ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟାଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ରାଜ୍ୟର ଖ୍ୟାତନାମା ଶିଳ୍ପୋଦ୍ୟୋଗୀ ତଥା ଫାଲ୍କନ୍ ଗ୍ରୁପ୍ର ମୁଖ୍ୟ ତାରା ରଂଜନ ପଟ୍ଟନାୟକଙ୍କ ମତାମତକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।
/sambad/media/post_attachments/wp-content/uploads/2017/12/tara-ranjan-patnaik_JPG-300x200.jpg)
ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଯେଉଁମାନେ ସଫଳ ଉଦ୍ୟୋଗୀ ସେମାନଙ୍କୁ ସମ୍ମାନିତ କରିବା ନିଶ୍ଚିତଭାବେ ଏକ ଭଲ ପ୍ରଚେଷ୍ଟା। ଏହାଦ୍ୱାରା ପୁରସ୍କାରପ୍ରାପ୍ତ ଉଦ୍ୟୋଗୀମାନେ ଆହୁରି ଉତ୍ସାହିତ ହେବେ। ‘ସମ୍ବାଦ’ର ଏହା ଏକ ଭଲ ପ୍ରୟାସ।
ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ଏହି ପୁରସ୍କାର ସହାୟକ ହେବ କି?
ରାଜ୍ୟରେ ଏହା ନିଶ୍ଚିତଭାବେ ଏକ ଉତ୍ତମ ଶିଳ୍ପ ବାତାରଣ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୁରସ୍କାର ଦ୍ୱାରା ଶିଳ୍ପପତିମାନେ ଉତ୍ସାହିତ ହେବେ। ଏତଦ୍ବ୍ୟତୀତ ବ୍ୟବସାୟୀମାନଙ୍କୁ ଓଡ଼ିଶାରେ ସାଧାରଣତଃ ଦ୍ୱିତୀୟ ଶ୍ରେଣୀ ନାଗରିକଭାବେ ବିବେଚନା କରାଯାଉଛି। ଏହି ମାନସିକତାରେ ପରିବର୍ତନ ଆସିବ ବୋଲି ଆଶା କରାଯାଉଛି।
ଏଭଳି ପୁରସ୍କାର ବର୍ତମାନ ସମୟର ଆବଶ୍ୟକତା ବୋଲି ଆପଣ ଭାବୁନାହାନ୍ତି କି?
ଯଦି ଓଡ଼ିଶାରେ ଶିକ୍ଷା, ସଂସ୍କୃତି, ସଙ୍ଗୀତ, ସାହିତ୍ୟ, ରାଜନୀତି କ୍ଷେତ୍ରରେ କୃତିତ୍ୱ ହାସଲ କରୁଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଉଛି ତା’ହେଲେ ବ୍ୟବସାୟ ଓ ଉଦ୍ୟୋଗ କ୍ଷେତ୍ରରେ କାହିଁକି ନୁହେଁ? ବ୍ୟବସାୟୀମାନେ ଆଗକୁ ଯାଇ ପାରିଲେ ହିଁ ରାଜ୍ୟ ଆଗକୁ ଯିବ ନଚେତ୍ ପଛରେ ପଡ଼ିଯିବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ଓଡ଼ିଶାରେ ଯାହା ଶିଳ୍ପନୀତି ରହିଛି ତାହା ଉଣାଅଧିକେ ଠିକ୍ ଅଛି। କିନ୍ତୁ ଶିଳ୍ପନୀତି ଉପର ସ୍ତରରେ ରହିଯାଉଛି। ତାହା ତଳସ୍ତରକୁ ଆସିବା ଉଚିତ। ସରକାର କେତେ ଗୁରୁତ୍ୱ ଦେଉଛନ୍ତି ତାହାକୁ ତଳସ୍ତରର ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଫଳରେ ଶିଳ୍ପାୟନ ପାଇଁ ଆବଶ୍ୟକ ଜମିର କିସମ ପରିବର୍ତନ କାର୍ଯ୍ୟ ତହସିଲ ସ୍ତରରେ ବର୍ଷ ବର୍ଷ ଧରି ପଡ଼ି ରହୁଛି।
ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ସାମୁଦ୍ରିକ ଦ୍ରବ୍ୟ ଚାଷ ପାଇଁ ଚାଷୀମାନଙ୍କୁ ୨୫ ହଜାର ହେକ୍ଟର ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କିଛି ଜମି ଦିଆଯାଇନାହିଁ। ଏଭଳି ଅନେକ ଉଦାହରଣ ରହିଛି। ତେଣୁ ତଳସ୍ତରର ଅଧିକାରୀମାନଙ୍କ ଯୋଗୁଁ ପ୍ରକଳ୍ପଗୁଡ଼ିକ ବିଳମ୍ବ ହେଉଛି। ତଳସ୍ତରରେ କାର୍ଯ୍ୟର ଅଗ୍ରଗତି କେତେମାତ୍ରାରେ ହେଉଛି ତାହାର ସମୀକ୍ଷା ଓ ଅନୁଧ୍ୟାନ ଉଚ୍ଚସ୍ତରର ଅଧିକାରୀମାନଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ ହେବା ଆବଶ୍ୟକ।
ଆଗକୁ ବଢ଼ିବା ପାଇଁ ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ସରକାର ପୂର୍ବରୁ ଖଣି ଉପରେ ଗୁରୁତ୍ୱ ଦେଉଥିଲେ। ଏବେ ଏହି କ୍ଷେତ୍ରର ଅବସ୍ଥା ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ଖଣିଭିିତ୍ତିକ ଶିଳ୍ପଗୁଡ଼ିକ କଞ୍ଚାମାଲ ଅଭାବଜନିତ ପରିସ୍ଥିତିର ସମ୍ମୁଖୀନ ହେଲେଣି। ଚଳିତମାସ ଶେଷ ସୁଦ୍ଧା ଅନେକ ଖଣି କମ୍ପାନି ଜରିମାନା ରାଶି ଜମା କରିପାରିବେ ନାହିଁ। ୨୦୨୦ରେ ମଧ୍ୟ ଅନେକ ଗୁଡ଼ିଏ ଖଣି ବନ୍ଦ ହୋଇଯିବ। ଖଣି ବନ୍ଦ ହୋଇଗଲେ ଇସ୍ପାତ ଓ ଅନ୍ୟ ଖଣିଜଭିତ୍ତିକ ଶିଳ୍ପ ଗୁଡ଼ିକ କଞ୍ଚାମାଲ କେଉଁଠୁ ପାଇବେ? ସରକାର ଏବେଠାରୁ ଏ ନେଇ ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏବେ କୃଷି ଭିତ୍ତିକ ଶିଳ୍ପକୁ ସହାୟତା ଯୋଗାଇ ଦେବା ଉଚିତ। କାରଣ ଏହି କ୍ଷେତ୍ରରେ ନିବେଶ ଓ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି।
ଶିଳ୍ପାୟନ ପାଇଁ ଓଡ଼ିଶାରେ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ଅନେକ ଗୁଡ଼ିଏ କ୍ଷେତ୍ରରେ ସୁଯୋଗ ରହିଥିଲେ ମଧ୍ୟ କୃଷିଭିତ୍ତିକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଅଧିକ ସୁଯୋଗ ରହିଛି। ଏଥିପାଇଁ ସରକାରଙ୍କୁ ଛୋଟ ଛୋଟ ନିବେଶ ବହୁ ସଂଖ୍ୟାରେ ଯୋଗାଡ଼ କରିବାକୁ ହେବ। ଏସବୁ ପୁଣି କଥା ନୁହେଁ କାମରେ କରିବାର ଅଛି।
ଏହି ପୁରସ୍କାର ନୂଆ ପିଢ଼ିଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରୋତ୍ସାହିତ କରିବ ବୋଲି ଭାବୁଛନ୍ତି କି?
ଏହି ପୁରସ୍କାର ନିଶ୍ଚିତଭାବେ ନୂଆ ପିଢ଼ିକୁ ପ୍ରେରଣା ଯୋଗାଇବ। ବ୍ୟବସାୟ ଏବଂ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ ପାଇଁ ଯୁବବର୍ଗ ଉତ୍ସାହିତ ହେବେ। ପରିବାର ଗୁଡ଼ିକ ମଧ୍ୟ ଏଥିପାଇଁ ସେମାନଙ୍କୁ ସମର୍ଥନ କରିବେ।
ପୁରସ୍କାର ପାଇଁ କେମିତି ଆବେଦନ କରିବେ
www.sambadawards.in ଓ୍ଵବସାଇଟ୍ରୁ ଫର୍ମ ଡାଉନଲୋଡ୍ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/sam-copy-2.jpg)
