ଭୁବନେଶ୍ବର: ପ୍ରତ୍ୟେକ ଆଞ୍ଚଳିକ ଦଳର ସ୍ବତନ୍ତ୍ର ନୀତିଆଦର୍ଶ ରହିଥାଏ। ଏହାକୁ ପାଥେୟ କରି ଆଞ୍ଚଳିକ ଦଳମାନେ ଲୋକଙ୍କ ନିକଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବା ସହିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥାନ୍ତି। କ୍ଷମତାକୁ ଆସିବା ପରେ ଏହି ଦଳମାନେ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ଆବଶ୍ୟକ। ଆଞ୍ଚଳିକ ଦଳମାନେ ନିଜ ଅଞ୍ଚଳର ସ୍ବରକୁ ଉପଯୁକ୍ତ ଢଙ୍ଗରେ ଜାତୀୟ ସ୍ତରରେ ଉପସ୍ଥାପନ କରିଥାନ୍ତି। ନିଜ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଓ ରୋଜଗାର ପ୍ରତି ଯେଉଁ ପରିମାଣର ଗୁରୁତ୍ବ ଏକ ଆଞ୍ଚଳିକ ଦଳ ଦେଇପାରିବ, ସେଭଳି ଗୁରୁତ୍ବ ଏକ ଜାତୀୟ ଦଳ ଦେଇପାରିବ ନାହିଁ। ଏକ ରାଜ୍ୟର ଆଞ୍ଚଳିକ ଦଳ ଯେତେ ସୁଦୃଢ଼ ହେବ, ସେହି ରାଜ୍ୟର ସ୍ବର ସେହି ଅନୁଯାୟୀ ଶାଣିତ ହେବ। ଯଦି ପ୍ରତ୍ୟେକ ଆଞ୍ଚଳିକ ଦଳ ନିଜର ଆଦର୍ଶକୁ ଧରି ଚାଲନ୍ତି, ତେବେ ରାଜ୍ୟ ରାଜନୀତିକୁ ଦେଶର ପ୍ରଚ୍ଛଦପଟରେ ରଖିପାରିବେ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଞ୍ଚଳିକ ଦଳମାନେ ବଳିଷ୍ଠ ଭୂମିକା ଗ୍ରହଣ କରିଥାନ୍ତି। ଏଣୁ ଆଜିର ପରିସ୍ଥିତିରେ ମଧ୍ୟ ଆଞ୍ଚଳିକ ଦଳର ଗୁରୁତ୍ବ ରହିଛି। ନିଜର ମୂଳ ଆଦର୍ଶକୁ ନେଇ ଆଗକୁ ବଢ଼ିଲେ ଅଞ୍ଚଳିକ ଦଳର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ବଳମୟ ହେବ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ‘ସାମ୍ପ୍ରତିକ ପରିସ୍ଥିତିରେ ଆଞ୍ଚଳିକ ଦଳର ଭବିଷ୍ୟତ ଉଜ୍ଜ୍ବଳ’ ଶୀର୍ଷକ ପ୍ରସଙ୍ଗରେ ପ୍ରତିଯୋଗୀମାନେ ଏଭଳି ମତ ଦେଇଛନ୍ତି। ଜୟଦେବ ଭବନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜୋନ୍ ସ୍ତରରୁ ମନୋନୀତ ହୋଇଥିବା ୨୪ ଜଣ ପ୍ରତିଯୋଗୀ ବିତର୍କରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣ ପ୍ରସଙ୍ଗ ସପକ୍ଷରେ ଏହିପରି ଯୁକ୍ତି ଉପସ୍ଥାପନ କରିଛନ୍ତି।
ବିଷୟବସ୍ତୁ ବିପକ୍ଷରେ ମତ ରଖିଥିବା ପ୍ରତିଯୋଗୀଙ୍କ ଯୁକ୍ତି ଥିଲା, ଜାତୀୟ ଦଳମାନଙ୍କ ଛତ୍ରଛାୟା ତଳେ ରହି ଆଞ୍ଚଳିକ ଦଳମାନେ ଲକ୍ଷ୍ୟଚ୍ୟୁତ ହେବାର ଆଶଙ୍କା ରହିଛି। ଆଞ୍ଚଳିକ ଦଳ କେବଳ ନିଜ ରାଜ୍ୟକୁ ପ୍ରାଧାନ୍ୟ ଦେଇ କାମ କଲେ, ଜାତୀୟ ସ୍ବାର୍ଥ ବାଧାପ୍ରାପ୍ତ ହୋଇପାରେ। ମେଣ୍ଟ ସରକାରରେ କ୍ଷମତା ଲୋଭରେ ଜାତୀୟ ଦଳମାନେ ଆଞ୍ଚଳିକ ଦଳ ସହିତ ସାଲିସ କରି ବିଭିନ୍ନ ସମସ୍ୟାରେ ପଡ଼ିଥିବା ପୂର୍ବରୁ ବହୁ ନଜିର ରହିଛି। ଅନୁରୂପ ଭାବେ କ୍ଷମତାର ଲୋଭ ଦେଖାଇ ଜାତୀୟ ଦଳମାନେ ଆଞ୍ଚଳିକ ଦଳର ନୀତି ଓ ଆଦର୍ଶକୁ ହେୟଜ୍ଞାନ କରିବା ଦ୍ବାରା ଆଞ୍ଚଳିକ ଦଳର ଦବ୍ଦବା ହ୍ରାସ ପାଇଥାଏ।
ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳର ଛାତ୍ର ସନ୍ଦୀପ ଶେଖର ନାୟକ ପ୍ରଥମ, ବ୍ରହ୍ମପୁରସ୍ଥିତ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର ଛାତ୍ର ଅମ୍ବିକା ପ୍ରସାଦ ମହାପାତ୍ର ଦ୍ବିତୀୟ ଓ ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ପ୍ରସ୍ପିତା ପ୍ରିୟଦର୍ଶିନୀ ତୃତୀୟ ହୋଇଛନ୍ତି। ବିଚାରକ ଭାବେ ଯୋଗଦେଇ ପ୍ରାକ୍ତନ ମନ୍ତ୍ରୀ ବିଜୟ ମହାପାତ୍ର କହିଲେ, ରାଜନୈତିକ ପରିସ୍ଥିତିକୁ ତୃଣମୂଳ ସ୍ତରକୁ ଠିକ୍ ଭାବରେ ବୁଝି ନ ପାରିଲେ ବାସ୍ତବ ସ୍ଥିତି ସମ୍ପର୍କରେ ଜାଣିହେବ ନାହିଁ। ବିଭିନ୍ନ ଅଞ୍ଚଳର ଭୌଗୋଳିକ ସମସ୍ୟାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଦଳର ପରିକଳ୍ପନା କରାଯାଇଥାଏ। ପ୍ରତ୍ୟେକ ଦଳର ଲକ୍ଷ୍ୟ ହେଉଛି କ୍ଷମତାକୁ ଆସିବା। ନିଜର କାର୍ଯ୍ୟ ଓ ବିଚାରାଧାରକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଜରୁରି। ଭୋଟସର୍ବସ୍ବ ରାଜନୀତି ବଦଳରେ ଅଞ୍ଚଳର ସମସ୍ୟାକୁ ସମାଧାନ କରିବା ଦିଗରେ ସ୍ବର ଉତ୍ତୋଳନ କରିଲେ ଆଞ୍ଚଳିକ ଦଳର ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର ପ୍ରତିଯୋଗୀମାନଙ୍କ ମଧ୍ୟରେ ଥିବା ରାଜନୈତିକ ପରିପକ୍ବତାକୁ ପ୍ରଶଂସା କରିଥିଲେ।
ଅନ୍ୟତମ ବିଚାରକ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଲେ, ବର୍ତ୍ତମାନର ଏନ୍ଡିଏ ସରକାର ଦୁଇଟି ଆଞ୍ଚଳିକ ଦଳ ସହିତ ମେଣ୍ଟ ଯୋଗୁ ତିଷ୍ଠି ପାରିଛି। ଏଥିରୁ ଜଣାପଡ଼ିଥାଏ ଯେ ଆଞ୍ଚଳିକ ଦଳର ଭୂମିକା କେତେ ପ୍ରଭାବୀ। ଜାତୀୟ ସ୍ତରରେ ନିଜ ଅଞ୍ଚଳକୁ ପ୍ରତିନିଧିତ୍ବ କରିବା ଏବଂ ସମସ୍ୟାକୁ ଲୋକଲୋଚନକୁ ଆଣିବାର ଦାୟିତ୍ବ ଆଞ୍ଚଳିକ ଦଳର। ରାଷ୍ଟ୍ରର ସମନ୍ବିତ ବିକାଶ ପାଇଁ ଅଞ୍ଚଳିକ ଦଳମାନେ କ୍ଷମତାରେ ରହିବା ଆବଶ୍ୟକ। ଆଞ୍ଚଳିକ ଦଳ ସଶକ୍ତ ହେଲେ ଭାରତ ସଶକ୍ତ ହେବ। ଅନ୍ୟତମ ବିଚାରକ ପ୍ରାକ୍ତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ କହିଲେ ଯେ ସୁସ୍ଥ ଗଣତନ୍ତ୍ରରେ ସମସ୍ତଙ୍କ ସ୍ଥାନ ରହିଛି। କ୍ଷମତା ମିଳିଯିବା ପରେ ଆଞ୍ଚଳିକ ଦଳମାନେ ନିଜର ନୀତିକୁ ଭୁଲିଯାଉଛନ୍ତି। ଜାତୀୟ ଦଳର ପ୍ରାଦୁର୍ଭାବରେ ଆଞ୍ଚଳିକ ଦଳ ଦବିଯିବା କଥାନୁହେଁ। ଅନ୍ୟତମ ବିଚାରକ, ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଲେ, ଭିନ୍ନତା ମଧ୍ୟରେ ଏକତା, ଆମ ସମ୍ବିଧାନର ସ୍ବତନ୍ତ୍ରତା। ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ବିଭିନ୍ନ ଆଞ୍ଚଳିକ ଦଳର ମତଐକ୍ୟ ରହିବା ଜରୁରି। ମିଳିତ ସରକାର ସମୃଦ୍ଧ ରାଷ୍ଟ୍ର ଗଠନ କରେ। କାରଣ ଜାତୀୟ ଦଳର ସହଯୋଗ ରହିଲେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ନିଜ ସମସ୍ୟା ସମାଧାନ କରିବାରେ ସଫଳ ହୋଇଥାନ୍ତି। ଦଳର ଆଦର୍ଶରେ ବିବିଧତା ଥିଲେ ମଧ୍ୟ ରାଷ୍ଟ୍ର ହିତସାଧନ ହୋଇଥାଏ ବୋଲି ଶ୍ରୀ କାନୁନ୍ଗୋ କହିଥିଲେ। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।