ବରଗଡ଼: ବରଗଡ଼ ଜିଲ୍ଲାରେ ଆରମ୍ଭରୁ ହଟହଟା ହେଲେଣି ଚାଷୀ। ଅମଳ ଧାନକୁ ବିକି ପାରୁନାହାନ୍ତି। ମଣ୍ଡି ଖୋଲିଥିଲେ ବି ଧାନ କିଣାବିକା ହୋଇପାରୁନି। ଟୋକନ୍‌କୁ ନେଇ ଧାନ କିଣାବିକାରେ ଏକ ବଡ଼ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ଯାହା ପାଖରେ ଧାନ ଅମଳ ହୋଇ ଗଚ୍ଛିତ ଅଛି, ତାଙ୍କର ଟୋକନ୍‌ ନାହିଁ। ଟୋକନ୍‌ ଆସିଥିଲେ ବି ବିଳମ୍ବରେ ତାରିଖ ଅଛି। ଆଉ ଯାହାର ଟୋକନ୍‌ ଆସିଛି, ତାଙ୍କ ଧାନ ଅମଳ ହୋଇନି। ମନ୍ତ୍ରୀ ଯେଉଁ ମଣ୍ଡିରେ ପୂଜାର୍ଚ୍ଚନା କରିଥିଲେ, ସେଇ ମଣ୍ଡିରେ ବି ଆଦୌ ଧାନ କିଣାବିକା ହୋଇନାହିଁ। 

Advertisment

ଟୋକନ୍‌ ଥିଲେ ଧାନ ନାହିଁ, ଧାନ ଥିଲେ ଟୋକନ୍‌ ନାହିଁ
କେତେ ଧାନ କିଣାଗଲା କହି ପାରୁନାହାନ୍ତି ଅଧିକାରୀ

‘ସମ୍ବାଦ’ ପକ୍ଷରୁ ହୋଇଥିବା ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଏଭଳି ସ୍ଥିତି ସାମନାକୁ ଆସିଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ପଚାରିବାରୁ ଜିଲ୍ଲାରେ ମୋଟ୍‌ ୨୨୯ଟି ମଣ୍ଡି ଖୋଲା ସରିଥିବା କହିଥିଲେ। ତେବେ, ଜିଲ୍ଲାରେ ଗତକାଲିଠୁ ବିଧିବଦ୍ଧ ଭାବରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ଏ କ୍ଷେତ୍ରରେ ଅଗ୍ରଗତି ଏବଂ ଏହି ଦୁଇଦିନ ଭିତରେ କେତେ ପରିମାଣର ଧାନ ଚାଷୀଙ୍କଠାରୁ କିଣାଯାଇଛି ବୋଲି ପଚାରିବାରୁ ସେ ସ୍ପଷ୍ଟ ଉତ୍ତର ରଖିନଥିଲେ। ଏପରିକି ୨୦ ତାରିଖରେ ମନ୍ତ୍ରୀ ଆସି ଉଦ୍‌ଘାଟନ କରିଥିବା ୩ଟି ମଣ୍ଡିରେ କେତେ ଧାନ କିଣାଗଲା ତାହାର ତଥ୍ୟ ମଧ୍ୟ ସେ ସ୍ପଷ୍ଟ ଦେଇନଥିଲେ। ମନ୍ତ୍ରୀ କଳାପାଣି ମାର୍କେଟ୍‌ ୟାର୍ଡରେ ଧାନକିଣାର ଶୁଭାରମ୍ଭ କରିଥିବା ବେଳେ ସେଠାକୁ ‘ସମ୍ବାଦ’ ଟିମ୍‌ ଯାଇ ସ୍ଥିତି ପରଖିଥିଲା। ମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ଚାଷୀ ସୁରେଶ ନେକେଣ୍ଟିଙ୍କ ଧାନ ମଣ୍ଡିକୁ ଆସିଥିଲା। ସୁରେଶଙ୍କୁ ଭେଟିବାରୁ ସେ କହିଛନ୍ତି, ତାଙ୍କ ଧାନ ମାର୍କେଟ୍‌ ୟାର୍ଡରେ ରଖାଯାଇଛି। ତାଙ୍କ ଟୋକନ୍‌ ତାରିଖ ଜାନୁଆରିରେ ଥିବାରୁ ଧାନ କିଣାଯାଇନି। ମାର୍କେଟ୍‌ ୟାର୍ଡ ଇନ୍‌ଚାର୍ଜ ବ୍ରଜବିହାରୀ ନାୟକଙ୍କୁ ପଚାରିବାରୁ ମନ୍ତ୍ରୀଙ୍କ ଗସ୍ତ ଦିନ ଛୁଟି ଦିବସ ଥିଲା। ସେହି ଦିନ କୌଣସି ଚାଷୀଙ୍କ ଟୋକନ୍‌ ତାରିଖ ନଥିଲା। ଗୁରୁବାର ମଧ୍ୟ କେହି ମଣ୍ଡିକୁ ଧାନ ବିକିବାକୁ ଆସିନଥିବା ସେ କହିଥିଲେ। ନୋଡାଲ୍‌ ଅଧିକାରୀ ପ୍ରତିଶ୍ରୁତି ମିଶ୍ର ମଧ୍ୟ କାହାର ଧାନ କିଣାଯାଇନି ବୋଲି କହିଥିଲେ। 

କଳାପାଣି ମାର୍କେଟ୍‌ ୟାର୍ଡ ଅଧୀନରେ ତୋରା ପେକ୍ସ ଅନ୍ତର୍ଗତ ୪ଟି ଗାଁ କଳାପାଣି, ବରାହଗୁଡ଼ା, ଆମ୍ବଷଢ଼ା, ବୁଦେଲପାଲିର ଚାଷୀ ଧାନ ବିକିଥାନ୍ତି। ଏଥର ୧୧୫୧ ଜଣ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଛନ୍ତି। ଅଧାରୁ ଅଧିକ ଚାଷୀଙ୍କ ଧାନ ଅମଳ ହୋଇସାରିଥିଲେ ବି ଟୋକନ୍‌ ଆସିନଥିବା ଏବଂ ତାରିଖ ବିଳମ୍ବରେ ଥିବାରୁ ସେମାନେ ମଣ୍ଡିକୁ ଆସିନଥିବା ଜଣାପଡ଼ିଛି। ଅନ୍ୟପଟେ ଧାରକରଜ କରି ଚାଷ କରିଥିବା ଚାଷୀ ଅଣ୍ଡର ରେଟ୍‌ (କମ୍‌ ମୂଲ୍ୟ)ରେ ଦଲାଲଙ୍କୁ ଧାନ ବିକିବା ଆରମ୍ଭ କଲେଣି। ଧାନକିଣା ପ୍ରାରମ୍ଭରୁ ଚାଷୀଙ୍କୁ ଟୋକନ୍ ଝଟକା ଲାଗିଛି। ଚଳିତ ଖରିଫ୍‌ରେ ଜିଲ୍ଲାରୁ ୭୩ ଲକ୍ଷ କୁଇଣ୍ଟାଲ୍‌ ଧାନ କିଣିବାକୁ ଟାର୍ଗେଟ୍‌ ଦିଆଯାଇଛି। ପାଖାପାଖି ୨ ଲକ୍ଷ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣଙ୍କ ପାଖକୁ ଟୋକନ୍‌ ଆସିଛି, ତାହା ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ। ଜିଲ୍ଲାରୁ ଦୁଇ ଦିନ ଭିତରେ କେତେ ଧାନ କିଣାଗଲା, ସେ ସଂପର୍କରେ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଗୁରୁବାର ସନ୍ଧ୍ୟା ସୁଦ୍ଧା ତଥ୍ୟ ଦେଇପାରିନଥିଲେ।