ଭୁବନେଶ୍ବର : କରୋନା ମହାମାରୀର ମୁକାବିଲା ଲାଗି ୨୦୨୦ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍ ଘୋଷଣା କରିବା ପରେ ସାରା ଦେଶ ହଠାତ୍ ଠପ୍ ହୋଇଯାଇଥିଲା। ଗମନାଗମନଠାରୁ ଆରମ୍ଭ କରି ଦୋକାନ ଅଫିସ, ବଜାର ସବୁ କିଛି ବନ୍ଦ ରହିଥିଲା। ମାନବୀୟ ଇତିହାସରେ ପ୍ରଥମ ଥର ଏଭଳି ସଙ୍କଟର ସାମ୍ନା କରିଥିଲା ଶିଳ୍ପ ଜଗତ। ଆଗରେ ଥିଲା ପାହାଡ଼ ସଦୃଶ ବିରାଟ ଆହ୍ବାନ। ଗୋଟିଏ ପଟେ ସଂସ୍ଥାକୁ ବଞ୍ଚାଇ ରଖିବାର ଚାପ ଓ ଅନ୍ୟପଟେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜରିଆରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବାର ନୈତିକ ଆବଶ୍ୟକତା। ଦେଶର କିଛି ହାତଗଣତି କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସମୟର ଆହ୍ବାନକୁ ଗ୍ରହଣ କରି ନିଜର ଭିନ୍ନ ଚିନ୍ତାଧାରା ଜରିଆରେ ସଙ୍କଟକୁ ସମ୍ଭାବନାରେ ପରିଣତ କରିବାରେ ସଫଳ ହୋଇଥିଲେ। ନିଜର ବିଚକ୍ଷଣ ବ୍ୟବସାୟ ପରିଚାଳନା ଦକ୍ଷତା ଜରିଆରେ ସେମାନେ ନିଜ ସଂସ୍ଥାକୁ କେବଳ ରକ୍ଷା କରିବାରେ ସମର୍ଥ ହୋଇନଥିଲେ, ବରଂ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରି ପ୍ରଚୁର ପ୍ରଶଂସା ସାଉଁଟିଥିଲେ। ସଙ୍କଟ ସମୟରେ ନିଜ ସଂସ୍ଥାର କର୍ମଚାରୀଙ୍କ ମନୋବଳକୁ ଦୃଢ଼ କରିବା ମଧ୍ୟ ଏକ ବଡ଼ ଆହ୍ବାନ ଥିଲା। ସେମାନେ ଏହି ଆହ୍ବାନକୁ ମଧ୍ୟ ଗ୍ରହଣ କରିବା ସହିତ ସେମାନଙ୍କର ପ୍ରେରଣାଦାୟୀ ପରାମର୍ଶ ଓ ବଳିଷ୍ଠ ମାର୍ଗଦର୍ଶନ ଯୋଗୁ ବ୍ୟବସାୟ ଗତିଶୀଳତା ଜାରି ରହିଥିଲା। ସେଭଳି ସିଇଓମାନଙ୍କ ପାଇଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ରଥ ଆଗକୁ ବଢ଼ିଥିଲା ଓ ଦେଶ ଶୀଘ୍ର ସୁଧାର ପଥକୁ ଫେରିପାରିଥିଲା। ହଜାର ହଜାର ଲୋକଙ୍କ ଜୀବନଜୀବିକା ବଞ୍ଚିଯାଇଥିଲା ଓ ସଂସ୍ଥା ଦେବାଳିଆ ହେବାରୁ ମଧ୍ୟ ରକ୍ଷା ପାଇଥିଲା।

Advertisment

ଏଭଳି ବିରଳ ସଫଳତା ହାସଲ କରିଥିବା ସିଇଓମାନଙ୍କୁ ନେଇ ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ଆୟୋଜନ କରୁଛି ‘ସମ୍ବାଦ ସିଇଓ କନ୍‌କ୍ଲେଭ୍‌ -୨୦୨୨’। ରାଜ୍ୟରେ ପ୍ରଥମ ଥର ପାଇଁ ପରିକଳ୍ପନା କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସିଇଓମାନେ ଅଂଶଗ୍ରହଣ କରି କୋଭିଡ୍ ମହାମାରୀ ସମୟରେ ସେମାନେ କେଉଁ ରଣନୀତିରେ ବ୍ୟବସାୟ ଆଗକୁ ବଢ଼ାଇଥିଲେ ତାହା ବର୍ଣ୍ଣନା କରିବେ, ଯାହା ସମଗ୍ର ଶିଳ୍ପ ଜଗତର ନେତୃବୃନ୍ଦଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ଏମିତି ନୁହଁ ଯେ ସିଇଓମାନଙ୍କ ଲାଗି କଠିନ ନିଷ୍ପତ୍ତି ନେବା ସହଜ ଥିଲା। ସେମାନେ ମଧ୍ୟ ବହୁତ ତ୍ୟାଗ କରିଥିଲେ। କର୍ମ କ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରିବା ମଧ୍ୟ ସେମାନଙ୍କ ପାଇଁ ଆହ୍ବାନ ଥିଲା। ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନେ ବିଜୟୀ ହୋଇଥିଲେ। ମହାମାରୀର ପ୍ରଭାବ ଅପସରି ଯାଉଥିବା ବେଳେ ସେମାନେ କିନ୍ତୁ କଠିନ ପରିଶ୍ରମ ଜାରି ରଖିଛନ୍ତି। ଶିଳ୍ପ ଜଗତକୁ ଉଚ୍ଚରୁ ଉଚ୍ଚତ୍ତର ସ୍ତରକୁ ନେବା ଲାଗି ସେମାନଙ୍କ ସେହି ମହାନ ଉଦ୍ୟମକୁ ସମ୍ମାନ ଜଣାଇବା ଲାଗି “ସମ୍ବାଦର ସିଇଓ କନ୍‌କ୍ଲେଭ୍‌ -୨୦୨୨” ଏକ ପ୍ରୟାସ ମାତ୍ର। ଏହି କନ୍‌କ୍ଲେଭ୍‌ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ୟାନେଲ୍ ଆଲୋଚନା ଜରିଆରେ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ବ୍ୟବସାୟ ପରିବେଶରେ ବର୍ତ୍ତମାନର ମହାମାରୀ ଓ ଭବିଷ୍ୟତର ଆହ୍ବାନ ବିଷୟରେ ଆଲୋଚନା କରିବା। ଏହା ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ନେତୃତ୍ବ, ଲକ୍ଷ୍ୟ, ରଣନୀତି ଓ ପରିବର୍ତ୍ତିତ ବ୍ୟବସାୟ ଆବଶ୍ୟକତା ଉପରେ ଅନ୍ତଦୃଷ୍ଟି ପ୍ରଦାନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।