ଯୁବପିଢ଼ି ଉତ୍ସାହିତ ହେବେ: ଡ. ସତ୍ୟବ୍ରତ ମୀନକେତନ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡସ୍‌ ଅଫ ଓଡ଼ିିଶା, ପ୍ରାଇଡ୍‌ ଅଫ ଇଣ୍ଡିଆ- ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ -୨୦୧୮କୁ ନେଇ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ଶିଳ୍ପୋଦ୍ୟୋଗୀମାନଙ୍କୁ ଅଗ୍ରସର ହେବା ପାଇଁ ପ୍ରେରଣା ଦେବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…

ଏହି ପୁରସ୍କାର ସଂପର୍କରେ ଆପଣଙ୍କ ମତାମତ କ’ଣ?
ସଫଳ ଶିଳ୍ପୋଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯିବା କ୍ଷେତ୍ରରେ ‘ସମ୍ବାଦ’ର ଏଭଳି ଅଭିନବ ପ୍ରୟାସକୁ ମୁଁ ସ୍ୱାଗତ ଜଣାଉଛି। ଏହାଦ୍ୱାରା ଶିଳ୍ପର ଉନ୍ନତି ହେବା ସହିତ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀମାନେ ଉତ୍ସାହିତ ହେବେ। ଏହା ନୂତନ ପିଢ଼ିର ଉଦ୍ୟୋଗୀମାନଙ୍କୁ ଆଗକୁ ଯିବାକୁ ଉତ୍ସାହିତ କରିବ।

ରାଜ୍ୟରେ ଏକ ଉତ୍ତମ ଶିଳ୍ପ ପରିବେଶ ସୃଷ୍ଟି କରିବାରେ ଏହି ପୁରସ୍କାର ସହାୟକ ହେବ କି?
ନିଶ୍ଚିତ ଭାବେ, ଏହି ପୁରସ୍କାର ରାଜ୍ୟରେ ଶିଳ୍ପାୟନକୁ ନେଇ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇପାରିବ।

ଓଡ଼ିଶାର ଅନେକ ଶିଳ୍ପୋଦ୍ୟୋଗୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କର ଉଦ୍ୟମକୁ ସ୍ୱୀକୃତି ଦିଆଗଲେ ଏହା ରାଜ୍ୟର ଶିଳ୍ପାୟନର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିବ।

ଏଭଳି ପୁରସ୍କାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁଛନ୍ତି କି?
ବର୍ତ୍ତମାନ ସମୟରେ ଦ୍ରୁତ ଶିଳ୍ପାୟନର ଆବଶ୍ୟକତା ଅପରିହାର୍ଯ୍ୟ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ରାଜ୍ୟରେ ନୂତନ ଆଶାର ସଞ୍ଚାର ହୋଇଛି। ଔଦ୍ୟୋଗିକ ବିକାଶ କ୍ଷେତ୍ରରେ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପସଂସ୍ଥାଗୁଡ଼ିକ କାର୍ଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ଓଡ଼ିଶା ଏକ ପ୍ରଗତିଶୀଳ ରାଜ୍ୟ। ଏହାର ଉତ୍ତରୋତ୍ତର ଉନ୍ନତି ତଥା ବିକାଶ କରିବା ପାଇଁ ଏହି ପୁରସ୍କାର ଏକ ପ୍ରୋତ୍ସାହନ ସ୍ୱରୂପ କାର୍ଯ୍ୟ କରିବ।

ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ଆଦୌ ନୁହେଁ, ଯେଉଁ ପରିମାଣରେ ଓଡ଼ିଶାରେ ଶିଳ୍ପାୟନରେ ଉନ୍ନତି ହେବା କଥା ତାହା ହେଉ ନାହିଁ। ରାଜ୍ୟର ଶିଳ୍ପାୟନକୁ ତ୍ୱରାନ୍ଵିତ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ଶିଳ୍ପନୀତି ନିର୍ଦ୍ଧାରଣ କରାଯାଇଛି। ଏହି ନୀତି ଦ୍ୱାରା ଶିଳ୍ପର ବିକାଶ ପାଇଁ ଯଥୋପଯୁକ୍ତ ସମ୍ବଳ ଏବଂ ପୁଞ୍ଜି ବିନିଯୋଗ କରାଯାଇଛି। ମାତ୍ର ଓଡ଼ିଶାରେ ଶିଳ୍ପ ବିକାଶର ଯଥେଷ୍ଟ ସୁବିଧା ଓ ସୁଯୋଗ ଥିଲେ ମଧ୍ୟ ନାନାଦି କାରଣରୁ ଏହାର ଆଶାନୁରୂପ ଅଗ୍ରଗତି ହୋଇପାରି ନାହିଁ। ଅତୀତରେ ଅନେକ ପ୍ରତିଷ୍ଠିତ ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଥିବାର ନଜରି ରହିିଛି। ଏହା ଫଳରେ ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। କ୍ଷୁଦ୍ର ଶିଳ୍ପସଂସ୍ଥାଗୁଡ଼ିକର ଅବଦାନକୁ ମଧ୍ୟ ଅସ୍ୱୀକାର କରାଯାଇ ନପାରେ। ସରକାର ଯେଉଁ ଶିଳ୍ପନୀତି ପ୍ରଣୟନ କରୁଛନ୍ତି ତାହା ପ୍ରତ୍ୟେକ ବର୍ଗର ଶିଳ୍ପ ସଂସ୍ଥା ଦ୍ୱାରା ଆଦୃତ ଏବଂ କାର୍ଯ୍ୟକାରୀ ହେଲେ ଶିଳ୍ପାୟନ ପ୍ରକ୍ରିୟା ଆହୁରି ତ୍ୱରାନ୍ଵିତ ହୋଇପାରିବ।

ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ସମୟ ସହିତ ରୁଚି ଏବଂ ଜୀବନଧାରାରେ ବ୍ୟାପକ ପରିବତ୍ତର୍ନ ଘଟିଛି। କେବଳ ଓଡ଼ିଶା କାହିଁକି ସମଗ୍ର ବିଶ୍ୱ ଆଜି ଯନ୍ତ୍ରାଭିମୁଖୀ ହୋଇପଡ଼ି଼ଛି। ଏହି ପରିବତ୍ତର୍ନ ସହ ତାଳ ଦେଇ ଗତି କରିବାକୁ ହେଲେ ଶିଳ୍ପାୟନ କ୍ଷେତ୍ରରେ ଏକ ଉତ୍ତମ ପରିବେଶର ଆବଶ୍ୟକତା ରହିଛି। କୁହାଯାଏ, ‘ଯାହା ଓଡ଼ିଶାରେ ନିର୍ମିତ ତାହା ଭାରତରେ ଆଦୃତ’। ରତ୍ନଗର୍ଭା ଓଡ଼ିଶାରେ ସୀମିତ ସୁଯୋଗ ଓ ସମ୍ବଳ ସତ୍ତ୍ୱେ ବିପୁଳ ପ୍ରାକୃତିକ ସଂପଦ ଏବଂ କଞ୍ଚାମାଲ ଭରପୂର ହୋଇ ରହିଛି। ମାତ୍ର ଏହାର ସଠିକ୍‌ ବିନିଯୋଗ ହୋଇପାରୁନାହିଁ। ଆମ ରାଜ୍ୟରେ ପ୍ରତିଭାର ମଧ୍ୟ ଅଭାବ ନାହିଁ । ଓଡ଼ି଼ଶାର ଦକ୍ଷ ଏବଂ କୁଶଳୀ ଯୁବ ପିଢି଼ ଭାରତ କାହିଁକି ବିଦେଶରେ ମଧ୍ୟ ଉତ୍ତମ କର୍ମନିଯୁକ୍ତି ପାଇଛନ୍ତି। ତେଣୁ ଆମ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ମନରେ ଆସ୍ଥା ସୃଷ୍ଟି କରିବାକୁ ପଡ଼ିବ। ସେମାନଙ୍କୁ ସାହସ ଦେବାକୁ ପଡ଼ିବ।

ଆଗକୁ ବଢ଼ିବା ପାଇଁ କେଉଁ କ୍ଷେତ୍ର ସରକାରଙ୍କଠାରୁ ଅଧିକ ସହାୟତା ଆବଶ୍ୟକ କରୁଛି?
ମୁଖ୍ୟତଃ ଶିକ୍ଷା, କୃଷି, ପର୍ଯ୍ୟଟନ, ସାମୁଦ୍ରିକ ଉତ୍ପାଦନ, ବୟନ ଶିଳ୍ପକୁ ଅଧିକ ସହାୟତାର ଆବଶ୍ୟକତା ରହିଛି। ବିଶେଷତଃ ଖଣିଜ ଏବଂ ଧାତବ ଶିଳ୍ପ ଆମ ଶିଳ୍ପାୟନର ଆଧାରଶିଳା ବୋଲି କୁହାଯାଏ। ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଦେଶର ଅର୍ଥନୀତି, କୃଷି ଉପରେ ନିର୍ଭର କରୁଥିବାରୁ ମୁଖ୍ୟତଃ ଗ୍ରାମାଞ୍ଚଳରେ କୃଷିଭିତ୍ତିକ ଶିଳ୍ପ ସଂସ୍ଥାନ ଉପରେ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ।

ରାଜ୍ୟରେ ବ୍ୟବସାୟିକ ବାତାବରଣରେ ଉନ୍ନତି ପାଇଁ ସରକାର କ’ଣ କରିବା ଉଚିତ?
ମୋ ମତରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍‌ ଭାବରେ ସରକାର ଗୁରୁତ୍ୱ ଦେବା ସହ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସୁଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ କଞ୍ଚାମାଲ ଓ ପୁଞ୍ଜିନିବେଶ କରି ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଉଚିତ। ସରକାର ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଯେଉଁ ‘ଶିଳ୍ପନୀତି’ ପ୍ରଣୟନ କରୁଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ସହିତ ଲୋକାଭିମୁଖୀ କରିବା ଜରୁରୀ।

ଏହି ପୁରସ୍କାର ନୂଆ ଯୁବପିଢ଼ିକୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ଭାବୁଛନ୍ତି କି?
ନିଶ୍ଚିତ ଭାବରେ ଯୁବପିଢ଼ି ଉତ୍ସାହିତ ହେବେ। ପୁରସ୍କାର ହିଁ କର୍ମକୁଶଳତା ଏବଂ ଦକ୍ଷତାର ପରିଚାୟକ। ପୁରସ୍କାର ହିଁ ପ୍ରଗତି
କରିବାର ଅନ୍ୟ ଏକ ବିଭବ। ତେଣୁ ଯୋଗ୍ୟ ଏବଂ କର୍ମତତ୍ପର ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁରସ୍କୃତ କରିବା ଏକ ନୂତନ ପ୍ରୟାସ। ଏହାଦ୍ୱାରା ଯୁବପିଢ଼ି ଶିଳ୍ପୋଦ୍ୟୋଗୀ ହେବା ପାଇଁ ପ୍ରେରଣା ପାଇବା ସହ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଅନୁପ୍ରାଣିତ ହେବେ। ଏହାହିଁ ସେମାନଙ୍କ ଅନ୍ତର୍ନିହିତ ମନୋବଳକୁ ସୁଦୃଢ଼ କରିବା ସହ ଆତ୍ମବିଶ୍ୱାସକୁ ବଢ଼ାଇ ପାରିବ।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର