ସମ୍ବାଦ ସିଇଓ କନକ୍ଲେଭ-୨୦୨୩; ଶିଳ୍ପାୟନରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ

ଶିଳ୍ପ ବିକାଶ ପାଇଁ ସମସ୍ତେ ମିଶି କାର୍ଯ୍ୟ କରିବା ଆବଶ୍ୟକ: ଶୁଭ୍ରକାନ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବରେ ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି କୋଭିଡ-୧୯ର ସଫଳ ପରିଚାଳନା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେହିଭଳି କୃଷି, ଜଳସେଚନ, ପରିବହନ, କ୍ରୀଡ଼ା, ସ୍ବାସ୍ଥ୍ୟ ସେବା, ସୂଚନା ଓ ପ୍ରଯୁକ୍ତି, ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ମିସନ ଶକ୍ତି ଆଦି କ୍ଷେତ୍ରରେ ପ୍ରତ୍ୟେକଙ୍କର ଧ୍ୟାନ ଆକର୍ଷଣ କରିଛି। ଓଡ଼ିଶା ଅନେକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ ଆୟୋଜନ କରିଛି। ସେଗୁଡ଼ିକ ମଧ୍ୟରେ ଏସିଆନ ଆଥଲେଟିକ୍ସ, ପୁରୁଷ ହକି ବିଶ୍ବ କପ୍‌ ୨୦୧୮ ଏବଂ ୨୦୨୩, ଫିଫା ଅଣ୍ଡର ୧୭ ମହିଳା ବିଶ୍ବକପ ଏବଂ ସାଫ୍‌ ଫୁଟବଲ ଚାମ୍ପିଅନସିପ ଆଦି ଅନ୍ୟତମ ବୋଲି ସମ୍ବାଦ ସିଇଓ କନକ୍ଲେଭର ଦ୍ବିତୀୟ ସଂସ୍କରଣରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଇଲେକ୍ଟ୍ରୋନିକ୍ସ,ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

ଶିଳ୍ପ ବିକାଶ ପାଇଁ ସମସ୍ତେ ମିଶି କାର୍ଯ୍ୟ କରିବା ଆବଶ୍ୟକ: ଶୁଭ୍ରକାନ୍ତ
ଛାପା ଗଣମାଧ୍ୟମର ବିଶ୍ବସନୀୟତା ସର୍ବଦା ରହିବ: ଶଶୀ
ଭାରତୀୟ ଗଣମାଧ୍ୟମ ଶିଳ୍ପର ଅଭିବୃଦ୍ଧି ବିଶ୍ବଠାରୁ ଅଧିକ: ଅବିନାଶ
ବିକାଶର ପ୍ରକୃତ ମାପକାଠି ମୂଲ୍ୟବୋଧ:  ସୌମ୍ୟରଂଜନ

କ୍ରୀଡ଼ାଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଅନେକ ଅଗ୍ରଗତି ହାସଲ କରିଛି। ଓଡ଼ିଶା ବର୍ତ୍ତମାନ ବିଶ୍ବର କ୍ରୀଡା ହବ୍‌ ଭାବେ ପରିଗଣିତ ହୋଇଛି। ରାଜ୍ୟରେ ପୂର୍ବରୁ ଇନଫୋସିସ, ୱିପ୍ରୋ ଏବଂ ଟେକ ମହିନ୍ଦ୍ରା ଆଦି ସେମାନଙ୍କ କେନ୍ଦ୍ର ଖୋଲିଥିଲେ। ନିକଟରେ ଆଇବିଏମ୍, ଡେଲଏଟ ଏବଂ ପିଡବ୍ଲୁସି ଭଳି କମ୍ପାନି ରାଜ୍ୟରେ ନିବେଶ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ନିବେଶ ହେବା