ରାଉରକେଲା: ସମ୍ବାଦ ଗ୍ରୁପ୍ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ବାର୍ଷିକ ବିତର୍କ ଓ ସାରେଗାମାର ରାଉରକେଲା ଜୋନ୍ସ୍ତରୀୟ ପ୍ରତିଯୋଗିତା ରବିବାର ସେକ୍ଟର-୧୪ସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲ ପ୍ରେକ୍ଷାଳୟରେ ରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ-କନକ ନ୍ୟୁଜ୍ ବିତର୍କରେ ‘ଇଣ୍ଡିଆ ଶବ୍ଦକୁ ବାଦ୍ ଦେଇ ଆମ ଦେଶର ନାମ କେବଳ ଭାରତ ରହିବା ଉଚିତ’ ବିଷୟରେ ସରଗରମ ବିତର୍କ ହୋଇଥିଲା। ଏଥିରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଛାତ୍ର ପ୍ରୟାସ ପ୍ରୀତିରଞ୍ଜନ ବାରିକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ପ୍ରଥମ ହୋଇଥିଲେ। ସେକ୍ଟର-୪ସ୍ଥ ରାଉରକେଲା ମହାବିଦ୍ୟାଳୟର ଛାତ୍ରୀ ରୀତୁ କୁମାରୀ ଦ୍ବିତୀୟ ଏବଂ ଏନ୍ଆଇଟି ରାଉରକେଲାର ଛାତ୍ର ବିଘ୍ନେସ ଦାସ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଲଘୁକଣ୍ଠ ସଙ୍ଗୀତ ପ୍ରତିଯୋଗିତା ସମ୍ବାଦ-ରେଡିଓ ଚକଲେଟ୍ ‘ସାରେଗାମା’ରେ ଛେଣ୍ଡ କଲୋନିସ୍ଥ ଚିନ୍ମୟ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଶ୍ରୀ ପାତ୍ର ଉଭୟ ଶ୍ରୋତା ଓ ବିଚାରକଙ୍କ ମନଜିଣି ପ୍ରଥମ ସ୍ଥାନ ପାଇଥିଲେ। ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସ୍ନିଗ୍ଧା ସ୍ବାଇଁ ଦ୍ବିତୀୟ ଏବଂ ସେଣ୍ଟ୍ ପଲ୍ସ ସ୍କୁଲର ବାଘରାୟ ହାଁସଦା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ବିତର୍କ ଓ ସାରେଗାମାରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଭାବେ ନଗଦ ଅର୍ଥ ସହ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ସେମାନେ ମଧ୍ୟ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ବିତର୍କରେ ବିଚାରକ ଭାବେ ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ, ଡାଲମିଆ କଲେଜ ରାଜଗାଙ୍ଗପୁରର ଅବସରପ୍ରାପ୍ତ ପ୍ରାଧ୍ୟାପକ ପାରେଶ୍ବର ବିଶ୍ବାଳ ଏବଂ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ. ପ୍ରଶାନ୍ତ ମହାରଣା ଯୋଗ ଦେଇଥିଲେ। ଅନୁରୂପ ଭାବେ ସାରେଗାମାରେ ସଙ୍ଗୀତ ଗୁରୁ କ୍ଷଣପ୍ରଭା ବିଶୋଇ, ବିନୟ ମହାନ୍ତି ଏବଂ ବିଷ୍ଣୁପ୍ରିୟା ସାହୁ ବିଚାରକ ଦାୟିତ୍ବ ତୁଲାଇଥିଲେ। ବାଦ୍ୟଯନ୍ତ୍ରରେ ସଙ୍ଗୀତ ଗୁରୁ ଫକୀର ଚରଣ ପତି, ସାଗର ବାରିକ ଏବଂ ସୁବ୍ରତ ନାୟକ ସହାୟତା କରିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଜ୍ଞାନରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ବିତର୍କ ଓ ସାରେଗାମାର ବିଜୟୀ ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଗତ ୧୦ ତାରିଖରେ ଅନୁଷ୍ଠିତ ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ରାଉରକେଲା ସହରର ୬ଟି କେନ୍ଦ୍ରର ୫୪ ଜଣ ସଫଳ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ନଗରପାଳ ନିହାର ରାୟ ମୁଖ୍ୟ ଅତିଥି, ସଙ୍ଗୀତ ଗୁରୁ ବିଷ୍ଣୁପ୍ରିୟା ସାହୁ ଏବଂ ବିନୟ ମହାନ୍ତି ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବାରେ ‘ସମ୍ବାଦ’ର ଏଭଳି ପ୍ରୟାସ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ‘ସମ୍ବାଦ’ର ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଡମ୍ବୁରୁଧର ନାୟକ ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣର ଅଶୋକ ପାତ୍ର, ସୁନୀଲ ଦାସ, ମଳୟ ରଞ୍ଜନ ସାହୁ, ଦେବବ୍ରତ ଗଡ଼ତିଆ, ସୌଭାଗ୍ୟ ସାହୁ, ସତ୍ୟବ୍ରତ ସାହୁ, ସାଗର ମହାପାତ୍ର, ରାଜେଶ ସାହୁ, ଅଭୟ ନାୟକ, ବିକଳ ଚୌଧୁରୀ, କୁଳମଣି ଦାସ, ବେଦବ୍ୟାସ ପ୍ରତିନିଧି ମହେନ୍ଦ୍ର ମହାନ୍ତି, କନକ ନ୍ୟୁଜ୍ର ବ୍ୟୁରୋ ମୁଖ୍ୟ ପ୍ରତାପ ପାଢ଼ୀ ଏବଂ ଗୌତମ ମାଇତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବର୍ଷା ସତ୍ତ୍ବେ ରବିବାର ଅନୁଷ୍ଠିତ ଉଭୟ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପ୍ରତିଯୋଗିତାର ସ୍ତର ଓ ପ୍ରତିଯୋଗୀଙ୍କ ଦକ୍ଷତାକୁ ବିଚାରକମାନେ ଭୂୟସୀ ପ୍ରଶଂସା କରିଥିଲେ।
ବିତର୍କ ବିଜୟୀ
ପ୍ରଥମ: ପ୍ରୟାସ ପ୍ରୀତିରଞ୍ଜନ ବାରିକ, ମ୍ୟୁନିସିପାଲ୍ କଲେଜ, ଉଦିତନଗର, ରାଉରକେଲା
ଦ୍ବିତୀୟ: ରୀତୁ କୁମାରୀ, ରାଉରକେଲା କଲେଜ, ସେକ୍ଟର-୪, ରାଉରକେଲା
ତୃତୀୟ: ବିଘ୍ନେସ ଦାସ ମହାପାତ୍ର, ଏନ୍ଆଇଟି, ରାଉରକେଲା
ସାରେଗାମା ବିଜୟୀ
ପ୍ରଥମ: ଶ୍ରଦ୍ଧାଶ୍ରୀ ପାତ୍ର, ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଛେଣ୍ଡ, ରାଉରକେଲା
ଦ୍ବିତୀୟ: ସ୍ନିଗ୍ଧା ସ୍ବାଇଁ, ସୁଶୀଳାବତୀ ସରକାରୀ କଲେଜ, ରାଉରକେଲା
ତୃତୀୟ: ବାଘରାୟ ହାଁସଦା, ସେଣ୍ଟ ପଲ୍ସ ସ୍କୁଲ, ସେକ୍ଟର-୧୯, ରାଉରକେଲା।