ଉଦ୍ୟୋଗ ଜଗତରେ ଓଡ଼ିଆଙ୍କ କର୍ତ୍ତୃତ୍ୱ ଦୃଢ଼ ହେଉଛି : ମୁଖ୍ୟମନ୍ତ୍ରୀ

ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮ ପ୍ରଦାନ ସମାରୋହ

ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରି ‘ସମ୍ବାଦ’ ଗର୍ବିତ: ସୌମ୍ୟରଞ୍ଜନ
୫ଟି ବିଭାଗରେ ୧୪ ସଫଳ ଶିଳ୍ପସଂସ୍ଥା ପୁରସ୍କୃତ

ଭୁବନେଶ୍ୱର : ଓଡ଼ିଶାର ଯାହା ବ୍ରାଣ୍ଡ୍‌, ତାହା ବାସ୍ତବରେ ଭାରତର ଗର୍ବ। ଏହି ବ୍ରାଣ୍ଡ୍‌ ପଛରେ ଥିବା ବ୍ୟକ୍ତିବିଶେଷଙ୍କ କଠିନ ପରିଶ୍ରମ ପାଇଁ ସେମାନଙ୍କ ସ୍ୱପ୍ନ ସାକାର ହୋଇଛି। ସେମାନଙ୍କର ଏପରି ସଫଳତା ସୂଚାଉଛି ଯେ ଏକବିଂଶ ଶତାବ୍ଦୀର ଓଡ଼ିଶାରେ ଓଡ଼ିଆମାନେ ଉଦ୍ୟୋଗ ଓ ବ୍ୟବସାୟ ଜଗତକୁ ଲମ୍ଫ ମାରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ବ୍ୟବସାୟ ଦୁନିଆରେ ଓଡ଼ିଆଙ୍କ କର୍ତ୍ତୃତ୍ୱ ଦୃଢ଼ କରିବାକୁ ଆମେ ଅଗ୍ରସର ହେଉଛୁ। ଓଡ଼ିଶାର ଉଦ୍ୟୋଗ ଓ ବ୍ୟବସାୟ ଜଗତକୁ ନେଇ ଏମିତି ଆଶା ଓ ସମ୍ଭାବନାର ବାଣୀ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘ସମ୍ବାଦ’ ପକ୍ଷରୁ ‘ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮’ର ପୁରସ୍କାର ପ୍ରଦାନ ସମାରୋହ ଆଜି ସନ୍ଧ୍ୟାରେ ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ବିଭାଗରେ ୧୪ ସଫଳ ଶିଳ୍ପସଂସ୍ଥାକୁ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀ ସମ୍ବାଦର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଦ୍ୱାରା ଯୁବ ଶିଳ୍ପପତିମାନେ ଓଡ଼ିଶାର ଗୌରବ ବଢ଼ାଇବାକୁ ଆହୁରି ଉତ୍ସାହିତ ହେବେ ବୋଲି ମତ ଦେଇଥିଲେ।

ଶିଳ୍ପ ପାଇଁ ସରକାର ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାର ସମୃଦ୍ଧ ସମ୍ପଦକୁ ଉପଯୋଗ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଯେତେବେଳେ ଆମେ ଏହି ସମ୍ପଦକୁ ବ୍ୟବହାର କରି ସୃଷ୍ଟି କରୁଥିବା ଉତ୍ପାଦ ଓ ସେବା ପାଇଁ ଏକ ଯଥାର୍ଥ ବ୍ରାଣ୍ଡ୍‌ ସୃଷ୍ଟି କରିପାରିବା, ସେତେବେଳେ ଆମେ ବାସ୍ତବରେ ଆମ ସମ୍ପଦର ବିଶାଳ ସମ୍ଭାବନାକୁ ବ୍ୟବହାର କରିପାରିଲେ ବୋଲି କହିପାରିବା। ଏମ୍‌ଏସ୍‌ଏମ୍‌ଇ ଓ ରପ୍ତାନି ପ୍ରୋତ୍ସାହନ ପାଇଁ ପ୍ରସ୍ତୁତ ହୋଇଥିବା ଆମର ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଜାତୀୟ ବ୍ରାଣ୍ଡ୍‌ ସୃଷ୍ଟି ନିମନ୍ତେ ସୁଯୋଗ ଦେବା। ୨୦୧୬-୧୭ରେ ଆମ ରପ୍ତାନିର ଅଭିବୃଦ୍ଧି ପୂର୍ବ ବର୍ଷ ତୁଳନାରେ ୧୧୪ ପ୍ରତିଶତ ହୋଇଛି। ଏହା ହିଁ ଆମ ପ୍ରଗତିଶୀଳ ନୀତିକୁ ସୂଚାଉଛି। ସବୁ ରାଜ୍ୟ ମଧ୍ୟରେ ଆମର ସର୍ବାଧିକ ଅଭିବୃଦ୍ଧି ହାରକୁ ଭାରତ ସରକାର ସ୍ୱୀକୃତି ମଧ୍ୟ ଦେଇଛନ୍ତି। ଆମର ହସ୍ତତନ୍ତ ଓ ହସ୍ତକଳାର ଥିବା ସ୍ୱତନ୍ତ୍ରତା ଏହାକୁ ‘ଗ୍ଲୋବାଲ୍‌ ବ୍ରାଣ୍ଡ୍‌’ରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ରଖିଛି। ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ବ୍ରାଣ୍ଡ୍‌ ଏହାର ସ୍ୱତନ୍ତ୍ର ଛାପ ଛାଡ଼ିବା ପାଇଁ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମ ଉତ୍ସାହିତ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଥିଲେ।

ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଗଣମାଧ୍ୟମର ପ୍ରଧାନ କାର୍ଯ୍ୟ ହେଉଛି ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା। ସଫଳ ଶିଳ୍ପୋଦ୍ୟୋଗୀଙ୍କୁ ସାରା ଓଡ଼ିଶା ସହ ଯୋଡ଼ିବା ପାଇଁ ‘ସମ୍ବାଦ’ ଏହି ପ୍ରୟାସ କରିଛି। ସେମାନଙ୍କ ସଫଳତା ସମ୍ପର୍କରେ ସାଧାରଣ ଲୋକ ଜାଣିବାର ଆବଶ୍ୟକତା ରହିଛି। ଖବରକାଗଜ ସବୁବେଳେ ଅନ୍ୟର ଦୋଷ ଦେଖାଏ ଓ ଅନ୍ୟକୁ ସମାଲୋଚନା କରେ ବୋଲି ଅଭିଯୋଗ ଆସେ। କିନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଦୋଷଦର୍ଶୀ ନ ହୋଇ ଗୁଣଗ୍ରାହୀ ହେବାକୁ ଚେଷ୍ଟା କରିଛୁ। ଆଜିର ଉତ୍ସବରେ ପୁରସ୍କୃତ ହେଉଥିବା ଶିଳ୍ପୋଦ୍ୟୋଗୀମାନେ ନିଜ ସଫଳତା ପାଇଁ ବେଶ୍‌ ସ୍ୱୀକୃତ। ସଫଳ ଲୋକଙ୍କୁ ସମ୍ବର୍ଦ୍ଧିତ କରୁଥିବା ସଂସ୍ଥା ଏହା ମାଧ୍ୟମରେ ନିଜର ଉଚ୍ଚତା ବଢ଼ାଇବାକୁ ଚେଷ୍ଟା କରେ। ‘ସମ୍ବାଦ’ ଆଜି ସେହିପରି ଅନୁଭବ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଜଣେ ସଫଳ ନେତୃତ୍ୱଙ୍କ ହାତରେ ସଫଳ ଶିଳ୍ପୋଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପ୍ରାରମ୍ଭରେ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଏହି ପୁରସ୍କାରର ଚୟନ ପ୍ରକ୍ରିୟା ଓ ନିରପେକ୍ଷ ବିଚାରକ ମଣ୍ଡଳୀଙ୍କ ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୁଲଗ୍ନା।

କେଉଁ ବର୍ଗରେ କିଏ ପାଇଲେ ପୁରସ୍କାର

ପିଏସ୍‌ୟୁ

ନାଲ୍‌କୋ:ପ୍ଲାଟିନମ୍‌
ଏମ୍‌ସିଏଲ୍‌: ସ୍ୱର୍ଣ୍ଣ
ଓଏମ୍‌ସି: ରୌପ୍ୟ

ବୃହତ

ଫାଲ୍‌କନ୍‌ ମେରାଇନ୍‌: ପ୍ଲାଟିନମ୍‌
ଇମ୍ଫା: ସ୍ୱର୍ଣ୍ଣ
ମେ’ ଫେୟାର: ରୌପ୍ୟ

ମଧ୍ୟମ

ମିଲ୍କ ମନ୍ତ୍ର:ପ୍ଲାଟିନମ୍‌
ଜୟ ଭାରତ ସ୍ପାଇସେସ: ସ୍ୱର୍ଣ୍ଣ
ଏମ୍‌ପାଓ୍ଵାରଟ୍ରାନ୍ସ ପ୍ରାଇଭେଟ୍‌ ଲିମିଟେଡ: ରୌପ୍ୟ

