ଭୁବନେଶ୍ବର : ମହାମାରୀ ସମୟରେ ଲୋକମାନେ ନିଜର ଓ ନିଜ ପରିବାରର ସ୍ବାସ୍ଥ୍ୟ ପ୍ରତି ଚିନ୍ତିତ ଥିଲେ। କିନ୍ତୁ ବ୍ୟବସାୟର ନେତୃତ୍ବ ନେଉଥିବା ବ୍ୟକ୍ତିମାନେ କେବଳ ନିଜ ଘର ନୁହେଁ ବହୁ ପରିବାରର ଦାୟିତ୍ବ ନିଜ ମୁଣ୍ଡକୁ ନେଇଥିଲେ। ସେମାନଙ୍କ ପାଇଁ ନିଜ ଘର ଓ କାରବାର ଉଭୟ ଥିଲା ପରିବାର। ସମ୍ବାଦ ସିଇଓ କନ୍କ୍ଲେଭ୍ ୨୦୨୨ର ତୃତୀୟ ଅଧିବେଶନରେ ବ୍ୟକ୍ତିଗତ ଓ ପେସାଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଯୋଗଦେଇଥିବା ପ୍ୟାନେଲିଷ୍ଟ୍ମାନେ ଏଭଳି ମତ ଦେଇଛନ୍ତି।
ଏ ସମ୍ପର୍କରେ ଏମ୍ପ୍ରିଓ ଗ୍ରୁପର ଏମ୍ଡି ଡା. ଅବିନାଶ ସାମଲ କହିଛନ୍ତି ଯେ ଆମକୁ ନିଜ ଘର ଓ କାରବାର ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିଥିଲା। ଏଭଳି ସ୍ଥିତି ସୃଷ୍ଟି ହେଉଥିଲା ଯେଉଁଠାରେ ଆମ ପରିବାର ସଦସ୍ୟ କାର୍ଯ୍ୟାଳୟରେ ପରସ୍ପରକୁ ଭେଟୁଥିଲୁ ଓ ଭାବ ବିନିମୟ କରୁଥିଲୁ। ଉଭୟ ପରିବାର କଥା ସମ୍ଭାଳିବା ସବୁ ସଦସ୍ୟଙ୍କ ପ୍ରାଥମିକତାରେ ପରିଣତ ହୋଇଥିଲା। ଏ ସମ୍ପର୍କରେ ଚାନ୍ଦୀ ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି ଯେ ଜଣେ ବିବାହିତା ମହିଳା ଭାବେ ମୋତେ ଦୁଇଟି ନୁହେଁ ତିନିଟି ପରିବାରର ଦାୟିତ୍ବ ନେବାକୁ ପଡ଼ିଥିଲା। ମୋ ନିଜ ବାପ ଘର, ଶ୍ବଶୁର ଘର ପରେ ବ୍ୟବସାୟର ଦେଖାଶୁଣା କରିବାକୁ ପଡ଼ିଥିଲା। ମୁଁ କର୍ମ ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ଉପରେ ବିଶ୍ବାସ କରେ ନାହିଁ। ମହାମାରୀ ସମୟରେ ମୋ ଟିମ୍ରେ କାମ କରୁଥିବା ସବୁ ସଦସ୍ୟ ସାମ୍ନା କରୁଥିବା ଆହ୍ବାନକୁ ମୁଁ ଭଲ ଭାବେ ବୁଝିଥିଲି। ସେମାନଙ୍କ ସୁବିଧା ଲାଗି ସବୁ ଉଦ୍ୟମ କରିଥିଲି ବୋଲି ଲିପ୍ସା କହିଛନ୍ତି।
କର୍ମ ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ କେତେ ଜରୁରୀ ସେ ସମ୍ପର୍କରେ ମେଟ୍ରୋ ଗ୍ରୁପ୍ର ନିର୍ଦ୍ଦେଶିକା ସୋଫିଆ ଫିରଦୋସ କହିଛନ୍ତି ଯେ ମନର ଖୁସି ଭଳି ଏହା ମଧ୍ୟ ଏକ ମାନସିକ ସ୍ଥିତି। ମୋ ପାଇଁ କାମ ହେଉଛି ପ୍ରଥମ। ମହାମାରୀ ସମୟରେ ମୁଁ କର୍ମଚାରୀ ଓ ଗ୍ରାହକମାନଙ୍କୁ ଭେଟିଥିଲି। ସେମାନେ ସାମ୍ନା କରୁଥିବା ଆହ୍ବାନଗୁଡ଼ିକୁ ଜାଣିବାକୁ ଉଦ୍ୟମ କରିଥିଲି ଓ ତାହାର ମୁକାବିଲା କରିବାକୁ ଚେଷ୍ଟା କରିଥିଲି। ତାଙ୍କ ମତରେ କର୍ମ ଜୀବନରେ ଉନ୍ନତି ଆଣିବା ଲାଗି ସମସ୍ତେ ଉଦ୍ୟମ କରିବା ଦରକାର। ଏଥି ସହିତ ନିଜ ପାଇଁ କିଛି ସମୟ ବାହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଓଡ଼ିଏମ୍ ଏଜୁକେସନାଲ ଗ୍ରୁପର ସିଓଓ ସ୍ବୟନ୍ ସତ୍ୟେନ୍ଦୁ ଏ ସମ୍ପର୍କରେ କହିଛନ୍ତି ଯେ ଏକ ଶିକ୍ଷାନୁଷ୍ଠାନର ଦେଖାଶୁଣା କରୁଥିବାରୁ ଆମ ପାଇଁ ପରିବାରର ଅର୍ଥ ସମ୍ପୂର୍ଣ୍ଣ ଅଲଗା ଥିଲା। ଶହ ଶହ ପିଲା ଓ ସେମାନଙ୍କ ଅଭିଭାବକ, ଆମ ପାଇଁ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ନିଜ ପରିବାର ସମସ୍ତଙ୍କ କଥା ବୁଝିବାକୁ ପଡ଼ିଥିଲା। ସବୁ ଆହ୍ବାନକୁ ଗ୍ରହଣ କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।
ମହାମାରୀ ସମୟର ଚାପ ସମ୍ପର୍କରେ ବକ୍ତାମାନେ କହିଛନ୍ତି ଯେ ତାହା ନିଶ୍ଚିତ ରୂପେ ଏକ ଧକ୍କା ଥିଲା। ଆର୍ଥିକ ଚାପ ରହିଥିଲା। କର୍ମଚାରୀଙ୍କୁ ବେତନ ଦେବା ଓ ବ୍ୟାଙ୍କ ଋଣ ଶୁଝିବାର ଚାପ ରହିଥିଲା। କିନ୍ତୁ ସମସ୍ତଙ୍କୁ ଏହା ମନେ ରଖିବାକୁ ହେବ ଯେ କୌଣସି ସମସ୍ୟା ସବୁ ଦିନ ପାଇଁ ରହିବନାହିଁ। ଧୈର୍ଯ୍ୟ ରଖିବାକୁ ହେବ। ମହାମାରୀରୁ ଆମ ପାଇଁ ତାହା ହିଁ ବଡ଼ ଶିକ୍ଷା ମିଳିଥିଲା ବୋଲି ସେମାନେ କହିଛନ୍ତି। ଏହି ଅଧିବେଶନକୁ କନକ ନ୍ୟୁଜର ନ୍ୟୁଜ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡା ସଂଚାଳନ କରିଥିଲେ।