ଭୁବନେଶ୍ବର :ଆମେ ଆଜି ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଯୁଗରେ ବାସ କରୁଛୁ। ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଡାଟା ପ୍ରଭାବିତ କରୁଛି। ଏଦୃଷ୍ଟିରୁ ଦେଖିଲେ ଗ୍ରାହକଙ୍କ ବ୍ୟବହାରରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ସାଧାରଣ ଗ୍ରାହକଟିଏ ମଧ୍ୟ ସ୍ମାର୍ଟଫୋନ ଜରିଆରେ ଇ-କମର୍ସ ପ୍ଲାଟଫର୍ମରୁ ସାମଗ୍ରୀ କିଣିପାରୁଛି। ତେଣୁ ସ୍ମାର୍ଟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନିଗୁଡ଼ିକ ରଣନୀତି ବଦଳାଇବାକୁ ବାଧ୍ୟ ହେଉଛନ୍ତି। କରୋନା ମହାମାରୀ କମ୍ପାନିଙ୍କ ପାଇଁ ଉକ୍ତ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିଛି ବୋଲି ସମ୍ବାଦ ସିଇଓ କନକ୍ଲେଭ ୨୦୨୨ର ଦ୍ବିତୀୟ ଅଧିବେଶନରେ ଯୋଗଦେଇ କମ୍ପାନିର ବରିଷ୍ଠ ଅଧିକାରୀମାନେ ଏହା କହିଛନ୍ତି।
/sambad/media/post_attachments/wp-content/uploads/2022/06/2nd-300x174.jpg)
ଆଲୋଚନାରେ ଅଂଶଗ୍ରହଣ କରି ଆଇସିଏଫଏଆଇ ଗ୍ରୁପର ନିର୍ଦ୍ଦେଶକ ସୁଧାକର ରାଓ କହିଛନ୍ତି, ଗ୍ରାହକଙ୍କ ବ୍ୟବହାରରେ ପରିବର୍ତ୍ତନ ହେବାର କାରଣ ହେଲା ସେମାନଙ୍କ ପ୍ରୋଫାଇଲ୍ରେ ପରିବର୍ତ୍ତନ ଆସିଛି। କମ୍ପାନିଙ୍କ ପାଇଁ ଏହା ଏକ ଆହ୍ବାନ। ସମସ୍ୟାର ସମାଧାନ ପାଇଁ ଆଇସିଏଫଏଆଇ ଗ୍ରୁପ କର୍ମଚାରୀମାନଙ୍କ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରିଥିଲା। ଅତୀତର ଛାତ୍ରଛାତ୍ରୀଙ୍କ ଅପେକ୍ଷା ବର୍ତ୍ତମାନର ଛାତ୍ରଛାତ୍ରୀ ଭିନ୍ନ ରହିଛନ୍ତି। ତେଣୁ ଶିକ୍ଷାଦାନ କ୍ଷେତ୍ରରେ ହାଇବ୍ରିଡ୍ ମଡେଲ ବିକାଶ କରାଯାଇଛି। ପୂର୍ବରୁ ଶିକ୍ଷାନୁଷ୍ଠାନଗୁଡ଼ିକ ମୋବାଇଲକୁ ଅନୁମତି ଦେଉ ନଥିବାବେଳେ ଏବେ ମୋବାଇଲ ଫୋନ ଶିକ୍ଷାର ଏକ ଅଂଶ ପାଲଟିଯାଇଛି। ନୂଆଭାବେ ପାଠ୍ୟକ୍ରମ ସୃଷ୍ଟି କରାଯାଇଛି। ପ୍ରଯୁକ୍ତିଗତ ଚ୍ୟାଲେଞ୍ଜ ସଂପର୍କରେ ସେ କହିଥିଲେ ତାଙ୍କର ୨୦ଟି କ୍ୟାମ୍ପସ ଦେଶରେ ରହିଛି। ପ୍ରତ୍ୟେକ କ୍ୟାମ୍ପସର ଦାୟିତ୍ବର ସହ କାର୍ଯ୍ୟ ସଂପାଦନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ମହାମାରୀ ସମୟରେ ଏଲଏମଏସ ପ୍ଲାଟଫର୍ମରେ ଡିଜିଟାଲ ମୋଡ୍ରେ ଶିକ୍ଷାଦାନ କରିଛି। ୮୦ ପ୍ରତିଶତ ଫ୍ୟାକଲ୍ଟି ମଧ୍ୟ ଉକ୍ତ ପ୍ରଯୁକ୍ତିରେ କାର୍ଯ୍ୟ କରିବାକୁ ଦକ୍ଷ ବୋଲି ସେ ମତ ଦେଇଛନ୍ତି।