କ୍ଷୁଦ୍ର

ଓଡି-ରେ: ପ୍ଲାଟିନମ୍‌
ମଡର୍ଣ୍ଣ ଟେଷ୍ଟ ସେଣ୍ଟର: ସ୍ୱର୍ଣ୍ଣ
ୟୁନିକ୍‌ ପାଓ୍ଵାର ଜେନେରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌: ରୌପ୍ୟ
ଉଦୀୟମାନ
ବୁନ୍‌କାରୀ ଇଣ୍ଡିଆ: ପ୍ଲାଟିନମ୍‌
ଅରୋଇନ୍‌ ଇଣ୍ଡିଆ ଲିମିଟେଡ୍‌: ସ୍ୱର୍ଣ୍ଣ

ଆମେ ବହୁତ ଗର୍ବିତ

ରାଜ୍ୟର ସବୁଠୁ ବଡ଼ ସମ୍ବାଦପତ୍ରଠାରୁ ଏହି ସମ୍ମାନ ପାଇ ଆମେ ଅତ୍ୟନ୍ତ ଗର୍ବିତ। ବ୍ୟବସାୟ କ୍ଷେତ୍ରରେ ଆମର ଯାତ୍ରାକୁ ଏହି ପୁରସ୍କାର ସ୍ୱୀକୃତି ପ୍ରଦାନ କରିଛି। ଏହି ପୁରସ୍କାର କେବଳ ଇମ୍ଫାକୁ ମିଳିନାହିଁ, ଏହା କଂପାନିରେ କାମ କରୁଥିବା ସମସ୍ତ ୬୫୦୦ କର୍ମଚାରୀଙ୍କ ପାଇଁ। ସେମାନଙ୍କ ଉଦ୍ୟମ, ପ୍ରତିଶ୍ରୁତିବଦ୍ଧତା ଏବଂ କଠିନ ପରିଶ୍ରମ ପାଇଁ ଏହା ହେଉଛି ସ୍ୱୀକୃତି। ଏହି ସମ୍ମାନ ମିଳିଥିବାରୁ ଆମେ ବହୁତ ଆନନ୍ଦିତ। ବ୍ୟକ୍ତିଗତ ସ୍ତରରେ ମୁଁ ବହୁତ ଖୁସି। ଏହି ପୁରସ୍କାର ପାଇଁ ମୁଁ ସମ୍ବାଦକୁ କୃତଜ୍ଞତା ଜଣାଉଛି। ଏଥି ସହିତ ଅନ୍ୟ ଯେଉଁମାନେ ପୁରସ୍କାର ହାସଲ କରିଛନ୍ତି ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।
ଶୁଭ୍ରକାନ୍ତ ପଣ୍ଡା, ଏମ୍‌ଡି, ଇମ୍ଫା

ନୂଆ ପିଢ଼ିଙ୍କୁ ଉତ୍ସାହିତ କରିବ

ଏହି ପୁରସ୍କାର ନୂଆ ପିଢ଼ିର ଯୁବକଯୁବତୀମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରାଣିତ କରିବ। ସମ୍ବାଦ ତରଫରୁ ଏହା ବହୁତ ଭଲ ପ୍ରୟାସ। ସମ୍ବାଦ ଏହି ଉଦ୍ୟମ ଜାରି ରଖୁ ବୋଲି ମୁଁ ଚାହିଁବି। ଏହି ପୁରସ୍କାର ମୋତେ ବହୁତ ଭଲ ଲାଗୁଛି। ଏହା ଏକ ଉତ୍କର୍ଷ ପୁରସ୍କାର। ମୁଁ ଯେଉଁ କ୍ଷେତ୍ରରେ କାମ କରୁଛି ସେହି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ମୋ ପାଇଁ ଗର୍ବର ବିଷୟ। ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଥିବା ହଜାର ହଜାର ଓଡ଼ିଶାବାସୀଙ୍କୁ ଏହି ପୁରସ୍କାର ପ୍ରେରଣା ଯୋଗାଇ ବୋଲି ମୁଁ ଭାବୁଛି।
ତାରା ରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ ଫାଲ୍‌କନ୍‌ ଗ୍ରୁପ୍‌

କୋକାକୋଲା ସହ ପ୍ରତିଯୋଗିତା କରିପାରିଛୁ

ଆଜିର ସମୟରେ ଆମେ ଓଡ଼ିଶାରେ କୋକାକୋଲା ଓ ଥମ୍‌ସ ଅପ୍‌ ଭଳି ଏମ୍‌ଏନ୍‌ସି ସହିତ ପ୍ରତିଯୋଗିତା କରୁଛୁ। ଆପଣମାନଙ୍କ ଭଲ ପାଇବା ଆମକୁ ଆହୁରି ଆଗକୁ ନେବ। ‘ସମ୍ବାଦ’ର ଏଭଳି ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ଆଶା କରୁଛି।
ଅନୁପ ରାୟ, ଓଡି-ରେ

ଏ ପୁରସ୍କାର ଓଡ଼ିଶାବାସୀଙ୍କର

ସମ୍ବାଦ ତରଫରୁ ପୁରସ୍କାର ମିଳିଥିବାରୁ ମୋତ ବହୁତ ଖୁସି ଲାଗୁଛି। ଏହା କେବଳ ଆମ କଂପାନିର ନୁହେଁ ବରଂ ସାରା ରାଜ୍ୟବାସୀଙ୍କ ପାଇଁ ପୁରସ୍କାର। ମୁଁ ଘରକୁ ବାହାରିଥିବା ବେଳେ ଓଡ଼ିଶା ଲୋକମାନେ ମୋ ସହିତ ଥିଲେ। ଏବେ ବି ସେମାନେ ମୋତେ ଆଗକୁ ବଢ଼ାଇ ନେଉଛନ୍ତି। ଲୋକଙ୍କ ସେବା କରିବାର ମୂଲ୍ୟ ଆଜି ମିଳିପାରିଛି। ଏ ପୁରସ୍କାର ଓଡ଼ିଶାବାସୀଙ୍କର। ଓଡ଼ିଶାବାସୀଙ୍କୁ ଏଥିପାଇଁ ଧନ୍ୟବାଦ ଦେବି। ଓଡ଼ିଶାର ଏକ ଉତ୍ପାଦ ଆଜି ବିଶ୍ୱସ୍ତରରେ ପହଞ୍ଚିପାରିଛି।
ସୁରେନ୍ଦ୍ର ନାଥ ପଣ୍ଡା, ଅଧ୍ୟକ୍ଷ ଜୟଭାରତ ସ୍ପାଇସେସ୍‌

କମ୍ପାନି ଓ ଟିମ୍‌ ପକ୍ଷରୁ ‘ସମ୍ବାଦ’କୁ ଧନ୍ୟବାଦ

ମୋତେ ବହୁତ ଖୁସି ଲାଗୁଛି। ଏହାକୁ ମୁଁ ଅନୁଭବ କରିପାରୁଛି। ଆଜିର ପୁରସ୍କାର ପାଇଁ ମୁଁ ବହୁତ ଗର୍ବିତ। ଏହି ଖୁସିକୁ ମୁଁ ବ୍ୟକ୍ତ କରିପାରୁ ନାହିଁ। ଆମ କମ୍ପାନି ଓ ଆମ ଟିମ୍‌ ପକ୍ଷରୁ ‘ସମ୍ବାଦ’କୁ ଅଶେଷ ଧନ୍ୟବାଦ।
ଅମିତ ଅଗ୍ରଓ୍ଵାଲ, ନିର୍ଦେଶକ ବୁନ୍‌କାରି ଇଣ୍ଡିଆ

