ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ମସଲା ବଜାରରେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଭାରତ ମସଲା’ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡାଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
/sambad/media/post_attachments/wp-content/uploads/2018/01/Bharat-Masala-Press-Meet-4-300x206.jpg)
ଓଡ଼ିଶାରେ ମସଲା ଶିଳ୍ପର ସ୍ଥିତି କ’ଣ?
ଓଡ଼ିଶାରେ ମସଲା ବ୍ୟବସାୟର ସ୍ଥିତି ଆରମ୍ଭରୁ ଉତ୍ସାହଜନକ ରହିଛି। ମୋଟାମୋଟି ଭାବେ ଠିକରେ ବ୍ୟବସାୟ କରୁଥିବା ସଂସ୍ଥା ଅଭିବୃଦ୍ଧି କରି ଚାଲିଛନ୍ତି। ଆଗକୁ ବଢିବା ପାଇଁ ଏଠି ପର୍ଯ୍ୟାପ୍ତ ବଜାର ରହିଛି। ଏଇଠୁ ସଂସ୍ଥା ବାହାରକୁ ରପ୍ତାନୀ କରି ସଫଳ ମଧ୍ୟ ହେଉଛନ୍ତି। କିନ୍ତୁ ସବୁଠୁ ବଡ ସମସ୍ୟା ହେଉଛି କଞ୍ଚା ମାଲ ଏବଂ ଦକ୍ଷ ଶ୍ରମ ଶକ୍ତି।
ମସଲା ଶିଳ୍ପ ପାଇଁ କଞ୍ଚା ମାଲ କ’ଣ ଓଡ଼ିଶାର ନାହିଁ?
କଞ୍ଚା ମାଲ ଆବଶ୍ୟକତା ଅନୁଯାୟୀ ଉତ୍ପାଦନ ହେଉ ନାହିଁ। ଯାହା ବି ଉତ୍ପାଦନ ହେଉଛି, ତାହାର ମାନକୁ ନେଇ ସନ୍ଦେହ ରହୁଛି। କଞ୍ଚା ମାଲ ଯୋଗାଉଥିବା ଲୋକ ଠକିବାକୁ ଉଦ୍ୟମ କରନ୍ତି। ସେଠି ବିଶ୍ୱାସ କରି ହୁଏ ନାହିଁ। ବ୍ୟବସାୟ ଏବଂ ଉତ୍ପାଦନରେ ନିୟୋଜିତ ଅଧିକାଂଶ ଲୋକଙ୍କର ବୃତ୍ତିଗତ ମନୋଭାବ ବି ନାହିଁ।
ଆପଣ କଞ୍ଚାମାଲ ପାଇଁ କେଉଁ ରାଜ୍ୟ ଉପରେ ନିର୍ଭର କରୁଛନ୍ତି?
ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କଞ୍ଚାମାଲ ସଂଗ୍ରହ ହେଉଛି। ମାନ ଦେଖି ଆମେ ବିଭିନ୍ନ ଅଞ୍ଚଳରୁ ସେସବୁ ସାମଗ୍ରୀ ସଂଗ୍ରହ କରୁଛୁ।
ଓଡ଼ିଶାରେ ବର୍ତ୍ତମାନ ଶିଳ୍ପ ପାଇଁ ପରିବେଶ କିଭଳି ରହିଛି? ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁଛି?
ମୋଟାମୋଟି ଭାବେ ଅନୁକୂଳ ପରିବେଶ ରହିଛି ବୋଲି କହି ହେବ। ଆମେ ତ ଏଇ ସରକାର ଅମଳରେ ଅଭିବୃଦ୍ଧି ହାସଲ କରିଛୁ। ରେକର୍ଡ ଦେଖନ୍ତୁ, ଓଡ଼ିଶାରୁ ବାହାର ରାଜ୍ୟ ଅଥବା ଦେଶକୁ ବର୍ଷକୁ ବର୍ଷ ରପ୍ତାନୀ ବଢି ଚାଲିଛି। ଏଠି ଉପରସ୍ତରରେ କୌଣସି ସମସ୍ୟା ରହୁନାହିଁ। ସିଙ୍ଗିଲ୍ ଓ୍ଵିଣ୍ଡୋ ବ୍ୟବସ୍ଥା ବି ଠିକ୍ ଚାଲିଛି। କିନ୍ତୁ ପ୍ରକୃତ ଯେଉଁଠି କଂପାନି ଚାଲୁଛି ଅଥବା ନିର୍ମାଣ ହେଉଛି, ସେଠି ସମସ୍ୟା ରହୁଛି। ସରକାରୀ ତଳସ୍ତରରେ ପର୍ଯ୍ୟାପ୍ତ ସହଯୋଗ ମିଳୁନାହିଁ। ସେଥିପାଇଁ ଅନେକ ଶିଳ୍ପ ସଂସ୍ଥା ସମସ୍ୟାରେ ପଡୁଛନ୍ତି। ବାହାର ସଂସ୍ଥା ବି ଛାଡି ଚାଲି ଯାଉଛନ୍ତି।
ଏହାର କାରଣ କ’ଣ ଦୁର୍ନୀତି ବୋଲି କହି ହେବ?
ନିର୍ଦ୍ଦିଷ୍ଟ ଭାବେ ଦୁର୍ନୀତି ନୁହେଁ। କିନ୍ତୁ ଶିଳ୍ପକୁ ଅଗ୍ରାଧିକାର ଦେବା ମନୋଭାବ ତଳସ୍ତରରେ ସୃଷ୍ଟି ହୋଇନି। ଏଥିପାଇଁ ସରକାରୀ ସ୍ତରରେ ଅଧିକ ସଚେତନତା ସୃଷ୍ଟି ସହ ସଜାଗ ଓ ଯାଞ୍ଚ ବ୍ୟବସ୍ଥା ରହିଲେ, ପରିସ୍ଥିତି ବଦଳି ଯିବ।
ଓଡ଼ିଶାରେ ଯୁବ ଶିଳ୍ପୋଦ୍ୟୋଗୀଙ୍କ ପାଇଁ ସୁଯୋଗ ରହିଛି ବୋଲି ଭାବୁଛନ୍ତି?
ନିଶ୍ଚିତ ଭାବେ ସୁଯୋଗ ରହିଛି। କିନ୍ତୁ ଯୁବକମାନେ ସ୍ୱପ୍ନ ଦେଖିବା ସହ କଠିନ ପରିଶ୍ରମ ଆଉ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରିବା ଆବଶ୍ୟକ। କିନ୍ତୁ ଓଡ଼ିଆ ଯୁବକମାନେ କେବଳ ଚାକିରିର ସହଜ ବାଟ ଖୋଜୁଥିବାରୁ ସ୍ଥିତି ବଦଳୁ ନାହିଁ। ବ୍ୟବସାୟରେ ସଫଳ ହେବାକୁ ହେଲେ କିଛିଟା ଆହ୍ଵାନ ଗ୍ରହଣ କରିବାକୁ ପଡିବ। ନୂଆ ଚିନ୍ତା ସହ ସାଧୁତା ଓ ବିଶ୍ୱସନୀୟତା ବଜାୟ ରଖିବାକୁ ପଡ଼ିବ।
ଆପଣ କେଉଁ ରାଜ୍ୟ ଅଥବା ଦେଶକୁ ମସଲା ରପ୍ତାନୀ କରୁଛନ୍ତି?
ଦେଶର ପ୍ରାୟ ୨୨ଟି ରାଜ୍ୟକୁ ମସଲା ରପ୍ତାନୀ ହେଉଛି। ଗଲ୍ଫ ଦେଶ, ଶ୍ରୀଲଙ୍କା, ନେପାଳ, ବଙ୍ଗଳାଦେଶ, ସିଙ୍ଗାପୁର, ମାଲେସିଆ, ଅଷ୍ଟିି୍ରଆ ଭଳି ପ୍ରାୟ ୧୫ଟି ଦେଶକୁ ମସଲା ରପ୍ତାନୀ ହେଉଛି।
ଜିଏସ୍ଟି ଏବଂ ନୋଟ ବନ୍ଦୀ ବ୍ୟବସାୟ ଉପରେ କିଛି ପ୍ରଭାବ ପକାଇଛି?
ନାଁ। ବ୍ୟବସାୟ ପ୍ରଭାବିତ ହୋଇନାହିଁ। କିନ୍ତୁ ସମସ୍ୟା ସୃଷ୍ଟି ହୋଇଛି। ଦୁଇଟିଯାକ ଭଲ ପଦକ୍ଷେପ। ଦେଶର ବିକାଶ ପାଇଁ କିଛିଟା ଠୋସ୍ ପଦକ୍ଷେପ ଜରୁରି। କିନ୍ତୁ ପର୍ଯ୍ୟାପ୍ତ ପ୍ରସ୍ତୁତି ଆଉ ସଚେତନତା ଅଭାବରୁ ଏହାକୁ କାର୍ଯ୍ୟକାରୀ କରିବାରେ ସମସ୍ୟାରେ ପଡୁଛୁ।
ଶିଳ୍ପସଂସ୍ଥା, ଶିଳ୍ପୋଦ୍ୟୋଗୀ ମାନଙ୍କୁ ସ୍ୱୀକୃତି ଦେବାକୁ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମ ରାଜ୍ୟର ଶିଳ୍ପ କ୍ଷେତ୍ରରେ କି ପ୍ରକାର ପରିବେଶ ସୃଷ୍ଟି କରିବ ବୋଲି ଆପଣ ଆଶା କରୁଛନ୍ତି?
ଏ ପ୍ରକାର କାର୍ଯ୍ୟକ୍ରମ ଉତ୍ସାହ ସୃଷ୍ଟି କରେ। ବ୍ୟବସାୟର ଉଦ୍ଦେଶ୍ୟ କେବଳ ଅର୍ଥ ଆୟ ନୁହେଁ। ସମାଜ ପ୍ରତି ପ୍ରତିଶ୍ରୁତିବଦ୍ଧତା ବି ଏହାର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ। ଯେଉଁ ଶିଳ୍ପୋଦ୍ୟୋଗୀ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଏ ପ୍ରକାର ସ୍ୱୀକୃତି ସେମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦିଏ। ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ଏ ପ୍ରକାର ଏକ ଅଭିନବ ପଦକ୍ଷେପ ନିଶ୍ଚିତଭାବେ ଶିଳ୍ପୋଦ୍ୟୋଗୀ ମାନଙ୍କ ପାଇଁ ପ୍ରେରଣାଦାୟକ ହେବ।
ପୁରସ୍କାର ପାଇଁ କେମିତି ଆବେଦନ କରିବେ
www.sambadawards.in ଓ୍ଵବସାଇଟ୍ରୁ ଫର୍ମ ଡାଉନଲୋଡ୍ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sam-copy-4.jpg)