ସହିତ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟ ସରକାର ନୂଆ ଆଇଟି ନୀତି, ବିପିଓ ନୀତି, ଡାଟା ସେଣ୍ଟର ନୀତି ଆଦି ପ୍ରସ୍ତୁତ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଆଇଟି କ୍ଷେତ୍ରରେ ଏକ ନୂଆ ପରିବେଶ ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଜରିଆରେ ରାଜ୍ୟକୁ ଅନେକ ନିବେଶ ଆସିଛି। ରାଜ୍ୟରେ ବିପୁଳ ପରିମାଣର ପ୍ରାକୃତିକ ସଂପଦ ରହିଥିବାରୁ ରାଜ୍ୟ ସରକାର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ବୃହତ୍ ଶିଳ୍ପ ଠାରୁ ଆରମ୍ଭ କରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏସବୁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ସର୍ବଦା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ଶିଳ୍ପାୟନ କ୍ଷେତ୍ରରେ ଗଣମାଧ୍ୟମ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିଳ୍ପାୟନର ସକାରାତ୍ମକ ପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରିଥାଏ। ତେଣୁ ପ୍ରତ୍ୟେକ ସ୍ତରରେ ରାଜ୍ୟର ଶିଳ୍ପାୟନ ପରିବେଶ ସୃଷ୍ଟି ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବାଦ ସିଇଓ କନକ୍ଲେଭରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫିକିର ସଭାପତି ତଥା ଇମ୍ଫାର ଏମଡି ଶୁଭ୍ରକାନ୍ତ ପଣ୍ଡା କହିଥିଲେ, ଭାରତ ‌ବିଶ୍ବର କେବଳ ସବୁଠୁ ଜନବହୁଳ ଦେଶ ନୁହେଁ ଭାରତରେ ସବୁଠୁ ଅଧିକ ସଂଖ୍ୟକ ଯୁବବର୍ଗର ଲୋକ ବାସ କରୁଛନ୍ତି। ଭାରତ ଏବେ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ହୋଇଥିବାବେଳେ ଚଳିତ ଦଶନ୍ଧି ସୁଦ୍ଧା ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ। ଏଥିସହିତ ଆର୍ଥିକ ପରିଚାଳନା ଦୃଷ୍ଟିରୁ ଭାରତର ସ୍ଥିତି ଭଲ ଅଛି। ମୁଦ୍ରାସ୍ଫୀତି ପରିଚାଳନା ଠାରୁ ଆରମ୍ଭ କରି ବିତ୍ତୀୟ ଶୃଙ୍ଖଳା ନିୟନ୍ତ୍ରଣ ମଧ୍ୟରେ ରହିଛି। ଭାରତ ୭୫୦ ବିଲିଅନ ଡଲାରର ରପ୍ତାନି କରିଛି। ଏଥିସହିତ
୨୦୩୦ ସୁଦ୍ଧା ୨ ଟ୍ରିଲିଅନ ଡଲାରର ରପ୍ତାନି ଲକ୍ଷ୍ୟ ରଖିଛି। ଭାରତରେ ଯେତିକି ଅନଲାଇନ କାରବାର ହେଉଛି ତାହା ଆମେରିକା, ୟୁରୋପ ଏବଂ ଚୀନ ଠାରୁ ୫୦ ପ୍ରତିଶତ ଅଧିକ। ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟ ଭଲ ଅଛି। ପୂର୍ବରୁ ବେଙ୍ଗାଲୁରୁ ଭଳି କେତେକ ସହରରେ ଏହି କାର୍ଯ୍ୟ ହେଉଥିବାବେଳେ ଏବେ ଦେଶର ବିଭିନ୍ନ ସହରରେ ଷ୍ଟାର୍ଟଅପଗୁଡ଼ିକ ଗଢ଼ି ଉଠିଛନ୍ତି। ଦେଶରେ ୧୦୦ରୁ ଅଧିକ ଷ୍ଟାର୍ଟଅପ୍‌ ୟୁନିକର୍ଣ୍ଣରେ ପରିଣତ ହୋଇସାରିଲେଣି। ସାରା ବିଶ୍ବ ମଧ୍ୟ ଏବେ ଭାରତ ଉପରେ ନଜର ରଖିଛି। କେବଳ ଭାରତର ଗ୍ରାହକ ସଂଖ୍ୟା ପାଇଁ ନୁହେଁ ବରଂ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅଧିକ ଖର୍ଚ୍ଚ କରୁଥିବା ରାଷ୍ଟ୍ର ସହିତ ମଧ୍ୟ ଭାରତର ପହଞ୍ଚ ରହିଛି। ଶ୍ରୀ ପଣ୍ଡା ଏହି ଅବସରରେ ଭାରତ ଅର୍ଥନୀତିରେ ରହିଥିବା ଉଭୟ ସୁଯୋଗ ଏବଂ ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ। ଦେଶର ବ୍ୟାପକ ସହରୀକରଣ ଯୋଗୁ ଚାଷଜମି ଉପରେ ପଡ଼ୁଥିବା ପ୍ରଭାବ, ଉଚ୍ଚମାନର ଉତ୍ପାଦ ଉତ୍ପାଦନ କରିବା, ଦେଶର ଯୁବବର୍ଗଙ୍କ ଦକ୍ଷତା ବିକାଶ କରିବା ଦେଶ ପାଇଁ ଆହ୍ବାନ ବୋଲି ସେ ମତ ଦେଇଥିଲେ। ଦେଶର ଶିଳ୍ପ ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ପଣ୍ଡା ଏହି ଅବସରରେ ଆହ୍ବାନ ଦେଇଥିଲେ।

ସମ୍ବାଦ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଅର୍ଥନୀତିର ବିକାଶକୁ ଗାଣିତିକ ହିସାବରେ ମାପିଲେ ତାହାର ପ୍ରକୃତ ଉଚ୍ଚତା ଜଣାପଡ଼େ ନାହିଁ ବା ଜଣା ପଡ଼ିବ ନାହିଁ। ଭାରତ କେତେ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ବା ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ କିମ୍ବା ପଞ୍ଚମ ବୃହତ୍ ଅର୍ଥନୀତିରେ ହେବ ସେଭଳି ଗାଣିତିକ ହିସାବରେ ବିକାଶର ଉଚ୍ଚତା ଜାଣିହେବ ନାହିଁ। ସଂଖ୍ୟା ତୁଳନାରେ ବିକାଶରେ ଯଥେଷ୍ଟ ଅଧିକ କିଛି ରହିଛି। ବିକାଶର ପ୍ରକୃତ ମାପକାଠି ହେଲା କେଉଁ ମୂଲ୍ୟବୋଧକୁ ଆପଣ ଗ୍ରହଣ କରୁଛନ୍ତି। କେଉଁ ମାପକାଠିକୁ ଆପଣ ପ୍ରଚାର ଓ ପ୍ରସାର କରିବାକୁ ସଂକଳ୍ପ ନେଇଛନ୍ତି। ଭାରତ ବିବିଧତା ଭିତରେ ଏକତାର ରାଷ୍ଟ୍ର। ତେଣୁ ଯେତେ ଯାହା କଲେ ମଧ୍ୟ ଯଦି ବିବିଧତା ଭିତରେ ଏହି ଏକତାକୁ ଆମେ ଗ୍ରହଣ କରିବା ନାହିଁ ତାହେଲେ ସେହି ବିକାଶର କିଛି ମୂଲ୍ୟ ରହିବ ନାହିଁ ।

ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ସିଇଓମାନଙ୍କର ଭୂମିକା ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗୋଟିଏ ଅନୁକୂଳ ପରିବେଶରେ ସିଇଓମାନଙ୍କ ପାଇଁ ବିକାଶର ଯାତ୍ରା ଅତ୍ୟନ୍ତ ସହଜ। ଟାର୍ଗେଟ ହାସଲ କରିବା ଠାରୁ ଆରମ୍ଭ କରି ପ୍ରୋତ୍ସାହନ ବାଣ୍ଟିବା ସେତେଟା କଷ୍ଟ ନୁହେଁ। କିନ୍ତୁ ସିଇଓମାନେ କମ୍ପାନି ବା ସଂସ୍ଥାର ନେତୃତ୍ବ ନେବା‌ବେଳେ, ବେଷ୍ଟ ସିଇଓ ପୁରସ୍କାର ପାଇବାବେଳେ ଗୋଟିଏ କଥା ମନେ ରଖିବା ଉଚିତ। କମ୍ପାନିର ସଫଳତା ନିମନ୍ତେ ହାର୍ଭାର୍ଡର ମ୍ୟାନେଜମେଣ୍ଟ ଡିଗ୍ରି, କୋଟି କୋଟି ଟଙ୍କାର ପୁଞ୍ଜିନିବେଶ, ଅନୁକୂଳ ପରିବେଶ ଆଦି ସିଇଓମାନଙ୍କ ପାଇଁ କିଛି କାମ ଦେବ ନାହିଁ ଯଦି ସେମାନଙ୍କ ପାଖରେ କାର୍ଯ୍ୟ କରୁଥିବା ସହଯୋଗୀଟି ସେତିକି ଶ୍ରଦ୍ଧା ଓ ସମ୍ମାନର ସହିତ ସହଯୋଗର ହାତ ବଢ଼ାଇବ ନାହିଁ। ଯଦିଓ ଇଂରାଜୀରେ କୁହାଯାଏ ଲକ୍‌ କମ୍‌ସ ବାଏ ଅପର୍ଚ୍ୟୁନିଟି ୱିଥ ପ୍ରିପେୟାରସେନ। କିନ୍ତୁ ମୋ ବିଚାରରେ ମୁଁ ଭାଗ୍ୟର ଗୋଟିଏ ଭିନ୍ନ ପରିଭାଷା କରିଛି। ତାହା ହେଲା ୟୁ ଆର୍‌ ଲକି ବିକଜ୍‌ ୟୁ ହାଭ୍‌ ଗଟ୍‌ ଲକି କଲିଗ୍‌ସ ଆରାଉଣ୍ଡ ୟୁ। ତେଣୁ ଯେଉଁ ସିଇଓମାନେ ସେମାନଙ୍କ ପାଖରେ ଅତ୍ୟନ୍ତ ଭଲ ସହଯୋଗୀମାନଙ୍କୁ ପାଇଥାନ୍ତି ସେମାନେ ଭାଗ୍ୟବାନ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମାନ୍ଦାବସ୍ଥାର ଆହ୍ବାନକୁ ମୁକାବିଲା ପାଇଁ ଜଣେ ସିଇଓ କ’ଣ କରିବା ଉଚିତ ବୋଲି ଯଦି ମୋତେ କିଏ ପଚାରେ ତାହେ‌ଲେ ମୁଁ କହିବି ମୋ ବୋଉଠାରୁ ଭଲ ସିଇଓ ଦେଖିନାହିଁ। ଆପଣମାନେ ଯେଉଁମାନେ ବାପାମା ହୋଇଛନ୍ତି ସେମାନେ ଗୋଟିଏ କିମ୍ବା ଦୁଇଟି ପିଲା ଜନ୍ମ କରିଛନ୍ତି। କିନ୍ତୁ ମୋ ମା ୮ଟି ପିଲା ଜନ୍ମ କରିଥିଲେ। ଆର୍ଥିକ ମାନ୍ଦାବସ୍ଥା ବେଳେ ବିନା ପ୍ରଯୁକ୍ତିରେ ମୋ ମା’ କିଭଳି ଏତେ ପିଲାଙ୍କର ଲାଳନପାଳନ କରିଥିଲା ତାହା ଶିଖିବାର ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆମ ସାଂସ୍କୃତିକ ଜୀବନ ଏବଂ ଇତିହାସରେ ଭାଷାର ଭୂମିକା ସଂପର୍କରେ ଅତିଥି ଶଶୀ ସିହ୍ନା ଏବଂ ଅବିନାଶ ପାଣ୍ଡେ ଉଲ୍ଲେଖ କରିଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ବିଶେଷକରି ଫକୀରମୋହନ ସେନାପତି ଏବଂ ତାଙ୍କ କାଳଜୟୀ ଗଳ୍ପ ରେବତୀ ସଂପର୍କରେ ଶ୍ରୀ ପାଣ୍ଡେ ଉଲ୍ଲେଖ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ପାଣ୍ଡେ ରେବତୀ ଓ ଫକୀର ମୋହନଙ୍କ ସଂପର୍କରେ ଯେତିକି ଜାଣିଛନ୍ତି ଆମ ଭିତକୁ ଅନେକ ତାହା ଜାଣି ନଥାଇ ପାରନ୍ତି ବୋଲି କହି ତାଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଦୁଇ ଅତିଥି ଏଭଳି ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମର ଭବିଷ୍ୟତ ଉଜ୍ଜ୍ବଳ ବୋଲି କହିବା ଦ୍ବାରା ଆମର ସାହସ ଓ ବିଶ୍ବାସ ବଢ଼ିଛି ବୋଲି ମତ ଦେଇଥିଲେ। ସେହିଭଳି ସିହ୍ନା ଏବଂ ପାଣ୍ଡେଙ୍କ ଭଳି ଆମେ ମଧ୍ୟ ଭାବୁଛୁ ଯେ ଭବିଷ୍ୟତ ବି ଆମର। ଭାରତରେ ଯେଉଁମାନେ ଭାବନ୍ତି ମହାରାଷ୍ଟ୍ର, ପଞ୍ଜାବ କିମ୍ବା ପୁନେରେ ସବୁକିଛି ହେଉଛି ଅନ୍ୟ ଜାଗାରେ ହେଉଁନାହିଁ ମୁଁ ସେଥିରେ ବିଶ୍ବାସ କରେ ନାହିଁ। ଆମକୁ ଯେଉଁମାନେ ପଛୁଆ କହୁଛନ୍ତି ସେମାନେ ଦେଖିବେ କିଛିଦିନ ପରେ ଆମେ କେତେ ଆଗୁଆ ଅଛୁ। ବିକଶିତ ରାଷ୍ଟ୍ରଗୁଡ଼ିକୁ ‌ବିକାଶ ହାସଲ ପାଇଁ ଯେତେବର୍ଷ ଲାଗିଲା ତାହା ଆମକୁ ଲାଗିବ ନାହିଁ। ସମ୍ବାଦ କେବଳ ଖବରକାଗଜ ପ୍ରକାଶରେ ବିଶ୍ବାସ କରେ ନାହିଁ। ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ବର୍ଷ ସାରା କରିଥାଏ। ଓଡ଼ିଆରେ ଗୋଟିଏ କଥା ଅଛି ୧୨ ମାସରେ ୧୩ ପର୍ବ। ଆମେ ଯେତେଗୁଡ଼ିଏ କାର୍ଯ୍ୟକ୍ରମ ବର୍ଷ ସାରା କରୁ ସେଥିରେ ଗତବର୍ଷ ଠାରୁ ଯୋଡ଼ି ହୋଇଛି ସିଇଓ କନକ୍ଲେଭ। ମୋ ବିଚାରରେ ସିଇଓ କନକ୍ଲେଭ ମୋ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅର୍ଥନୀତିର ବିକାଶରେ ଗଣମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମର ବିଷୟବସ୍ତୁ ଅର୍ଥନୀତିକୁ ଆଗକୁ ବଢ଼ିବାକୁ ‌ସୁଯୋଗ ଦେଇଥିଲେ। ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଆହୁରି ଉପରକୁ ନେଇଥାଏ। ଏଥିସହିତ ଭାରତ ଏକ ଯୁବ ଦେଶ କୁହାଯାଉଥିଲେ ମଧ୍ୟ ସବୁ ରାଜ୍ୟ ପାଇଁ ଏହା ସମାନ ନୁହେଁ। ମହାରାଷ୍ଟ୍ର ଏବଂ ତାମିଲନାଡ଼ୁକୁ ଏବେ ଆଉ ଯୁବ ଭାରତ କୁହାଯାଇ ପାରିବ ନାହିଁ। ବର୍ତ୍ତମାନ ୟୁପି, ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ଏହା କୁହାଯାଇ ପାରିବ। ସେହିଭଳି ବମ୍ବେ ଏବଂ ପୁନେ ଭାରତର ଭବିଷ୍ୟତ ନୁହେଁ, ଭୁବନେଶ୍ବର ଓ ଇନ୍ଦୋର ଭଳି ସହର ହିଁ ଭବିଷ୍ୟତ । ଏସବୁ ରାଜ୍ୟ ଓ ସହରରେ ସୁଯୋଗ ଏବଂ ସମ୍ଭାବନା ଯଥେଷ୍ଟ ରହିଛି ବୋଲି ଆଇପିଜି ମିଡିଆ ବ୍ରାଣ୍ଡ୍‌ସର ସଭାପତି ତଥା ବାର୍କ ଇଣ୍ଡିଆର ଅଧ୍ୟକ୍ଷ ଶଶୀ ସିହ୍ନା କହିଥିଲେ। ଏଥିସହିତ ଛାପା ଗଣମାଧ୍ୟମର ବିଶ୍ବସନୀୟତା ସର୍ବଦା ରହିବ। ସେ ଦୃଷ୍ଟିରୁ ଛାପା ଗଣମାଧ୍ୟମ ଅତ୍ୟନ୍ତ ଶକ୍ତିଶାଳୀ। ତେଣୁ ଛାପା ଗଣମାଧ୍ୟମ ଉପରୁ ଆଶା ମାଲିକମାନେ ତୁଟାଇବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି।

କନକ୍ଲେଭରେ ଏବିପି ନେଟୱର୍କର ସିଇଓ ଅବିନାଶ ପାଣ୍ଡେ ଯୋଗଦେଇ ଉଭୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ନିକଟରେ ଥିବା ସୁଯୋଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପାଠକ ଓ ଦଶର୍କଙ୍କ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବା, ଏକାଧିକ ନିୟାମକ ବ୍ୟବସ୍ଥା, ତୀବ୍ର ପ୍ରତିଯୋଗିତା, ୨୨ରୁ ଅଧିକ ଭାଷା ଆଦି ଦେଶର ଭାରତର ଗଣମାଧ୍ୟମ ପାଇଁ ସମସ୍ୟା। ଏହାସତ୍ତ୍ବେ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଅଭିବୃଦ୍ଧି ବିଶ୍ବର ହାରାହାରି ବୃଦ୍ଧି ଠାରୁ ଅଧିକ ବୋଲି ସେ କହିଥିଲେ। ଏଥିସହିତ ଫକୀର ମୋହନ ସେନାପତିଙ୍କ ଦ୍ବାରା ଲେଖାଯାଇଥିବା ରେବତୀ ଗଳ୍ପରେ ଅନ୍ଧବିଶ୍ବାସର ବର୍ଣ୍ଣନା ଏବଂ ମହାମାରୀର ପୂର୍ବାନୁମାନ କିଭଳି କରାଯାଇଥିଲା ତାହାର ଅବତାରଣା କରିଥିଲେ।
କନକ୍ଲେଭରେ ସମ୍ବାଦ ଗ୍ରୁପ ଏମ୍‌ଡି ମୋନିକା ନୈୟର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। କରୋନା ସମୟରେ ସିଇଓମାନେ କେଉଁସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ବର୍ତ୍ତମାନ ସେସବୁର ମୁକାବିଲା କିଭଳି କରୁଛନ୍ତି ସେ ସଂପର୍କରେ ଆଲୋଚନା ପାଇଁ ଏଭଳି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର