‘ସମ୍ବାଦ’ର ବାର୍ଷିକ ଉତ୍ସବ ଅ‌କ୍ଟୋବର ୪ରେ, ଏଥରର ଅତିଥି କରନ ଥାପର, ରାମ କ୍ରିପାଲ ସିଂହ

ଭୁବନେଶ୍ବର : ଆସନ୍ତା ଅ‌କ୍‌ଟୋବର ୪ ତାରିଖ ସନ୍ଧ୍ୟା ୬ଟାରେ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ (ଜୟଦେବ ବିହାର)ରେ ‘ସମ୍ବାଦ’ର ପଞ୍ଚତ୍ରିଂଶତ୍ (୩୫ ବର୍ଷ) ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଭାରତର ବିଖ୍ୟାତ ସାମ୍ବାଦିକ ଶ୍ରୀ କରନ ଥାପର ମୁଖ୍ୟ ଅତିଥି ଏବଂ ‘ନବଭାରତ ଟାଇମ୍ସ’ର ପ୍ରାକ୍ତନ ମୁଖ୍ୟ ସଂପାଦକ ଶ୍ରୀ ରାମ କ୍ରିପାଲ ସିଂହ ମୁଖ୍ୟବକ୍ତା ଭାବେ ଯୋଗଦେବେ। ଶ୍ରୀ ଥାପର ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏସିଏନ୍ ଟେଲିଭିଜନ୍ ପୁରସ୍କାର, ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପ୍ରେସ୍ ଇନ୍‌ଷ୍ଟିଚ୍ୟୁଟ୍‌ – ଇଣ୍ଡିଆ ପୁରସ୍କାର ଏବଂ ରାମନାଥ ଗୋଏଙ୍କା ପୁରସ୍କାର ଆଦି ଅନେକ ପୁରସ୍କାର ପାଇଛନ୍ତି। ୧୯୭୭ରେ ‘ଆଜ୍‌’ ପତ୍ରିକାରୁ ନିଜର ସାମ୍ବାଦିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସିଂହ ଆଜ୍‌ତକ୍ ଟିଭିରେ କାର୍ଯ୍ୟ କରିବା ସହିତ ନବଭାରତ ଟାଇମ୍ସର ମୁଖ୍ୟ ସଂପାଦକ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଏହି ଅବସରରେ ‘ସମ୍ବାଦ’ ତରଫରୁ ଆୟୋଜିତ ବିତର୍କ, ସାରେଗାମା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବରେ ‘ସମ୍ବାଦ’ର ଶୁଭେଚ୍ଛୁ ଓ ରାଜ୍ୟର ବୁଦ୍ଧିଜୀବୀମାନେ ଯୋଗଦେବା ପାଇଁ ‘ସମ୍ବାଦ’ ପରିବାର ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର