ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୨: କୋଭିଡ୍‌ ହେଉଛି ବିଶ୍ବର ‘ଚିଫ୍ ଟେକ୍ନୋଲୋଜି ଅଫିସର’

ପ୍ରଥମ ଅଧିବେଶନ

ଭୁବନେଶ୍ବର : ମହାମାରୀ ବ୍ୟାପିବା ପରେ ଜଣାପଡ଼ିଥିଲା ଯେ ପ୍ରଯୁକ୍ତି କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହୋଇଛି ତାହା ଯଥେଷ୍ଟ ନୁହେଁ। ମାତ୍ର ଏହା ପରେ ବହୁ ନୂଆ ପ୍ରଯୁକ୍ତିର ଆବିର୍ଭାବ ହୋଇଥିଲା। ଆଜି ଲୋକମାନେ ଯେଉଁ ସବୁ ନୂଆ ପ୍ରଯୁକ୍ତି ବ୍ୟବହାର କରିବାର ସୁଯୋଗ ପାଇଛନ୍ତି ତାହା କେବଳ ମହାମାରୀ ଯୋଗୁଁ ସମ୍ଭବ ହୋଇଛି। ସେହି ଦୃଷ୍ଟିରୁ କୋଭିଡ୍‌କୁ ସାରା ବିଶ୍ବର ଚିଫ୍‌ ଟେକ୍ନୋଲୋଜି ଅଫିସର (ମୁଖ୍ୟ ପ୍ରଯୁକ୍ତି ଅଧିକାରୀ) କୁହାଯାଉଛି ବୋଲି ବକ୍ତାମାନେ କହିଛନ୍ତି। ‘ଆଉ ଆସନ୍ତାକାଲି ନୁହେଁ; ଆଜି’ ବିଷୟବସ୍ତୁ ଉପରେ ଆଲୋଚନା କରି ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ନିର୍ଦେଶକ (ପର୍ସନେଲ୍‌) କେଶବ ରାଓ କହିଛନ୍ତି ଯେ ମହାମାରୀ ଦ୍ବାରା ଏମ୍‌ସିଏଲ୍‌ ଆଦୌଁ ପ୍ରଭାବିତ ହୋଇନଥିଲା। ବରଂ ୨୦୨୦-୨୧ ଓ ୨୦୨୧-୨୨ରେ କଂପାନିର ଉଭୟ ଉତ୍ପାଦନ ଓ ଡେସ୍‌ପାଚ୍‌ ସବୁଠୁ ଅଧିକ ରହିଥିଲା। ଗତବର୍ଷ ଆମ ପାଖରେ କୋଇଲାର ବିପୁଳ ଷ୍ଟକ୍ ଥିଲା। ସେଥିପାଇଁ ଦେଖାଦେଇଥିବା ବିଦ୍ୟୁତ ସଙ୍କଟର ସହଜରେ ମୁକାବିଲା କରାଯାଇପାରିଥିଲା।

ସେହିପରି, ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ କହିଛନ୍ତି ଯେ ଆମକୁ ମହାମାରୀ ସମୟରେ ଉତ୍ପାଦନ ହ୍ରାସ କରିବାକୁ ପଡ଼ିଥିଲା। ସେହି ବର୍ଷର ପ୍ରଥମ ତ୍ରୟମାସ ଓ ଦ୍ବିତୀୟ ତ୍ରୟମାସରେ ଉତ୍ପାଦନ କମ୍ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେଥିରେ ଦ୍ରୁତ ସୁଧାର ଘଟିଥିଲା ଓ ବ୍ରେକ୍ ଇଭିନ୍ ସ୍ଥିତିରେ ଆମେ ପହଞ୍ଚିଯାଇଥିଲୁ। କରୋନା ମହାମାରୀର ଦ୍ବିତୀୟ ଲହର ଦେଖାଦେବା ସତ୍ତ୍ବେ ୨୦୨୧-୨୨ରେ ସେଲ୍‌ର ବିକ୍ରି ଜନିତ ଆୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। କରୋନା କାଳରେ ଜନ ସାଧାରଣ ଓ ପ୍ରଶାସନକୁ ସାହାଯ୍ୟ କରିବା ଲାଗି କଂପାନି ବହୁ ପଦକ୍ଷେପ ଗ୍ରହଣ କରିଥିଲା। ମେଡିକାଲ୍ ଅକ୍ସିଜେନ୍ ଆବଶ୍ୟକତା ପୂରଣ କରିବାରେ କଂପାନି ପ୍ରମୁଖ ଭୂମିକା ନିର୍ବାହ କରିଥିଲା।

ଓମ୍‌କମ୍‌ ନିଉଜ୍‌ର ମୁଖ୍ୟ ସମ୍ପାଦକ ଯଯାତୀ କରଣ୍‌ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଏଏମ୍‌/ ଏନ୍‌ଏସ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ (ଓଡ଼ିଶା ଆସେଟ୍‌) ସୁରେଶା ଜି ଯୋଗଦେଇ ଯୋଗ ଦେଇ କରୋନା ସମୟରେ କଂପାନି ଗ୍ରହଣ କରିଥିବା କଲ୍ୟାଣମୂଳକ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଥିଲା। ‌କଂପାନି ଏହାର କାରଖାନାରେ ମେଡିକାଲ୍ ଅକ୍ସିଜେନ୍ ଉତ୍ପାଦନ କରିଥିଲା। ତାହାକୁ ଶୀଘ୍ର ରୋଗୀଙ୍କ ସେବାରେ ବ୍ୟବହାର କରିବା ଲାଗି କଂପାନି ଏହାର କାରଖାନା ପାଖରେ ମାତ୍ର ୩ ଦିନରେ ୨୦୦ ଶଯ୍ୟାର ହସ୍ପିଟାଲ୍ ସ୍ଥାପନ କରିଥିଲା ବୋଲି ସେ କହିଛନ୍ତି। ମିରାଏ ଆସେଟ୍‌ର ସିଇଓ ସ୍ବରୂପ ମହନ୍ତି କହିଥିଲେ ଯେ କିଏ ଜାଣିଥିଲା ଏଭଳି ଦିନ ଆସିବ ଯେବେ ଇଞ୍ଜିନ ଠାରୁ ଗାଡ଼ିର ଚିପ୍ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯିବ। ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଏଭଳି ସ୍ଥିତି ସୃଷ୍ଟି କରିଛି। ମହାମାରୀ ସମୟରେ ଆର୍ଥିକ ବଜାର ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ିଛି। ଭୁବନେଶ୍ବର ଭଳି ସହରର ଲୋକମାନେ ଷ୍ଟକ ବଜାରରେ ନିବେଶ କରୁଛନ୍ତି। ସେମ‌ାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି ବୋଲି ସେ କହିଛନ୍ତି। ଇନ୍‌ଫ୍ରାକକର୍ପ, ବାହାରେନ୍‌ର ସିଇଓ (ଭାରତ ପ୍ରକଳ୍ପ) ରାକେଶ ପଟ୍ଟନାୟକ କହିଛନ୍ତି ଯେ ଏବେ କିନ୍ତୁ ନୂଆ ପ୍ରକାର ସମସ୍ୟା ଦେଖାଦେଇଛି। ତାହା ହେଉଛି ଦରବୃଦ୍ଧି । ଟିକା ଲାଗି ଯେଭଳି ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା, ଦରବୃଦ୍ଧି ମୁକାବିଲା ଲାଗି ସେଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର