ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ରିଅଲ ଇଷ୍ଟେଟ ସଂଘ ଆଫୋର୍ଡର ଅଧ୍ୟକ୍ଷ ନିଶୀଥ ରଂଜନ ନନ୍ଦଙ୍କ ମତକୁ ଏଠାରେ ଉପସ୍ଥାପନ କରାଯାଇଛି।

Advertisment

publive-image

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ରାଜ୍ୟର ସବୁଠୁ ଲୋକପ୍ରିୟ ସମ୍ବାଦପତ୍ର ‘ସମ୍ବାଦ’ ତରଫରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ।

ଏଭଳି ପୁରସ୍କାର ବର୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁନାହାନ୍ତି କି?
ହଁ, ଏହା ରାଜ୍ୟରେ ଏକ ଉନ୍ନତ ଶିଳ୍ପ ବାତାବରଣ ସୃଷ୍ଟି କରିପାରିବ।
ଆପଣ ଭାବୁନାହାନ୍ତି କି ଏହି ପୁରସ୍କାର ହେଉଛି ସମୟର ଆହ୍ଵାନ?
ଏଭଳି ଧରଣର ପୁରସ୍କାର ନୂଆ ଏବଂ ଉଦୀୟମାନ ଉଦ୍ୟୋଗୀଙ୍କ ମନୋବଳ ବଢ଼ାଇବ। ଏହା ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ମଧ୍ୟ ସମ୍ମାନଜନକ ମାନ୍ୟତା ପ୍ରଦାନ କରିବ।

ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ବର୍ତ୍ତମାନ ଓଡ଼ିଶାରେ ଶିଳ୍ପାୟନର ସ୍ଥିତି ଏତେଟା ଉତ୍ସାହଜନକ ନୁହେଁ। ନାଲିଫିତା ପ୍ରକ୍ରିୟା ସବୁ କିଛି ବିଳମ୍ବିତ କରୁଛି।

ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ବହୁତ କିଛି କରିବାକୁ ପଡ଼ିବ। ଶୀଘ୍ର ମଞ୍ଜୁରି, ଅନୁମୋଦନ ଏବଂ ଠିକ୍‌ ସମୟରେ ଜମି ଆବଣ୍ଟନ କରାଯିବାର ଆବଶ୍ୟକତା ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଏ ସବୁ ସୁବିଧା ଓଡ଼ିଶାରେ ଠିକ ସମୟରେ ମିଳୁନି। ସେ ଉଦାହରଣ ଦେଇ କହିଛନ୍ତି ଯେ ରିଅଲ ଇଷ୍ଟେଟ୍‌ ଶିଳ୍ପ କ୍ଷେତ୍ରରେ ବିଲ୍‌ଡିଂ ପ୍ଲାନ୍‌ ମଞ୍ଜୁରି ହାସଲ କରିବାକୁ ବର୍ଷେ ଭଳି ସମୟ ଲାଗିଯାଉଛି। ଏହି ସମୟ ଭିତରେ କିନ୍ତୁ ଶିଳ୍ପପତିମାନଙ୍କୁ ଜମି ମୂଲ୍ୟ ଉପରେ ସୁଧ ଗଣିବାକୁ ପଡ଼ୁଛି।

ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ଖଣି, ଶକ୍ତି ଏବଂ ସେବା କ୍ଷେତ୍ର।

ଶିଳ୍ପାୟନ ପାଇଁ ଓଡ଼ିଶାରେ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ଟେଲିକମ୍‌, ଇଣ୍ଟରନେଟ୍‌, ପରିବହନ, ଭିତ୍ତିଭୂମି ଏବଂ ଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଏହି ସବୁ ପ୍ରକାର ଶିଳ୍ପ ସଂସ୍ଥା ଆରମ୍ଭ କରିବାରେ ହେଉଥିବା ବିଳମ୍ବକୁ ସରକାର ଦୂର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ।

ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବ ବୋଲି ଭାବୁଛନ୍ତି କି?
ହଁ, ନୂଆ ଉଦ୍ୟୋଗୀମାନଙ୍କୁ ଏହି ପୁରସ୍କାର ଅନୁପ୍ରାଣିତ କରିବ ଏବଂ କିଛି ବର୍ଷ ଭିତରେ ଏହା ଏକ ସମ୍ମାନଜନକ ପୁରସ୍କାର ଭାବେ ଉଭା ହେବ। ମୁଁ ଏହି ପୁରସ୍କାରର ସଫଳତା କାମନା କରୁଛି।

ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଉଚିତ?
ମୁଁ ପୂର୍ବରୁ ଆପଣଙ୍କୁ କହିସାରିଛି ଯେ ଓଡ଼ିଶାରେ ସହଜ ବ୍ୟବସାୟ ବାତାବରଣ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ।

ରାଜ୍ୟରେ ଶିଳ୍ପାୟନ ଠିକ୍‌ ଦିଗରେ ଆଗକୁ ବଢ଼ୁଛି କି? ଯଦି ନୁହେଁ, ଆଉ କ’ଣ କରିବା ଆବଶ୍ୟକ?
ଠିକ୍‌ ସମୟରେ ଜମି ଆବଣ୍ଟନ କରିବା, କେତେକ ଟିକସ ଛାଡ଼ କରିବା ଏବଂ ଶକ୍ତି ଓ ଜଳ ସୁବିଧା ପ୍ରଦାନ କରାଗଲେ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶାରେ ସେମାନଙ୍କ ୟୁନିଟ୍‌ ସ୍ଥାପନ କରିବାକୁ ଆଗେଇ ଆସିବେ। ଏଭଳି ସୁବିଧା ପ୍ରଦାନ କରାଗଲେ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ଶିଖରରେ ପହଞ୍ଚିପାରିବ।