ଫ୍ରିଡମ ଅଏଲର ବରିଷ୍ଠ ଉପସଭାପତି ପି ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି, ମହାମାରୀ ସମୟରେ ଇ-କମର୍ସ ବ୍ୟବହାର ୩ରୁ ୪ ଗୁଣା ବୃଦ୍ଧି ପାଇଥିଲା। କିନ୍ତୁ ମହାମାରୀ ପରେ ଇ-କମର୍ସ ବ୍ୟବସାୟ ହ୍ରାସ ପାଇଛି। ତେଣୁ ଏକ ଏଫଏମସିଜି କମ୍ପାନିର ଗ୍ରାହକଙ୍କ ପାଇଁ ଇ-କମର୍ସ ସେତେଟା ଆଗ୍ରହ ରଖିନାହିଁ ବୋଲି ସେ ମତ ଦେଇଛନ୍ତି। କିନ୍ତୁ ବଡ଼ ପରିବର୍ତ୍ତନ ବାଣିଜ୍ୟ କ୍ଷେତ୍ରରୁ ଆସିଛି। ସବୁ ପ୍ରତିଯୋଗୀମାନେ ମଧ୍ୟ ସମାନ ଧରଣରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ଗ୍ରାହକମାନେ ମୋବାଇଲ େଫାନରେ ଅଧିକ ସମୟ କଟାଉଛନ୍ତି। ଗୃହିଣୀମାନେ ହିଁ ଫ୍ରିଡମ କମ୍ପାନିର ବଡ଼ ଆଧାର ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/06/IMG-2nd-300x200.jpg)
ଟିପିସିଓଡିଏଲର ସିଇଓ ଏମ୍ ସେନବାଗମ ଯୋଗଦେଇ କହିଥିଲେ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ଯୋଗାଯୋଗ ସମସ୍ୟା ରହିଥିଲା। କିନ୍ତୁ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ସୋସିଆଲ ମିଡିଆ ରହିଛି। ବିଦ୍ୟୁତ ଗ୍ରାହକଙ୍କ ପକ୍ଷରୁ ଦୁଇ ପ୍ରକାର ସମସ୍ୟା ଆସିଥାଏ। ଗୋଟିଏ ହେଲା ବୈଷୟିକ ଏବଂ ଅନ୍ୟଟି ହେଲା ବାଣିଜ୍ୟିକ। ବାଣିଜ୍ୟିକ କ୍ଷେତ୍ରରେ ଅଧିକାଂଶ ବିଲିଂ ସମସ୍ୟାର ସମାଧାନ ୪୮ ଘଣ୍ଟା ମଧ୍ୟରେ କରାଯାଉଛି। କିନ୍ତୁ ବିବାଦ ରହିଥିଲେ ତାହା କିଛିଟା ବିଳମ୍ବ ହୋଇଥାଏ। ଗ୍ରାହକଙ୍କ ପାଇଁ ଅନଲାଇନ ପରିବେଶ ସୃଷ୍ଟି କରାଯାଇଛି। ଗୋଟିଏ ଆପ୍ରେ ଗ୍ରାହକମାନେ ସବୁ ପ୍ରକାର ସେବା ପାଇ ପାରୁଛନ୍ତି। ଏଥିସହିତ ସବଷ୍ଟେସନ ଗୁଡ଼ିକ ଗୋଟିଏ ସ୍ଥାନରୁ ପରିଚାଳିତ କରାଯାଉଛି ବୋଲି ସେନବାଗମ କହିଛନ୍ତି। ଟାଟା ପାୱାର ପାଇଁ ଗ୍ରାହକ ହିଁ ସବୁକିଛି। ଗ୍ରାହକଙ୍କ ଅଭିଯୋଗର ସମାଧାନ ଡିଜିଟାଲ ମୋଡ୍ରେ କରାଯାଉଛି। ଯଦି ତଳସ୍ତରରେ ଅଭିଯୋଗ ସମାଧାନ ହୋଇ ନଥାଏ ତାହେଲେ ସିଇଓ ସ୍ତରକୁ ଆସିଥାଏ ବୋଲି ସେନବାଗମ କହିଛନ୍ତି।
କ୍ୟାପଡିଲ୍ର ପ୍ରତିଷ୍ଠାତା ତଥା ସିଇଓ ଶକ୍ତି ସ୍ବରୂପ ମିଶ୍ର କହିଥିଲେ, ଗ୍ରାହକଙ୍କ ବ୍ୟବହାର ମାପିବା ସେତେଟା ସହଜ ନୁହେଁ। କିନ୍ତୁ ସେମାନଙ୍କ ଆବଶ୍ୟକତାକୁ ଜାଣିବା ଆବଶ୍ୟକ। ବଜାରରେ ବିଭିନ୍ନ ପ୍ରକାରର ଉତ୍ପାଦ ଉପଲବ୍ଧ ହୋଇଥାଏ। ଗ୍ରାହକମାନେ ମଧ୍ୟ ଭିନ୍ନ ଭିନ୍ନ। ତେଣୁ ଗ୍ରାହକଙ୍କୁ ସାମ୍ନା କରିବା ସମୟରେ କମ୍ପାନିଙ୍କୁ ଆଭିମୁଖ୍ୟ ସେହି ଅନୁସାରେ ପ୍ରସ୍ତୁତ କରିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି। ଜାତିସଂଘ ଦ୍ବାରା ଧାର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନେଇ କମ୍ପାନି ଗୁଡ଼ିକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ମତ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ ୟର୍ଣ୍ଣଷ୍ଟ୍ ଆଣ୍ଡ୍ ୟଙ୍ଗ୍ର ବରିଷ୍ଠ ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର କମଳାକାନ୍ତ ଦାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/samb-2nd.jpg)