ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀର ପ୍ରଥମ ଦିନର ପ୍ରଥମ ଅଧିବେଶନରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ପରିବେଶବିତ୍ ଏବଂ ପ୍ରାଣୀ କଲ୍ୟାଣ ଆଡଭୋକେଟ ମାନେକା ଗାନ୍ଧୀ ଯୋଗ ଦେଇଛନ୍ତି। ସେହିପରି ସହିତ ଭାରତର ବନ ପୁରୁଷ, ପରିବେଶବିତ୍ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଯାଦବ ପାୟେଙ୍ଗ, ସମ୍ବାଦ ଏବଂ କନକ ନ୍ୟୁଜ୍ ସମ୍ପାଦକ  ତନୟା ପଟ୍ଟନାୟକ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର  ଅଧ୍ୟକ୍ଷ  ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଛନ୍ତି।

Advertisment

ଏହି ଅବସରରେ ମାନେକା ଗାନ୍ଧୀ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିବା ସହିତ କହିଛନ୍ତି ଯେ, ପୁନଶ୍ଚ ପୃଥିବୀ ଏକ ସମ୍ମିଳନୀ ନୁହେଁ ଏହା ଏକ ପ୍ରତିଜ୍ଞା। ପରିବେଶ ସୁରକ୍ଷା ପ୍ରାଣୀ ସୁରକ୍ଷା ଏବଂ ମନୁଷ୍ୟର ସୁରକ୍ଷା ମୋ ପାଇଁ ଏକ ସଂଘର୍ଷ। ପରିବେଶ ପ୍ରଦୂଷଣର ବିଭିନ୍ନ କାରଣ ରହିଛି। ଏହା ଆଙ୍ଗାରକାମ୍ଲ ଏବଂ କାର୍ ପ୍ରଦୂଷଣ ଯୋଗୁ ହେଉଥିବା କୁହାଯାଉଥିଲେ ମଧ୍ୟ ଅଙ୍ଗାରକାମ୍ଲ ସୁପରଲେଟିଂ ଗ୍ୟାସ୍ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ମିଥେନ୍ ଗ୍ୟାସ୍‌ର ପରିମାଣ ଦିନକୁ ଦିନ ପୃଥିବୀରେ ବୃଦ୍ଧି ପାଉଛି। ଏହା ଚିନ୍ତାଜନକ। ମିଥେନ୍ ଗ୍ୟାସ୍ ବୃଦ୍ଧି କାରଣ ପଛରେ ମନୁଷ୍ୟ, ଧାନ, ଗାଈ, ଛେଳି, ଘୁଷୁରୀଙ୍କର ଭୂମିକା ଅଧିକ। ପ୍ରତି ଗାଈ ଦିନକୁ ୨୫୦ରୁ ୫୦୦ ଲିଟର ମିଥେନ୍ ଗ୍ୟାସ୍ ସୃଷ୍ଟି କରିଥାଏ। ଓଡ଼ିଶା ସମେତ ଭାରତରେ ଅଧିକାଂଶ ପ୍ରାଣୀଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। କୁକୁଡ଼ା ଦ୍ବାରା ୨୪% ପ୍ରାକୃତିକ ପରିବେଶ ନଷ୍ଟ ହେଉଛି।

ଅଙ୍ଗାରକାମ୍ଲ ଠାରୁ ମିଥେନ୍ ୨୮ ଗୁଣା କ୍ଷତିକାରକ। ଏହା ବିଶ୍ବତାପନର ମଧ୍ୟ ମୁଖ୍ୟ କାରଣ। ଅସୁସ୍ଥ ପ୍ରାଣୀ ଏବଂ ପକ୍ଷୀଙ୍କ କାରଣରୁ ମଧ୍ୟ ମିଥେନ୍ ଗ୍ୟାସ୍‌ର ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହା ପରିବେଶ ସନ୍ତୁଳନ ବିଗାଡ଼ିବାର କାରଣ। ଭାରତରେ ପ୍ରାଣୀ କଲ୍ୟାଣ ବୋର୍ଡ ପ୍ରତିଷ୍ଠା ହୋଇଛି। ପ୍ରାଣୀମାନେ କୌଣସି ଅଳଙ୍କାର ନୁହନ୍ତି ବରଂ ପରିବେଶରେ ଜଣେ ଜଣେ ଯନ୍ତ୍ରୀର ଭୂମିକା ଗ୍ରହଣ କରିଥାନ୍ତି। ଆମେ କେବଳ ଅଙ୍ଗାକାମ୍ଲ ବିଷୟରେ କହୁଛୁ। କିନ୍ତୁ  ମିଥେନ୍ କଥା ଆମେ ଚିନ୍ତା କରୁନାହୁଁ। ମିଥେନ୍ ଗ୍ୟାସ୍‌ର ପରିମାଣ ହ୍ରାସ କରିବା ପାଇଁ ମେନକା ଗାନ୍ଧୀ କେ‌ତେକ ପରାମର୍ଶ ଦେଇଛନ୍ତି। ଭାରତ, ଚାଇନା, ବ୍ରାଜିଲରେ ଅଧିକ ମିଥେନ୍ ଗ୍ୟାସ୍ ବାହାରିଥାଏ। ୭୦ ପ୍ରତିଶତ ମିଥେନ୍ ଗ୍ୟାସ ଏହି ତିନି ଦେଶରୁ ବାହାରୁଛି । 

ସେଥିମଧ୍ୟରେ ସେ ଖାଦ୍ୟରେ ପରିବର୍ତ୍ତନ ପାଇଁ କହିଛନ୍ତି। ଅଣ୍ଡା ଏବଂ ମାଂସ ଆଦି ପରିହାର କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଶସ୍ୟ ଜାତୀୟ ଏବଂ ପନିପରିବାକୁ ଖାଦ୍ୟ ଭାବେ ବହୁଳ ଭାବେ ଗ୍ରହଣ କରିବାକୁ ସେ କହିଛନ୍ତି। ଏହା ସହିତ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏସବୁ ପ୍ରସଙ୍ଗକୁ ନେଇ ସରକାର ମଧ୍ୟ ସ୍ବତନ୍ତ୍ର ନୀତି ଆଣିବା ଜରୁରୀ। ତା ନହେଲେ ଯେତେ ପରିବେଶ ପଞ୍ଚାୟତ ଆୟୋଜନ କଲେ ମଧ୍ୟ ଏହାର କୌଣସି ସୁଫଳ ମିଳିବ ନାହିଁ।   
 

ଓଡ଼ିଶା ହେଉଛି ଗୋ ଚାଲାଣକାରୀଙ୍କ ଭୂସ୍ବର୍ଗ। ରାଜ୍ୟରୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶକୁ ଗୋଚାଲାଣ କରାଯାଉଛି।ବିହାରରେ ତୈଳ ଟ୍ୟାଙ୍କ ଭିତରୁ ଆମ ଟିମ୍ ଶହଶହ ଗୋରୁଙ୍କୁ ଉଦ୍ଧାର କରିଥିଲା। ଏସବୁ ଜାରି ରହିଥି‌ଲେ ମଧ୍ୟ ପୁଲିସ ପ୍ରଶାସନ ନିଷ୍କ୍ରିୟ ରହିଛି। ଲୋକଙ୍କ ପରିବେଶ ସମ୍ପର୍କରେ ସାକ୍ଷର କରିବା ନେଇ ସେ ଗୁରୁତ୍ବାରୋପ କରିଛନ୍ତି। 

ସମ୍ବାଦ ଓଡ଼ିଶାକୁ ପରିବର୍ତ୍ତନ କରିପାରିବ। ସଚେତନତା ସୃଷ୍ଟି ଦ୍ବାରା ଏହା ସମ୍ଭବ ହୋଇ ପାରିବ। ପରିବେଶ ସୁରକ୍ଷା ଦ୍ବାରା ପ୍ରଦୂଷଣ ହାର କମ୍ କରାଯାଇ ପାରିବ ବୋଲି ମାନେକା ଗାନ୍ଧୀ କହିଛନ୍ତି।


ସ୍କୁଲ ଏବଂ ସମ୍ବାଦପତ୍ର ଖାଦ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଜରୁରୀ। ପ୍ରତି ପିଲାଙ୍କୁ ତାଙ୍କର ଖାଦ୍ୟ ସହିତ ପରିବେଶ ସହିତ ଖାଦ୍ୟର ସମ୍ପର୍କ ପ୍ରସଙ୍ଗରେ ସଚେତନତା କରିବାର ଆବଶ୍ୟକତା ରହିଛି।

ଜଣେ ବ୍ୟକ୍ତି ତାଙ୍କର ପ୍ରତି ଶିଶୁ ପିଛା ୭ ଗଛ ରୋପଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ଆମେ ପରବେଶ ସୁରକ୍ଷା ଚାହୁଁଛୁ ତେବେ ଚାରାଭିତ୍ତିକ ଖାଦ୍ୟ ଉପରେ ଗୁରୁତ୍ବାରୋପ କରିବାକୁ ପଡ଼ିବ।

ପ୍ରାଣୀମାନଙ୍କ ପ୍ରତି ହିଂସା ଆଚରଣ ହେଉଛି ପ୍ରକୃତି ଉପରେ ହିଂସା। ତେଣୁ ସଭିଏଁ ଏଥିରୁ ନିବୃତ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି। ପ୍ରାଣୀମାନଙ୍କ ଉପରେ ଆକ୍ରମଣ ଶାକାହାରୀ ଭୋଜନ ଦ୍ବାରା ପରିବେଶର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ବରେ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପ୍ରୟାସ କରାଯାଉଛି। ଏପରିସ୍ଥଳେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସମ୍ୱାଦ ଗ୍ରୁପ୍‌ ପରିବେଶ ପାଇଁ କିଛି କରିବାର ସଂକଳ୍ପ ନେଇଛି । ସମ୍ୱାଦ ଗ୍ରୁପ୍‌  ପକ୍ଷରୁ ପୁନଶ୍ଚ ପୃଥିବୀ ଅଭିଯାନ ଜାରି ରହିଛି । ଜନସଚେତନତା ପାଇଁ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ୍ ଅଣ୍ଟା ଭିଡ଼ିଛି। ଜଳବାୟୁ ସୁରକ୍ଷା ପାଇଁ ପ୍ରତିଘରୁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୨୧ରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନର ରୂପାନ୍ତର ଘଟିଛି । ୨୦୨୪ରୁ ପରିବେଶ ସୁରକ୍ଷା ଲାଗି ୧୨ ବର୍ଷର ସଂକଳ୍ପ ସହ ନୂଆ ଅଭିଯାନ ଆରମ୍ଭ ହୋଇଛି । ଜଳବାୟୁ ପରିବର୍ତ୍ତନ ସଂପର୍କିତ ସମସ୍ୟା ଓ ସମାଧାନକୁ ପ୍ରାଥମିକତାରେ ରଖି ଆଗକୁ ବଢ଼ୁଛି ପୁନଶ୍ଚ ପୃଥିବୀ ଅଭିଯାନ ।

ସୋମାରବାରଠାରୁ ତିନି ଦିନିଆ ପୁନଶ୍ଚ ପୃଥିବୀ ଅଭିଯାନ-୨୦୨୫ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ  ଦେଶର ପ୍ରଖ୍ୟାତ ପରିବେଶବିତ୍ ଯୋଗ ଦେବେ। ସମ୍ମଳନୀରେ ପରିବେଶ ସୁରକ୍ଷା ନେଇ 'କାଲି ପାଇଁ ଆଜି' ପ୍ରସଙ୍ଗରେ ଆଲୋଚନା କରାଯିବ।