ଭୁବନେଶ୍ୱର: ପ୍ରଭୁ ମହାଦେବଙ୍କ ପାଇଁ ସମର୍ପିତ ଭଜନ ‘ଆଦିଦେବ ମହାଦେବ ହେ ଦୟାନିଧେ...’ରୁ ଆରମ୍ଭ ହୋଇଥିଲା ସ୍ବରର ମହାସଂଗ୍ରାମ। ଏହା ପରେ ‘ଯମୁନା ଯାଅ ନା.....’, ‘ପୁଣ୍ୟରେ ନଦୀ ତୀରେ....’, ‘ନାମ ଗୁମ୍‌ ଜାୟେଗା....’ ଭଳି ଚିରସବୁଜ ସଙ୍ଗୀତ ଶ୍ରୋତାଙ୍କୁ ଆହ୍ଲାଦିତ କରିଥିଲା।  କିଏ ନିଜ ସ୍ବରର କାରିଗରୀ ଦେଖାଉଥିଲା ତ କିଏ ନିଜ ସୁରର ଜ୍ଞାନ...। କିଏ ଉଚ୍ଚ ସ୍କେଲ୍‌ରେ ଗାଇ ଦର୍ଶକଙ୍କୁ ବିମୋହିତ କରୁଥିଲା ପୁଣି କିଏ ଉଚ୍ଚ ଓ ନୀଚ ସ୍କେଲ୍‌ର ମିଶ୍ରଣରେ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା। ଅବସର ଥିଲା ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତା ‘ସାରେଗାମା’‌। ଜୟଦେବ ଭବନରେ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇଥିବା ସ୍ୱର ଓ ତାଳର ଏଭଳି ମହାସମରରେ ବିଜୟ ମୁକୁଟ ପାଇଁ ପ୍ରତିଯୋଗୀମାନେ ଜୋରଦାର୍‌ ଲଢ଼େଇ ଆରମ୍ଭ କରି ଦେଇଥିଲେ। ଜୟଦେବ ଭବନ ପରିସର ଶାସ୍ତ୍ରୀୟ ଲଘୁ ସଙ୍ଗୀତ ମହୋତ୍ସବରେ ପରିଣତ ହୋଇଯାଇଥିଲା। ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ତନୁଶ୍ରୀ ଜେନା ପ୍ରଥମ, ଅନୁଗୁଳର ଓଡିଏମ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଯୁକ୍ତ ଦୁଇ ଛାତ୍ରୀ ମୌସୁମୀ ଦାସ ଦ୍ୱିତୀୟ ଓ ବଲାଙ୍ଗୀର ସରକାରୀ ପଲିଟେକନିକ୍‌ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ରୋନକ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କଣ୍ଠଶିଳ୍ପୀଙ୍କୁ ଉତ୍ସାହିତ କରିବା ସହିତ ସଙ୍ଗୀତ ଶୃଙ୍ଖଳା ଓ ସମର୍ପଣ ଶିଖାଏ ବୋଲି କହିଥିଲେ। 

Advertisment

ଗତ ୧୪ ତାରିଖରେ ରାଜ୍ୟର ୯ଟି ଜୋନ୍‌ରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଜୋନ୍‌ସ୍ତରୀୟ ସାରେଗାମା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ ବିଜୟ ହୋଇଥିବା ୨୪ ପ୍ରତିଯୋଗୀ ଆଜି ଏହି ରାଜ୍ୟସ୍ତରୀୟ ସାରେଗାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକୋତ୍ସବ ସଭାରେ ପୁରସ୍କୃତ କରାଯିବ। ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ପ୍ରକାଶ ମହାନ୍ତି, ପ୍ରଶାନ୍ତ ପାଢ଼ୀ ଓ କଣ୍ଠଶିଳ୍ପୀ ଅନସୂୟା ନାଥ ଯୋଗ ଦେଇଥିଲେ। ପ୍ରତିଯୋଗୀମାନଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ସୁବ୍ରତ କୁମାର ବେହେରା, ସଞ୍ଜୟ କୁମାର ରାଉତ, ଦେବାଶିଷ କର। ପ୍ରତିଯୋଗିତା ଶେଷରେ ବିଚାରକ ପ୍ରଶାନ୍ତ ପାଢ଼ୀଙ୍କ କଣ୍ଠରେ ‘ପ୍ରେମ ନା ଏ ଆଉ କିଛି’ ସଙ୍ଗୀତ ଫଳାଫଳ ପାଇଁ ବହୁସମୟ ଧରି ଅପେକ୍ଷା କରିଥିବା କଣ୍ଠଶିଳ୍ପୀଙ୍କୁ ଉତ୍ସାହିତ କରିଦେଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ଓମ୍‌ପ୍ରକାଶ ମହାନ୍ତିଙ୍କ ଆଗାମୀ ସଙ୍ଗୀତ ‘ମୁଁ ତ ମୋର ଭଲରେ ଥିଲି ଏକା ଏକୁଟିଆ’ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି କଣ୍ଠଶିଳ୍ପୀ ଅନସୂୟା ନାଥଙ୍କ କଣ୍ଠରେ ‘ଅନନ୍ତା’ ଚଳଚ୍ଚିତ୍ରର ଲୋକପ୍ରିୟ ସଙ୍ଗୀତ ‘ନୀଳମଣି ବାପା ନୀଳମଣି’ ଅନାବିଳ ମାତୃ ପ୍ରେମକୁ ବର୍ଣ୍ଣନା କରୁଥିଲା। ଆର୍‌ଜେ ଅନୀଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।