ଭବାନୀପାଟଣା : ସୋମବାର ସନ୍ଧ୍ୟାରେ ପ୍ରାୟ ୧୦-୧୧ଜଣ ମହିଳା ଭବାନୀପାଟଣା ସହରସ୍ଥିତ ଗାନ୍ଧୀଛକରେ ଦୈନିକ ‘ସମ୍ବାଦ’ ଖବରକାଗଜକୁ ପୋଡ଼ିଥିଲେ।
ଉକ୍ତ ମହିଳାମାନେ ‘ସମ୍ବାଦ’ରେ ମହାଲିଙ୍ଗ କଲେଜ୍ ଖବର ପରିବେଷଣ ହେଉଥିବା ନେଇ ଗାନ୍ଧୀଛକକୁ ଏକ ଶୋଭାଯାତ୍ରାରେ ଆସିଥିଲେ। ସେଠାରେ ସେମାନେ ‘ସମ୍ବାଦ’ ଖବରକାଗଜକୁ ପୋଡ଼ିଥିଲେ। ଏହା କଣ ପାଇଁ ପୋଡ଼ା ଯାଇଛି, ଠିକ୍ ଭାବରେ ମଧ୍ୟ କହିପାରି ନଥିଲେ। ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ଏହା ପଛରେ ଅନ୍ୟମାନଙ୍କର ହାତ ଅଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ‘ସମ୍ବାଦ’ରେ ମହାଲିଙ୍ଗ ଘଟଣାକୁ ନେଇ ତଥ୍ୟ ପ୍ରଘଟ ହେଉଥିବାରୁ ରାଜନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।
‘ସମ୍ବାଦ’ ପୋଡ଼ି ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା
‘ସମ୍ବାଦ କିମ୍ବା ଗଣମାଧ୍ୟମରେ କିଛି ମିଥ୍ୟା ଖବର ପ୍ରକାଶ ପାଇଲେ ମାନହାନି କେସ୍ କରିପାରିବେ। କିନ୍ତୁ କାପୁରୁଷତାର ପରିଚୟ ଦେଇ କିଛି ମହିଳାଙ୍କୁ ପ୍ରାୟୋଜିତ ଓ ପ୍ରରୋଚନାରେ ଖବରକାଗଜକୁ ପୋଡ଼ିବାର ଯଥାର୍ଥତା ନାହିଁ। ‘ସମ୍ବାଦ ମୃତ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଖବର ପରିବେଷଣ କରୁଛି। କଳାହାଣ୍ଡିରେ ନାରୀର ଜୀବନର ମୂଲ୍ୟ ନାହିଁ କି? ଶିକ୍ଷାନୁଷ୍ଠାନ ଏକ ମନ୍ଦିର, ସେଠାରେ ଏଭଳି ଜଘନ୍ୟ ଅପରାଧର ସ୍ଥାନ ନାହିଁ। ତେଣୁ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିବା ପରିବର୍ତ୍ତେ ଖବର କାଗଜକୁ ପୋଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ।
ଦୈତ୍ୟାରୀ ପ୍ରଧାନ, ବରିଷ୍ଠ ଆଇନଜୀବୀପୁଲିସରୁ ଯାହା ଖବର ମିଳୁଛି, ଲୋକମାନଙ୍କ ଯାହା ସୂଚନା ଆସୁଛି ଓ ଜନମତକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଉଛି। ସମ୍ବାଦପତ୍ର କାମ ହେଲା ଅନୁସନ୍ଧାନ କରି ଲୋକଲୋଚନକୁ ସୂଚନା ଆଣି ପହଞ୍ଚାଇବା; ଏଥିରେ ‘ସମ୍ବାଦ’ର ଭୁଲ କ’ଣ ରହିଛି? ଏଭଳି ଗଣମାଧ୍ୟମକୁ କଣ୍ଠରୋଧ କରିବା ପାଇଁ ହୀନ ଚକ୍ରାନ୍ତ ଅତ୍ୟନ୍ତ ନିନ୍ଦନୀୟ ଅଟେ।
ଡ. ଅକ୍ଷୟ କୁମାର ନନ୍ଦ, ଅବସରପ୍ରାପ୍ତ ପ୍ରାଧ୍ୟାପକଏହି ପ୍ରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବା ହୀନ ପ୍ରୟାସ, ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ଏହା ସ୍ପଷ୍ଟ ରୂପେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରାୟୋଜିତ କାର୍ଯ୍ୟକ୍ରମ ଅଟେ। ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ।
ମହମ୍ମଦ ଅଲ୍ଲୀ, ସଭାପତି, କଳାହାଣ୍ଡି ଜର୍ଣ୍ଣାଲିଷ୍ଟ୍ ୟୁନିୟନ୍‘ସମ୍ବାଦ’ ନିର୍ଭିକ ଭାବରେ ଖବର ପରିବେଷଣ କରୁଛି। ତେଣୁ ଏହାକୁ ବାଧା ଦେବା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ। ସମ୍ବାଦ ପତ୍ର ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସାମ୍ନା କରି ତଥ୍ୟ ଦେଉଛନ୍ତି; ତାହାକୁ ଭୁଲ ବୋଲି ପ୍ରମାଣିତ କରିବାର ଅପଚେଷ୍ଟା କରାନଯାଉ।
ପ୍ରଫେସର ଡ. ଗୋପବନ୍ଧୁ ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକସମ୍ବାଦପତ୍ର ପୋଡ଼ିବା ଏକ ଅମାନୁଷିକ କାର୍ଯ୍ୟ ଅଟେ। ଏହି କାର୍ଯ୍ୟ ପାଇଁ ସମସ୍ତେ ନିନ୍ଦା କରି ଯେଉଁଭଳି ରାଜନୈତିକ ଉଦ୍ଦେଶ୍ୟ ରଖି ନିରପେକ୍ଷ ସମ୍ବାଦ ପରିବେଷଣ କରୁଥିବା ସମ୍ବାଦ ପତ୍ରକୁ ଚପାଇବା ପାଇଁ ହୀନ ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ଆଗାମୀ ଦିନରେ ସେମାନଙ୍କୁ ଜନସାଧାରଣ କ୍ଷମା କରିବେ ନାହିଁ ।
ଶାନ୍ତନୁ କୁମାର ବେହେରା, ସଭାପତି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘଖବର ପରିବେଷଣକୁ କେହି ପ୍ରତିରୋଧ କରିପାରିବେ ନାହିଁ। ଏହା କାଳେ କାଳେ ମୁକ୍ତ ଅଟେ। ସାମୂହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସମ୍ବାଦ ପରିବେଷଣରେ ଉତ୍ତେଜିତ ହୋଇ କୌଣସି ଖବର କାଗଜ ପୋଡ଼ିବା ବିଡ଼ମ୍ବନାର ବିଷୟ।
ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