମରେ ଓଡ଼ିଶାର ଅଭୂତପୂର୍ବ ଉନ୍ନତି ସାଧିତ ହୋଇପାରିବ। ଆପଣଙ୍କୁ କେବଳ ନିବେଦନ କରିବାକୁ ଚାହିଁବି, ଅନେକ ତ ଇଚ୍ଛା କରୁଛନ୍ତି, ସମସ୍ତେ ଗୋଟିଏ କଥା କହୁଛନ୍ତି ବିକାଶର କଥା। ସମସ୍ତେ ଗୋଟିଏ କଥା କହୁଛନ୍ତି ଲୋକଙ୍କର କଥା। ସମସ୍ତେ ଗୋଟିଏ କଥା କହୁଛନ୍ତି ଯେ ସମସ୍ତଙ୍କର ଭଲ ହେଉ, ଲୋକ ସୁଖରେ ରୁହନ୍ତୁ। କାହିଁକି କେଜାଣି ଆମ ଭିତରେ ଏନେଇ ସହମତି ହୋଇପାରୁନାହିଁ। ଆମେ ସମସ୍ତେ ଏକ ହୋଇପାରୁନାହୁଁ। କ’ଣ କଲେ ଆମ ଭିତରେ ଅଧିକ ସହମତି ହୋଇପାରିବ ଏନେଇ ଆମେ ସମସ୍ତେ ବ୍ୟସ୍ତ ଏବଂ ବିବ୍ରତ। ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ଫଳରେ ଆମେ ପରସ୍ପରକୁ ଅତିକ୍ରମ କରିବାକୁ, ପରସ୍ପରକୁ ଛୋଟ ଦେଖାଇବାକୁ ଚେଷ୍ଟା କରୁଛୁ। ଏହିଭଳି ଜାଗାରେ ଗଣମାଧ୍ୟମ କ’ଣ କରିପାରିବ ଆମେ ସମସ୍ତେ ବେଳେବେଳେ ସନ୍ଦେହରେ ପଡ଼ୁଛୁ। ସେଥିପାଇଁ ଆମର ସମ୍ପାଦକୀୟ ନୀତି ହୋଇଛି ଯେ, ନିରପେକ୍ଷ ନହୋଇ ପକ୍ଷଭୁକ୍ତ ହେବୁ। କାରଣ ଏ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ଗୋଟିଏ ପକ୍ଷକୁ ସ୍ବୀକାର କରିବାକୁ ପଡ଼ିବ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ସର୍ବୋପରି। ଏବେ କିନ୍ତୁ ରାଷ୍ଟ୍ର ନିର୍ମାଣରେ ବାରମ୍ବାର ଯେଉଁ କଥାଗୁଡ଼ିକୁ ଉଚ୍ଚାରଣ କରିବାକୁ ଚେଷ୍ଟା କରୁଛୁ ତାହା ଭିତରେ ସହମତିର ଅଭାବ ଦୃଷ୍ଟିରୁ ଆମେ ଅନେକ ସମୟରେ ପରସ୍ପର ବିରୋଧରେ ଦଣ୍ଡାୟମାନ ହେଉଛୁ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା, ସ୍ବାସ୍ଥ୍ୟ ଓ ସୂଚନା ଭଳି ତିନିଟି ମୌଳିକ କଥାକୁ ନେଇ ରାଷ୍ଟ୍ର ବିଭାଜନ ହେବାକୁ ବସିଛି। ଦୁଃଖର ସହ ସ୍ବୀକାର କରିବାକୁ ପଡ଼ୁଛି ଯେ, ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କରେ ସବୁ ସରକାର ନିଜ କଥା କହୁଥିବା ବେଳେ ଶିକ୍ଷା ଓ ସ୍ବାସ୍ଥ୍ୟ ହିଁ ସମାଜକୁ ବାଣ୍ଟିବାରେ ବ୍ୟସ୍ତ ଅଛି। ଶିକ୍ଷା କ୍ଷେତ୍ରରେ ଭଲ ଶିକ୍ଷା ଓ ଖରାପ ଶିକ୍ଷା, ଭଲ ସ୍କୁଲ ଏବଂ ଖରାପ ସ୍କୁଲ, ଭଲ କୌଶଳ ଏବଂ ଅଳ୍ପ କୌଶଳ। ଠିକ୍ ସେହିପରି ଭାବେ ସ୍ବାସ୍ଥ୍ୟ ଏପରି ଏକ ଅପରିହାର୍ଯ୍ୟ ପଦାର୍ଥ ହୋଇଥିଲେ ହେଁ ବିନା ପଇସାରେ ସ୍ବାସ୍ଥ୍ୟ ଲାଭ ସମ୍ଭବ ନୁହେଁ। ସରକାରୀ ବୀମା ସତ୍ତ୍ବେ ଆଜି ସ୍ବାସ୍ଥ୍ୟ ସେବା ହାସଲ କରିବାକୁ ହେଲେ ଆମକୁ କେତେ ପରିମାଣରେ ଭାରାକ୍ରାନ୍ତ ହେବାକୁ ପଡ଼ୁଛି ତାହା ସମସ୍ତେ ଅଙ୍ଗେ ନିଭାଉଛନ୍ତି। ସେହିଭଳି ସୂଚନାକୁ ବିତରଣ କରି ପାରିଲେ, ସମସ୍ତଙ୍କ ପାଖରେ ସବୁ କଥା ପହଞ୍ଚିପାରିଲେ ‌ହିଁ ସେମାନେ ମତ ନିର୍ମାଣ କରିପାରିବେ। କିନ୍ତୁ କେଜାଣି କାହିଁ ମତ ଏକ କରିବା ପାଇଁ ଯେଉଁ ସହମତିର ଆବଶ୍ୟକତା ଅଛି , ଯେଉଁ ସହମତି ପାଇଁ ଆମେ ମତ ବିତରଣ କରିବାକୁ ଚେଷ୍ଟା କରୁଛୁ ସେ ମତକୁ ବିଭିନ୍ନ ଦୃଷ୍ଟିକୋଣରୁ ଅନ୍ୟମାନେ ବିଚାର କରୁଛନ୍ତି। ଯାହାକୁ ଯେଉଁ ମତ ନସୁହାଇଲା ତାହା ଯେପରି ପ୍ରକାଶ ନପାଇବ ସେଥିପା‌ଇଁ ଚାପ ପ୍ରୟୋଗ କରିବାରେ ଆମେ କେହି ନିଜ ନିଜ କ୍ଷେତ୍ରରେ କୁଣ୍ଠାବୋଧ ପ୍ରକାଶ କରୁନାହୁଁ। କନକ ନ୍ୟୁଜ୍ ଏହି ଚାପକୁ ସମ୍ଭାଳିବା ପାଇଁ, ବରଦାସ୍ତ କରିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛି। ଏହି ଉଦ୍ୟମ କ‌ଲାବେଳେ ହୁଏତ କେତେବେଳେ ଭୁଲଭଟକା କରିଥାଇପାରୁ। ମୁଁ କେବଳ ଏତିକି ବିନମ୍ରତାର ସହିତ କହିବାକୁ ଚାହେଁ ଯେ, ଭିନ୍ନମତକୁ ସମ୍ମାନ ଦେଲେ, ଅଳ୍ପ ମତକୁ ସମ୍ମାନ ଦେଲେ, ଅନ୍ୟ ମତକୁ ସମ୍ମାନ ଦେଲେ ନିଜ ମତର ପରକାଷ୍ଠା ସମ୍ପର୍କରେ ଯେଉଁ ଅସ୍ମିତା ଅଛି, ବିଶ୍ବାସ ଅଛି ତାହା ଅତ୍ୟନ୍ତ ସମୃଦ୍ଧ ହେବ ସିନା ଦୁର୍ବଳ ହେବ ନାହିଁ।

ସମ୍ବନ୍ଧିତ ଖବର