ପ୍ରଥମଥର ପାଇଁ ମିଳୁଛି ଏଭଳି ପ୍ରୋତ୍ସାହନ

ମୁଁ ବହୁତ ଗର୍ବିତ ଅନୁଭବ କରୁଛି। ଓଡ଼ିଶାରେ ପ୍ରୋତ୍ସାହନ ଦେବା ପାଇଁ ବୋଧହୁଏ ଏହା ପ୍ରଥମ ପଦକ୍ଷେପ, ବିଶେଷ କରି ଶିଳ୍ପସଂସ୍ଥାଗୁଡ଼ିକ ପାଇଁ। ଶିଳ୍ପ ସଂସ୍ଥାକୁ ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଏକ ପ୍ରୋତ୍ସାହନ ମିଳୁଛି। ଏହାର ଏକ ଦୂରଗାମୀ ପ୍ରଭାବ ଦେଖିବାକୁ ମିଳିବ। ମୁଁ ଏଥିପାଇଁ ଗର୍ବିତ। ଲୋକମାନେ ସଫଳ ଉଦ୍ୟୋଗୀଙ୍କର ସଫଳତାର କାହାଣୀ ଏହାଦ୍ୱାରା ଜାଣିପାରିବେ। ଏହା ଅନ୍ୟମାନଙ୍କୁ ଉତ୍ସାହିତ କରିବ।
ରାଜେନ୍ଦ୍ର କୁମାର ମିଶ୍ର, ସିଇଓ ମଡର୍ଣ୍ଣ ଟେଷ୍ଟ ସେଣ୍ଟର

ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବ

ସମ୍ବାଦକୁ ଧନ୍ୟବାଦ। ଯୁବ ଉଦ୍ୟୋଗୀଙ୍କ ପାଇଁ ଏହା ଏକ ବଡ଼ ପ୍ଲାଟଫର୍ମ। ଯାହାକି ଯୁବ ଉଦ୍ୟୋଗୀଙ୍କୁ ଆଗାମୀ ଦିନରେ ପ୍ରୋତ୍ସାହିତ କରିବ। ଅଧିକରୁ ଅଧିକ ଯୁବପିଢ଼ି ଉଦ୍ୟୋଗୀ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ। ଉଦ୍ୟୋଗୀ ହେବା ପାଇଁ ଆଉ କେହି ପଛଘୁଞ୍ଚା ଦେବେ ନାହିଁ। ଆମ କଂପାନି ଗତ ୧୮ବର୍ଷ ଧରି ଚାଲୁ ରହିଛି। ଆରମ୍ଭରୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ପରେ ସଫଳତା ମିଳିଥିଲା। ଏବେ ନ୍ୟୁୟର୍କରେ ବି ଆମର ସେଣ୍ଟର୍‌ ଖୋଲାଯାଇପାରିଛି।
ଅର୍ଚନା ପାଢ଼ୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅରୋଇନ୍‌

ଯୁବପିଢ଼ି ଅନୁପ୍ରାଣିତ ହେବେ

କାର୍ଯ୍ୟକ୍ରମ ବହୁତ ଭଲ ଥିଲା। ପ୍ରେରଣାଦାୟୀ ଥିଲା। ଏହି ପୁରସ୍କାର ପାଇଁ ସମ୍ବାଦକୁ ମୁଁ ଅଶେଷ ଧନ୍ୟବାଦ ଦେବି। ଏଭଳି ପୁରସ୍କାର ଆଗାମୀ ଦିନରେ ଅଧିକରୁ ଅଧିକ ଯୁବପିଢ଼ିଙ୍କ ଉଦ୍ୟୋଗୀ ହେବା ପାଇଁ ଅନୁପ୍ରେରିତ କରିବ। ‘ସମ୍ବାଦ’ର ଏହା ଏକ ଭଲ ପ୍ରୟାସ। ଓଡ଼ିଶାରେ ଅନେକ ଯୁବ ଉଦ୍ୟୋଗୀ ରହିଛନ୍ତି। ଏହା ସେମାନଙ୍କୁ ପ୍ରେରଣା ଯୋଗାଇବ।
ଆଶିଷ କୁମାର ପାତ୍ର, ୟୁନିପାର୍କ ପ୍ରାଇଭେଟ ଲିମିଟେଡ୍‌

ପ୍ରତିଯୋଗିତା ବେଶ୍‌ ଭଲ ଥିଲା

ଏହା ଏକ ଉଲ୍ଲେଖନୀୟ ମୁହୂର୍ତ। ଏହା ଏକ ବଡ଼ ସୁଯୋଗ। ‘ସମ୍ବାଦ’ର ଏହା ଏକ ବେଶ ଭଲ ପ୍ରୟାସ। ଯୁବ ଉଦ୍ୟୋଗୀଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋରଣା ଦେବ। ଅନ୍ୟ କମ୍ପାନିମାନଙ୍କ ସହ ପ୍ରତିଯୋଗିତା କରି ନିଜକୁ ଗର୍ବ ଅନୁଭବ କରୁଛୁ।
ସୌଭାଗ୍ୟ ମହାପାତ୍ର, ଇଡି ମେ’ ଫେୟାର

ସମ୍ବନ୍ଧିତ ଖବର