‘ସମ୍ବାଦ’ ସିଇଓ କନ୍‌କ୍ଲେଭ୍ ଆଜି

ଭୁବନେଶ୍ବର : କରୋନା ମହାମାରୀ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟବସାୟ ଜଗତକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ତେବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ବଳିଷ୍ଠ ନେତୃତ୍ବ, ଦକ୍ଷତା ଓ ମୂଲ୍ୟବାନ ପରାମର୍ଶ ଯୋଗୁଁ ବ୍ୟବସାୟରେ ସୁଧାର ଘଟିବା ସହ ସ୍ବାଭାବିକ ସ୍ଥିତି ଫେରିଥିଲା। କଠିନ ସମୟରେ ବ୍ୟବସାୟରେ ସ୍ଥିରତା ଆଣିବା ସହ ଆର୍ଥିକ ଲାଭ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସିଇଓମାନଙ୍କ କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରିବା ଲାଗି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ଆୟୋଜନ କରୁଛି ‘ସମ୍ବାଦ ସିଇଓ କନ୍‌କ୍ଲେଭ୍ -୨୦୨୨’।

ଆଜି ଅପରାହ୍ନରେ ଏକ ତାରକା ହୋଟେଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ ଶିଳ୍ପ ଜଗତ ବହୁ ବିଶିଷ୍ଟ ସିଇଓ ଓ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରି କନ୍‌କ୍ଲେଭ୍‌ର ବିଷୟବସ୍ତୁ ‘ପାଣ୍ଡେମିକ୍ ଆଣ୍ଡ୍‌ ବିୟଣ୍ଡ୍‌’ (ମହାମାରୀ ଓ ତା’ପରେ) ଉପରେ ସାରଗର୍ଭକ ଆଲୋଚନା କରିବେ। ଉଦ୍‌ଘାଟନୀ ସମାରୋହ ପରେ ତିନିଟି ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହେବ। ପ୍ରତି ଅଧିବେଶନର ଅଲଗା ବିଷୟବସ୍ତୁ ରହିଛି ଯାହା ଉପରେ ପ୍ୟାନେଲ୍‌ରେ ଅଂଶଗ୍ରହଣ କରିଥିବା ସିଇଓମାନେ ଆଲୋଚନା କରିବା ସହ ଭାବ ବିନିମୟ କରିବେ। କଠିନ ସମୟରେ ବ୍ୟବସାୟକୁ ଜାରି ରଖିବା ଲାଗି କେଉଁ ଭଳି ରଣନୀତି ଗ୍ରହଣ କରାଯାଇଥିଲା ତାହା ଉପରେ ସେମାନେ ଆଲୋକପାତ କରିବେ।

‘ସମ୍ବାଦ ସିଇଓ କନ୍‌କ୍ଲେଭ୍ ୨୦୨୨’ ଓଡ଼ିଶାରେ ଏଭଳି ପ୍ରଥମ ଧରଣର ଏକ କନ୍‌କ୍ଲେଭ୍ ଯାହା ବ୍ୟବସାୟରେ ନେତୃତ୍ବ, ଲକ୍ଷ୍ୟ ଓ ଭବିଷ୍ୟତ ଆବଶ୍ୟକତା ଉପରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିବ। ମହାମାରୀ ଭଳି ଜଟିଳ ସମୟରେ ବ୍ୟବସାୟକୁ କିଭଳି ପରିଚାଳନା କରିଥିଲେ ସେବିଷୟରେ ସିଇଓମାନେ ଚର୍ଚ୍ଚା କରିବେ। ସେମାନେ ଯେଉଁ କଠିନ ନିଷ୍ପତ୍ତି ନେଇଥିଲେ ଓ ବହୁ ମୂଲ୍ୟ ତ୍ୟାଗ କରିଥିଲେ ତାହା ମଧ୍ୟ ଜଣାଇବେ। ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କିଭଳି ସନ୍ତୁଳନ ରକ୍ଷା କରିପାରିଥିଲେ ତାହା ମଧ୍ୟ ବର୍ଣ୍ଣନା କରିବେ।

ସମ୍ବନ୍ଧିତ ଖବର