ଭୁବନେଶ୍ବର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ କୌଣସି ମଣିଷ ନୁହେଁ, ବରଂ ଗୁଗଲ୍ ଓ ଚାଟ୍ଜିପିଟି ଯୁବପିଢ଼ିଙ୍କ ମାର୍ଗଦର୍ଶକ ପାଲଟିଛି। ଏହା ସେମାନଙ୍କ ରୁଚିକୁ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ବାନ୍ଧି ରଖୁଛି। ଏଆଇର ଅନେକ ନକରାତ୍ମକ ଦିଗ ମଧ୍ୟ ରହିଛି। ସେଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ। ଏଣୁ ଏହାକୁ କିଭଳି ସଦୁପଯୋଗ କରାଯାଇପାରିବ, ସେ ଉପରେ ଗଭୀର ବିଚାର ଆଲୋଚନା ଆବଶ୍ୟକତା ରହିଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଶୁକ୍ରବାର ଆୟୋଜିତ ‘ସମ୍ବାଦ’ ସିଇଓ କନ୍କ୍ଲେଭ୍-୨୦୨୫କୁ ମୁଖ୍ୟଅତିଥି ଭାବେ ସମ୍ବୋଧିତ କରି ଶ୍ରୀମତୀ ପାଢ଼ୀ କହିଥିଲେ ଯେ ଉତ୍ପାଦକତା ବଢ଼ାଇବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଉନ୍ନତି ଆଣିବା, ଶ୍ରମଶକ୍ତିକୁ ପାରଦର୍ଶୀ କରିବା, ଦୈନନ୍ଦିନ ଜୀବନକୁ ସରଳ କରିବା ଭଳି ଅନେକ ବିଷୟକୁ ଏଆଇ ସକାରାତ୍ମକ ଭାବେ ପ୍ରଭାବିତ କରିପାରିବ। ତେଣୁ ସେହି ବିଷୟଗୁଡ଼ିକ ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ଏଆଇ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ଖର୍ଚ୍ଚ ହ୍ରାସ, ଆର୍ଥିକ ଦୁନିଆରେ ଠକେଇ ଚିହ୍ନଟ, ଯୋଗାଣ ଶୃଙ୍ଖଳ, ଇ-କମର୍ସ, ସ୍ବାସ୍ଥ୍ୟ ସେବା ଏବଂ ବିନିର୍ମାଣ କ୍ଷେତ୍ରରେ ଏଆଇକୁ ବ୍ୟବହାର କରାଯାଇପାରିବ। ଘରୋଇ କ୍ଷେତ୍ର ଏ ଦିଗରେ କାମ କରୁଥିବା ବେଳେ ଏଆଇର ଲାଭକୁ ସମାଜର ସବୁ ବର୍ଗଙ୍କ ପାଖରେ ପହଞ୍ଚାଇବା ଲାଗି ସରକାରଙ୍କୁ କାର୍ଯ୍ୟ କରିବାର ସମୟ ଆସିଛି। ଏହାର ଗୁରୁତ୍ବକୁ ବୁଝିପାରି ରାଜ୍ୟ ସରକାର ନିଜସ୍ବ ଏଆଇ ନୀତି ଘୋଷଣା କରିଛନ୍ତି, ଯାହା ଏହି ବିପ୍ଳବରେ ଓଡ଼ିଶାକୁ ଆଗରେ ରଖିବ ଓ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ତାହା ଉଦାହରଣ ପାଲଟିବ। ସାରା ବିଶ୍ବରେ ଏଆଇରେ ଯେଉଁଭଳି ବିକାଶ ହେଉଛି, ତାହା ସହ ତାଳ ଦେଇ ଆମକୁ ଆଗକୁ ବଢ଼ିବାକୁ ହେବ ବୋଲି ଶ୍ରୀ ସ୍ବାଇଁ କହିଥିଲେ।
କନ୍କ୍ଲେଭ୍ର ସମ୍ମାନିତ ଅତିଥି ‘ଆର୍ କେ ସ୍ବାମୀ ହନ୍ସାର ଗ୍ରୁପ୍ ଅଧ୍ୟକ୍ଷ ତଥା ଏସିଆନ୍ ଫେଡେରେସନ୍ ଅଫ୍ ଆଡ୍ଭର୍ଟାଇଜିଂ ଆସୋସିଏସନ୍’ର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ କେ ସ୍ବାମୀ ଏଆଇ କିଭଳି ଆମକୁ ପ୍ରଭାବିତ କରୁଛି ତାହା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହା ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ହୋଇଥିବା ବେଳେ ଲୋକମାନଙ୍କ ବହୁବର୍ଷର ଅଭିଜ୍ଞତାକୁ ଅଦରକାରୀ କରୁଛି। କିନ୍ତୁ ମଣିଷ ଯେଉଁଭଳି ଚିନ୍ତା କରେ, ଏଆଇ ତାହାକୁ କେବେ ବି ବଦଳାଇପାରିବ ନାହିଁ। ଅନ୍ୟତମ ସମ୍ମାନିତ ଅତିଥି ‘ଦି ଫ୍ରି ପ୍ରେସ୍ ଜର୍ଣ୍ଣାଲ୍ ଗ୍ରୁପ୍ ଅଫ୍ ନିଉଜ୍ପେପର୍ସ’ର ସଭାପତି ତଥା ଆଇଏଏ (ଭାରତ ଚାପ୍ଟର)ର ସଭାପତି ଅଭିଷେକ କର୍ଣ୍ଣାନି ଏଆଇ ବିପ୍ଳବକୁ ଅତୀତର ଗୁଟେନ୍ବର୍ଗ ବିପ୍ଳବ ସହ ତୁଳନା କରିଥିଲେ, ଯେତେବେଳେ ପ୍ରିଣ୍ଟିଂ ପ୍ରେସ୍ର ଉଦ୍ଭାବନ ହୋଇଥିଲା। ସେ କହିଥିଲେ ଯେ ବିଦ୍ୟୁତ୍ ଓ ମୋଟରଗାଡ଼ି ଉଦ୍ଭାବନ ହୋଇ ନଥିବା ବେଳେ ବିଶ୍ବର ମୋଟ ଘରୋଇ ଉତ୍ପାଦ (ଜିଡିପି) ମାତ୍ର ୦.୬ ପ୍ରତିଶତ ହାରରେ ଆଗକୁ ବଢ଼ୁଥିଲା। ମାତ୍ର ଏଆଇ ପ୍ରଭାବରେ ତାହା ୭ ପ୍ରତିଶତ ଭଳି ଉଚ୍ଚ ହାରରେ ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ମଣିଷର ସୃଜନଶୀଳ ଚିନ୍ତାଧାରାର କୌଣସି ବିକଳ୍ପ ନାହିଁ। ତେଣୁ ଏଆଇକୁ ଭୟ କରିବାର କୌଣସି କାରଣ ନାହିଁ ବୋଲି ସେ କହିଥିଲେ।
ଏଆଇକୁ ସମାଜର ସବୁ ବର୍ଗଙ୍କ ପାଖରେ ପହଞ୍ଚାଇବାକୁ ହେବ: ଶିଳ୍ପମନ୍ତ୍ରୀ
ସମସ୍ୟାକୁ ଅତିକ୍ରମ କରିବାର ବାଟ ମଣିଷକୁ ଜଣା: ସୌମ୍ୟରଂଜନ
ଏଆଇ ଲୋକଙ୍କ କାମ ସହଜ କରିବ: ମୋନିକା
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଏଆଇ ଯୁଗରେ ଯେକୌଣସି ଭାଷାକୁ ଲୋକମାନେ ଅତି ସହଜରେ ବୁଝିପାରିବେ। ଏଆଇକୁ ନେଇ ଲୋକଙ୍କ ମନରେ ଦେଖାଦେଇଥିବା ଭୟକୁ ଦୂର କରିବା ଲାଗି ସେ କହିଥିଲେ, ମଣିଷ ହେଉଛି ସବୁ କିଛିର ସ୍ରଷ୍ଟା। ସମସ୍ୟାକୁ କିଭଳି ଅତିକ୍ରମ କରିବାକୁ ହୁଏ ତାହା ମଣିଷକୁ ଭଲ ଭାବେ ଜଣା। ତେବେ ଆଜିର ଯୁଗରେ ପରିବେଶର ହେଉଥିବା ବିନାଶକୁ ରୋକିବା ଏବଂ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି କିଭଳି ଏଆଇକୁ ବ୍ୟବହାର କରାଯାଇପାରିବ, ତାହା ଉପରେ ବିଚାରବିମର୍ଶର ଆବଶ୍ୟକତା ରହିଛି। ମା’ମାନଙ୍କୁ ସେ ସବୁଠୁ ବଡ଼ ସିଇଓ ଭାବେ ଅଭିହିତ କରିଥିଲେ। ଏଥି ସହିତ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ରାଜ୍ୟ ଭିତରେ ଚାକିରି କରିପାରିବେ, ସେ ଦିଗରେ ଧ୍ୟାନ ଦେବାକୁ ସେ ଉପସ୍ଥିତ ଶିଳ୍ପ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଥିଲେ।
ସ୍ବାଗତ ଭାଷଣ ପ୍ରଦାନ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ ଯେ ଏଆଇ ବିଭିନ୍ନ କାମକୁ ସହଜ କରିବାର କ୍ଷମତା ରଖିଛି। ଉତ୍ପାଦକତା ବଢ଼ାଇବା ଲାଗି ଏହାକୁ କିଭଳି ବ୍ୟବହାର କରାଯାଇପାରିବ, ତାହାର ବାଟ ଆମକୁ ଖୋଜିବାକୁ ପଡ଼ିବ। ଏହା ଲୋକମାନଙ୍କ କାମକୁ ସହଜ କରିପାରିବ ବୋଲି ସେ କହିଥିଲେ। ଏକ ପରିସଂଖ୍ୟାନ ଉପସ୍ଥାପନ କରି ସେ ଜଣାଇଥିଲେ ଯେ ଆସନ୍ତା ୧୦ ବର୍ଷରେ ଡାକ୍ତର ଓ ଶିକ୍ଷକମାନଙ୍କ ସ୍ଥାନ ଏଆଇ ନେବ ଏବଂ ନିଯୁକ୍ତି ଅଭିବୃଦ୍ଧିକୁ ହ୍ରାସ କରିବ ବୋଲି ଆକଳନ କରାଯାଇଛି। ଉଦ୍ଘାଟନୀ ସମାରୋହରେ ଶ୍ରେଷ୍ଠ ବିଜ୍ଞାପନଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ‘ଗ୍ରିନର୍ ୱିଥ୍ ଏଆଇ: ହାଓ ସ୍ମାର୍ଟ ଟେକ୍ ଇଜ୍ ପାୱାରିଂ ସଷ୍ଟେନେବଲ୍ ଇଣ୍ଡଷ୍ଟ୍ରିଜ୍ ଏବଂ ଏଆଇ ଇନ୍ ଦି ବୋର୍ଡରୁମ୍: ରିପ୍ଲେସିଂ ଜବ୍ସ ଭର୍ସେସ୍ ଅଗମେଣ୍ଟିଂ ହ୍ୟୁମାନ୍ ପୋଟେନ୍ସିଆଲ୍’ ବିଷୟବସ୍ତୁ ଉପରେ ଦୁଇଟି ପ୍ୟାନେଲ୍ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଏଏଆଇ ସମ୍ବର୍ଦ୍ଧନା ସମାରୋହ ହୋଇଥିଲା। କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ବହୁ ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଯୋଗ ଦେଇଥିଲେ।