ସଫଳତାକୁ ଶ୍ରେୟ ଦେଲେ ଶିଳ୍ପୋଦ୍ୟୋଗୀ ଉତ୍ସାହିତ ହେବେ: ସଞ୍ଜୟ ପଟ୍ଟନାୟକ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଟାଟା ସ୍ପଞ୍ଜ ଆଇରନ୍‌ ଲିମିଟେଡର ପରିଚାଳନା ନିର୍ଦେଶକ, ‘ଫିମି’ର ଜାତୀୟ ସଭାପତି, ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଉପସଭାପତି ତଥା ସିଆଇଆଇ (ଓଡ଼ିଶା ଚାପ୍ଟର)ର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକଙ୍କ ମତାମତକୁ ଏଠାରେ ଉପସ୍ଥାପନ କରାଯାଇଛି…

ଏହି ପୁରସ୍କାର ସମ୍ପର୍କରେ ଆପଣ କ’ଣ କହିବେ?
‘ସମ୍ବାଦ’ ଗ୍ରୁପ୍‌ର ଏହା ଏକ ଅତି ଭଲ ପଦକ୍ଷେପ। ଏ ପ୍ରକାର ପଦକ୍ଷେପ ନେଇଥିବାରୁ ମୁଁ ପ୍ରଥମେ ‘ସମ୍ବାଦ’ ଗ୍ରୁପ୍‌କୁ ଅଭିନନ୍ଦନ ଜଣାଉଛି। ଏଭଳି ପୁରସ୍କାର ପ୍ରଦାନ ଦ୍ୱାରା ଶିଳ୍ପପତି, ବ୍ୟବସାୟୀ ଓ ଉଦ୍ୟୋଗ ଜଗତରେ କ୍ୟାରିୟର କରିବା ପାଇଁ ଅଭିଳାଷ ରଖିଥିବା ଯୁବବର୍ଗ ନିଶ୍ଚିତ ଭାବେ ଉତ୍ସାହିତ ହେବେ।
ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ଏହି ପୁରସ୍କାର କେତେ ସହାୟକ ହେବ?
ରାଜ୍ୟରେ ଶିଳ୍ପାୟନ ନେଇ ଏକ ଉତ୍ତମ ବାତାବରଣ ସୃଷ୍ଟିରେ ଏହା ନିଶ୍ଚିତଭାବେ ସହାୟକ ହେବ। ଓଡ଼ିଶାରେ ଅନେକ ସଫଳ ଉଦ୍ୟୋଗୀ ରହିଛନ୍ତି। ଆମେ କେବଳ କେତେକଙ୍କ ବିଫଳତାକୁ ବଢ଼େଇ ଚଢ଼େଇ ଦେଖିବା ପରିବର୍ତେ ସଫଳ ଉଦ୍ୟୋଗୀମାନଙ୍କୁ ଶ୍ରେୟ ଦେବାର ମନୋଭାବ ରଖିବା ଉଚିତ। ରାଜ୍ୟରେ ଅନେକ ଶିଳ୍ପପତି ଓ ଉଦ୍ୟୋଗୀ ଅଛନ୍ତି ଯେଉଁମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇ ପାରିଛନ୍ତି। ସେମାନଙ୍କ ଉଦ୍ୟମକୁ ସ୍ୱୀକୃତି ଦିଆଗଲେ ଏହା ରାଜ୍ୟରେ ଶିଳ୍ପାୟନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ।
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି ?
ଆମ ରାଜ୍ୟରେ ଏକ ଉତ୍ତମ, ବଳିଷ୍ଠ ଏବଂ ପ୍ରଗତିଶୀଳ ଶିଳ୍ପ ନୀତି ରହିଛି। ଶିଳ୍ପ ସଂକ୍ରାନ୍ତ ବିଭିନ୍ନ ମଞ୍ଜୁରି ଏବେ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେଉଛି। କିନ୍ତୁ ଶୀର୍ଷରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ସବୁ ସ୍ତରରେ ଶିଳ୍ପନୀତିର କାର୍ଯ୍ୟକାରିତା ତ୍ୱରାନ୍ଵିତ ହେବା ଉଚିତ। ଉପର ସ୍ତରରେ ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ଜିଲ୍ଲା ଏବଂ ପଞ୍ଚାୟତ ସ୍ତରରେ ଭଲଭାବେ କାର୍ଯ୍ୟକାରୀ ହୋଇପାରିଲେ ଶିଳ୍ପାୟନ ପ୍ରକ୍ରିୟା ଆହୁରି ତ୍ୱରାନ୍ଵିତ ହୋଇପାରିବ।
ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ରାଜ୍ୟରେ ଶିଳ୍ପାୟନ ପାଇଁ ଜମି ଅଧିଗ୍ରହଣ ଏକ ବଡ଼ ଚ୍ୟାଲେଞ୍ଜ। ସରକାର ଲ୍ୟାଣ୍ଡ୍‌ ବ୍ୟାଙ୍କ ସ୍ଥାପନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଶିଳ୍ପାୟନ ପାଇଁ ସହାୟକ ହେବ। ଏତଦ୍‌ବ୍ୟତୀତ ଜଙ୍ଗଲ ଏବଂ ପରିବେଶ ଅନୁମତି ସମେତ ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି। ଏବେ ବି ରାଜ୍ୟରେ ବହୁ ପରିମାଣର ମାଲ ପରିବହନ ସଡ଼କ ପଥରେ ହେଉଛି। ଅନେକ ବନ୍ଦର ଥିଲେ ମଧ୍ୟ ବନ୍ଦରରୁ ମାଲ ଖଲାସ ଓ ପରିବହନକୁ ତ୍ୱରାନ୍ଵିତ କରାଯିବାର ଆବଶ୍ୟକତା ରହିଛି। ସେହିଭଳି ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ। ଏସବୁ ଭିତ୍ତିଭୂମିର ବିକାଶ ନ ହେଲେ ଆଜିର ଜଗତୀକରଣ ଯୁଗରେ ବିଦେଶୀ କମ୍ପାନିଙ୍କ ସହିତ ପ୍ରତିଯୋଗିତା କରିବା କଷ୍ଟକର ହୋଇପଡ଼ିବ।
ଆଗକୁ ବଢ଼ିବା ପାଇଁ ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ଖଣିଜ ଏବଂ ଧାତବ ଶିଳ୍ପ ଆମ ଶିଳ୍ପାୟନର ଆଧାର ଶିଳା ବୋଲି କୁହାଯାଇ ପାରେ। ତେଣୁ ଖଣିଜ ଏବଂ ଧାତବ ଶିଳ୍ପ ସମେତ ଆନୁଷଙ୍ଗିକ ଶିଳ୍ପ, ପର୍ଯ୍ୟଟନ, ବୟନଶିଳ୍ପ, ସାମୁଦ୍ରିକ ଉତ୍ପାଦନ, କୃଷି ବ୍ୟବସାୟ ଆଦି କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ସରକାର ଏସବୁ କ୍ଷେତ୍ରକୁ ସହାୟତା ଯୋଗାଇ ଦେବା ଉଚିତ।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର