ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଶୁକ୍ରବାର ଭୁବନେଶ୍ବରରେ ‘ସମ୍ବାଦ’ ସିଇଓ କନ୍‌କ୍ଲେଭ୍‌ ୨୦୨୫ ଆୟୋଜନ ହେଉଛି। ଏହା ହେଉଛି କନ୍‌କ୍ଲେଭ୍‌ର ଚତୁର୍ଥ ସଂସ୍କରଣ-ଅନ୍ତର୍ଜାତୀୟ ସ୍ତର। ଏଥିରେ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ନିର୍ଦ୍ଦେଶିକା ଡ.ମୋନିକା ନୈୟର ପଟ୍ଟନାୟକ, ଏସିଆନ୍ ଫେଡେରେସନ୍ ଅଫ୍‌ ଆଡଭର୍ଟାଇଜିଂ ଆସୋସିଏସନ୍ସର 
ଅଧ୍ୟକ୍ଷ ଶ୍ରୀନିବାସନ କେ ସ୍ବାମୀ ଓ ଇଣ୍ଟରନ୍ୟାସନାଲ୍ ଆଡଭର୍ଟାଇଜିଂ ଆସୋସିଏସନ୍‌ (ଭାରତ ଚାପ୍ଟର)ର ସଭାପତି ଅଭିଷେକ କର୍ନାନି ଉପସ୍ଥିତ ରହିବେ।

Advertisment

‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ ଶିଳ୍ପ’ ସମ୍ପର୍କିତ ଏହି କନ୍‌କ୍ଲେଭ୍‌ରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି, ସିଇଓ, ନୀତି ନିର୍ଧାରକ ଓ ନବସୃଜନକାରୀମାନେ ଯୋଗ ଦେଇ ଏଆଇ ପ୍ରଭାବରେ ସୃଷ୍ଟି ହୋଇଥିବା ବିପ୍ଳବ, ନବସୃଜନ ଓ ଭବିଷ୍ୟତ  ସମ୍ଭାବନା ଉପରେ ଆଲୋଚନା କରିବେ। ଉତ୍ପ‌ାଦକତା ବଢ଼ାଇବା, ନିଷ୍ପତ୍ତି ଗ୍ରହଣ କରିବା ଏବଂ ଶ୍ରମଶକ୍ତିକୁ ପାରଦର୍ଶୀ କରିବାରେ ଏଆଇ ଗ୍ରହଣ କରୁଥିବା ଭୂମିକା ଉପରେ ମଧ୍ୟ ଆଲୋଚନା ହେବ। କନ୍‌କ୍ଲେଭ୍‌ରେ ଦୁଇଟି ସ୍ବତନ୍ତ୍ର ପ୍ୟାନେଲ୍‌ ଆଲୋଚନା ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ପ୍ରଥମ ଅଧିବେଶନ ‘ଗ୍ରିନର୍‌ ୱିଥ୍‌ ଏଆଇ: ହାଓ ସ୍ମାର୍ଟ ଟେକ୍ ଇଜ୍ ପାୱାରିଂ ସଷ୍ଟେନେବଲ୍ ଇଣ୍ଡଷ୍ଟ୍ରିଜ୍’ରେ ବିବିସିର କଲେକ୍ଟିଭ୍ ନିଉଜ୍‌ରୁମ୍‌ର ସିଇଓ ତଥା ସହପ୍ରତିଷ୍ଠାତା ରୁପା ଝା ଓ କାମତ୍‌ ହୋଟେଲ୍‌ସ (ଇଣ୍ଡିଆ) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶାଲ କାମତ୍‌ କାର୍ବନ୍‌ ଫୁଟ୍‌ପ୍ରିଣ୍ଟ୍‌ କମ୍ କରିବା, ଶକ୍ତି ବ୍ୟବହାରରେ ଉନ୍ନତି ଆଣିବା ଆଦି ବିଷୟରେ ଆଲୋଚନା କରିବେ।

ଦ୍ବିତୀୟ ଅଧିବେଶନ ‘ଏଆଇ ଇନ୍ ବୋର୍ଡରୁମ୍‌: ସିଇଓଜ୍ ଅନ୍ ରିପ୍ଲେସିଂ ଜବ୍‌ସ ଭର୍ସେସ୍‌ ଅଗମେଣ୍ଟିଂ ହ୍ୟୁମାନ୍ ପୋଟେନ୍‌ସିଆଲ୍’ରେ ଆର୍ସେଲର ମିତ୍ତଲ୍‌ ନିପନ୍‌ ଷ୍ଟିଲ୍ ଇଣ୍ଡିଆର ଓଡ଼ିଶା ସମ୍ପତ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି, ଟାଟା ଷ୍ଟିଲ୍‌ର କର୍ପୋରେଟ୍ କମ୍ୟୁନିକେସନ୍‌ ମୁଖ୍ୟ ସର୍ବେଶ କୁମାର ଓ ନିପନ୍ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡ୍‌ର ଡେପୁଟି ଜୋନାଲ୍ ହେଡ୍‌ (ଇଷ୍ଟ୍‌) ନୀତିନ ଗୋଏଲ୍‌ ଯୋଗ ଦେଇ ଏଆଇ ଯୁଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସିଇଓମାନେ କିଭଳି ଆଗରେ ରହିଛନ୍ତି ତାହା ଉପରେ ଆଲୋଚନା କରିବେ। ଏଥିସହିତ ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ (ଆଇଏଏ) ପକ୍ଷରୁ ଏକ ସମ୍ବର୍ଦ୍ଧନା ସମାରୋହ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଆଇଏଏର ପରିଚାଳନା ପରିଷଦର ସଦସ୍ୟମାନେ ଯୋଗ ଦେଇ ଓଡ଼ିଶାର ଶ୍ରେଷ୍ଠ ବିଜ୍ଞାପନ ସଂସ୍ଥାଗୁଡ଼ିକୁ ସମ୍ବର୍ଦ୍ଧିତ କରିବେ।