ଗଣତନ୍ତ୍ରର ହତ୍ୟାକାରୀ ଗଣମାଧ୍ୟମକୁ କବ୍‌ଜା କରନ୍ତି: ଯୋଗେନ୍ଦ୍ର

‘ସମ୍ବାଦ’ର ୩୭ତମ ଓ ‘କନକ ନ୍ୟୁଜ୍‌’ର ୧୨ତମ ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ୱର : ବିଂଶ ଶତାବ୍ଦୀରେ ଗଣତନ୍ତ୍ରର ହତ୍ୟା କରିବାର ମଡେଲ ଥିଲା ଗୋଟିଏ ଝଟ୍‌କାରେ ସବୁକିଛି ଶେଷ କରିଦେବା। ରେଡିଓ କିମ୍ବା ଟିଭିରେ ଆସି ଜଣେ କହୁଥିଲେ, ଗଣତନ୍ତ୍ର ଆଜିଠୁ ଶେଷ ହେ‌ଲା ଏବଂ ଏବେଠାରୁ ମାର୍ଶଲ ଆଇନ୍ ଲାଗୁ ହେଲା। ହେଲେ ବର୍ତ୍ତମାନର ସମୟରେ ଏସବୁ ପୁରୁଣା ହୋଇଗଲାଣି। ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଯାଉଛି। ଗଣତନ୍ତ୍ରର ମନ୍ତ୍ର ପାଠ କରି ପ୍ରତି ଦିନ ଗଣତନ୍ତ୍ରକୁ ଗୋଟିଏ ଗୋଟିଏ ଇଞ୍ଚ୍‌ ଛୁରିରେ କଟାଯାଉଛି। ଗଣତନ୍ତ୍ରକୁ ହତ୍ୟା କରିବା ସମୟରେ କିଛି ପ୍ରତିଷ୍ଠାନମାନଙ୍କୁ କବ୍‌ଜା କରାଯାଇଥାଏ। ଏଥିରେ ଆଗରେ ରହିଛି ଗଣମାଧ୍ୟମ। ଗଣତନ୍ତ୍ରର ହତ୍ୟାକାରୀ ସବୁବେଳେ ଗଣମାଧ୍ୟମକୁ ହିଁ ପ୍ରଥମେ କବ୍‌ଜା କରିଥାନ୍ତି ବୋଲି କହିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ, ରାଜନୈତିକ ଚିନ୍ତକ ତଥା ସ୍ବରାଜ ଇଣ୍ଡିଆର ସଭାପତି ଯୋଗେନ୍ଦ୍ର ଯାଦବ।

ସୋମବାର ଦିନ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ‘ସମ୍ବାଦ’ର ୩୭ତମ ଓ ‘କନକ ନ୍ୟୁଜ୍‌’ର ୧୨ତମ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଯାଦବ କହିଥିଲେ ଯେ ୨୦୧୮ ମସିହାରେ ଆମେରିକାର ଷ୍ଟିଭେନ୍‌ ଲିଭେସ୍କି ଓ ଡାନିଏଲ ଜିବଲେଟ୍‌ଙ୍କ ଦ୍ବାରା ଲିଖିତ ପୁସ୍ତକ ‘ହାଓ ଡେମୋକ୍ରେସିଜ୍ ଡାଏ’ ମୁଖ୍ୟତଃ ଆମେରିକା, ରୁଷିଆ ଓ ତୁର୍କିରେ ଗଣତନ୍ତ୍ର ଅବକ୍ଷୟ ସଂପର୍କରେ ଲେଖ‌ାଯାଇଛି। ଏହା ଭାରତ ଉପରେ ଆଧାରିତ ନ ଥିଲେ ମଧ୍ୟ ପୁସ୍ତକରେ ବର୍ଣ୍ଣିତ ବିଷୟ ଆମ ଦେଶ ପାଇଁ ଅନେକ ଦୃଷ୍ଟିରୁ ଶିକ୍ଷଣୀୟ। ଆଜିର ସମୟରେ ଗଣମାଧ୍ୟମ ଉପରେ ସେନ୍‌ସରସିପ୍ ନାହିଁ ବୋଲି ବାରମ୍ବାର କୁହାଯାଉଛି। ହେଲେ ବେଳେବେଳେ ଏମିତି ଲାଗୁଛି ଯେ ସେନସରସିପ୍ ଥିଲେ ହୁଏତ ଭଲ ହୋଇଥାନ୍ତା। କାରଣ ସେନସରସିପ୍‌ ଥିଲେ ପାଠକ ଜାଣିପାରନ୍ତା ଯେ ଗଣମାଧ୍ୟମରେ ଯାହା କୁହାଯାଉଛି ତାହା ସଂପୃକ୍ତ ଗଣମାଧ୍ୟମର ବକ୍ତବ୍ୟ ନୁହେଁ, ସରକାରଙ୍କ ନିର୍ଦ୍ଦେଶରେ ଖବର ପରିବେଷିତ ହୋଇଛି। ମାତ୍ର ଏବେ ସେନ୍‌ସରସିପ୍‌ଠାରୁ ମଧ୍ୟ ଖରାପ ସ୍ଥିତି ରହିଛି; ଯାହା ଉପରକୁ ଦୃଶ୍ୟମାନ ହୋଇ ନ ଥାଏ। ଏବେ କେବଳ ସରକାରଙ୍କଠାରୁ ନିର୍ଦେଶ ଆସୁନାହିଁ; ଦଳ, ବ୍ୟବସାୟିକ ପ୍ରତିଷ୍ଠାନଠୁ ମଧ୍ୟ ନିର୍ଦେଶ ଆସୁଛି। ଏବେ ଅଦୃଶ୍ୟ ସେନସରସିପ୍ ସହିତ ଡିଲରସିପ୍, କୋର୍ଟସିପ୍, ରିଲେସନସିପ୍ ଓ ସେନ୍‌ସସିପ୍ ଦେଖିବାକୁ ମିଳୁଛି।

ଏହାକୁ ବୁଝାଇବାକୁ ଯାଇ ଶ୍ରୀ ଯାଦବ କହିଥିଲେ ଯେ ଏକ ଖାସ୍ ବିଚାରାଧାରା ଉପରେ ରୁଚି ରଖୁଥିବା ଲୋକଙ୍କୁ ଗଣମାଧ୍ୟମରେ ଆଗକୁ ବଢ଼ିବାକୁ ଦିଆଯାଉଛି। ଯାହା ଫଳରେ ସମ୍ବିଧାନର ମୂଲ୍ୟବୋଧ ବିରୋଧୀ ଖବର ପ୍ରଥମ ପୃଷ୍ଠ‌ାରେ ପ୍ରକାଶ ପାଉଛି। ସେହିପରି ଆଜିକାଲି ବିଚାରପତିଙ୍କଠାରୁ ଆରମ୍ଭ କରି ସଂପାଦକ, ମାଲିକ ପର୍ଯ୍ୟନ୍ତ ସବୁ‌ ଲୋକ ଏବଂ ସେମାନଙ୍କ ସଂପର୍କୀୟଙ୍କ ବ୍ୟକ୍ତିଗତ ଆବଶ୍ୟକତା, ସ୍ବାର୍ଥ, ‌ଦୋଷ ଦୁର୍ବଳତା ଆଦିର ଫାଇଲ୍‌ ରଖାଯାଉଛି। ଯେତେବେଳେ ଯାହାର ଆବଶ୍ୟକତା ପଡ଼ୁଛି ସେମାନଙ୍କୁ ସେମାନଙ୍କ ଫାଇଲ ଦେଖାଇ ଦିଆଯାଉଛି ଏବଂ ତାଙ୍କୁ ହାତମୁଠାରେ ରଖି କାମ ହାସଲ କରାଯାଉଛି। ଅନ୍ୟପକ୍ଷରେ ଏମିତି ବାତାବରଣ ସୃଷ୍ଟି କରାଯାଉଛି ଯେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ବା ସଂପାଦକ କିଛି ଲେଖିବା ପୂର୍ବରୁ ଭାବୁଛି ଯେ ଏଭଳି ଲେଖା ଲେଖିବା ଉଚିତ କି ନୁହେଁ। ଏହି ପ୍ରକାର ‘ସେନ୍‌ସିପ୍’ ଯୋଗୁଁ ଗଣମାଧ୍ୟମ କ୍ଷମତାସୀନ ଦଳ ବା ସରକାରକୁ ପ୍ରଶ୍ନ କରିପାରୁ ନାହିଁ। ଦେବାଶିଷ ରୟ ଚୌଧୁରୀ ଓ ଜନ୍ କିନ୍‌ଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଟୁ କିଲ୍‌ ଏ ଡେମୋକ୍ରେସି’ ଭଳି ଏକ ପୁସ୍ତକକୁ ଦେଶରେ ଛାପିବା ପାଇଁ ପ୍ରକାଶକ ସୁରକ୍ଷିତ ମଣୁ ନାହାନ୍ତି। ଏସବୁ ସେନସରସିପ୍‌ଠାରୁ ବି ଅଧିକ ଭୟଙ୍କର ବୋଲି ଶ୍ରୀ ଯାଦବ ଅଭିହିତ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତମାନ ସମୟରେ ବି ଦେଶରେ ମୁଦ୍ରିତ ଗଣମାଧ୍ୟମ ପ୍ରକୃତ ଖବର ପ୍ରକାଶନ ପ୍ରମୁଖ ମାଧ୍ୟମ ରହିଛି। ସାରା ବିଶ୍ବରେ ଯେତେବେଳେ ମୁଦ୍ରିତ ଗଣମାଧ୍ୟମ ସଂକୁଚିତ ହେବାକୁ ବସିଲାଣି, ସେ ସମୟରେ ‘ସମ୍ବାଦ’ ଭଳି ଗଣମାଧ୍ୟମର ବିସ୍ତାର ହେଉଛି। ପ୍ରଥମ ପିଢ଼ିର ଶିକ୍ଷାର୍ଥୀଙ୍କ ନିକଟରେ ମୁଦ୍ରିତ ଗଣମାଧ୍ୟମ ପହଞ୍ଚୁଛି। ଏହାସତ୍ତ୍ବେ ସଚ୍ଚୋଟ ଗଣମାଧ୍ୟମ ଦେଶରେ ନିଜର ଶେଷ ‌ନିଶ୍ବାସ ନେଉଛି। ବିଶ୍ବର ୧୮୦ଟି ଦେଶକୁ ନେଇ ମିଡିଆ ଫ୍ରିଡମ୍‌ ଇଣ୍ଡେକ୍ସରେ ଭାରତର ସ୍ଥାନ ୧୪୨ ନମ୍ବରରେ ରହିଛି। ଏପରିକି ଶ୍ରୀଲଙ୍କା ମଧ୍ୟ ଭାରତଠାରୁ ଆଗରେ ରହିଛି। ହେଲେ ଆମେ ଦୁନିଆର ସବୁଠାରୁ ବଡ଼ ଗଣତନ୍ତ୍ର ବୋଲି ଛାତି ପିଟି ଚାଲିଛେ। ଏଭଳି ଏକ ଜଟିଳ ସମୟରେ ସମ୍ବାଦ ବା ଆଲୋଚନା ଦୁଇପଟୁ ହୋଇଥାଏ। କହିବା ଓ ଶୁଣିବା ପାଇଁ ଇଚ୍ଛା ସହିତ ମୁକ୍ତ ମସ୍ତିଷ୍କର ଆବଶ୍ୟକତା ରହିଛି। ଆଜିର ଭାରତରେ ଏହି ଦୁଇଟା ପାଇଁ ଶକ୍ତି ଓ ସାହସ ରହିବା ଜରୁରୀ ବୋଲି ଶ୍ରୀ ଯାଦବ କହିଥିଲେ।

ଉତ୍ସବରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଲକ୍ଷଣ ଦେଖା ଦେଇଛି। ଜଣେ ସାମ୍ବାଦିକର ଧର୍ମ ହେଲା କ୍ଷମତାସୀନ ଦଳକୁ ପ୍ରଶ୍ନ ପଚାରିବା। ମାତ୍ର ଆଜିର ସମୟରେ ବିରୋଧୀଙ୍କୁ ପ୍ରଶ୍ନ ପଚାରିବାକୁ ପ୍ରମୁଖ ଗଣମାଧ୍ୟମମାନେ ପସନ୍ଦ କରୁଛନ୍ତି। ଗଣତନ୍ତ୍ର କିଛି ବର୍ଷ ପୂର୍ବରୁ ଦଳତନ୍ତ୍ରରେ ପରିଣତ ହୋଇଥିଲା। ମାତ୍ର ଦଳତନ୍ତ୍ର ଏବେ ରହିବ କି ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଲାଣି। କାରଣ ଦଳତନ୍ତ୍ର ଏବେ ଅମଲାତନ୍ତ୍ରର ନିୟନ୍ତ୍ରଣକୁ ଚାଲିଯିବାକୁ ବସିଲାଣି। ଅମଲାତନ୍ତ୍ରର କବ୍‌ଜାରୁ ମୁକ୍ତି ପାଇବାକୁ ହେଲେ ଗଣମାଧ୍ୟମର ସାହାଯ୍ୟ ଜରୁରୀ। ସତ୍ୟର ପକ୍ଷଧର ହେବାକୁ ହେଲେ ସାହିତ୍ୟିକ, ବୁଦ୍ଧିଜୀବୀ ଓ ଶିକ୍ଷିତ ବ୍ୟକ୍ତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଉତ୍ସବର ଅନ୍ୟତମ ଅତିଥି ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଉପସ୍ଥିତ ଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକ‌ା ନୈୟାର ପଟ୍ଟନାୟକ ସମ୍ବାଦ ଗ୍ରୁପ୍‌ର ସଫଳତାର କାହାଣୀ ବଖାଣିଥିଲେ। ଏହି ଅବସରରେ ‘ସମ୍ବାଦ’ର ସ୍ବନକ୍ଷତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ପୂର୍ବରୁ ଆୟୋଜିତ ବା‌ର୍ଷିକ ପ୍ରତି‌ଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ‘ସମ୍ବାଦ’ର କାର୍ଟୁନିଷ୍ଟ ଦେବାଶିଷ ସିଂ ପ୍ରସ୍ତୁତ କରିଥିବା ତୈଳଚିତ୍ରକୁ ଦୁଇ ଅତିଥିଙ୍କୁ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ‌ଶେ‌ଷ‌ରେ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର